କୋଇଲା ପାଇଁ ଗଛ ବଳି, ଉତ୍କଳ ଡି ବ୍ଲକ୍‌ ଖଣି ପାଇଁ କଟିଲା ୪ ହଜାର ଗଛ

ଅନୁଗୁଳ : କୋଇଲା ପାଇଁ ବଳି ପଡ଼ୁଛି ଗଛ। ଗୋଟିଏ କି ଦୁଇଟି ନୁହେଁ, ହଜାର ହଜାର ଗଛ କାଟି ପଦା କରି ଦିଆଯାଉଛି। ଆଉ ଏହାକୁ ବିରୋଧ କରିବାକୁ ପୁଲିସ ଲଗାଇ ଲୋକଙ୍କ ସ୍ବର ଚାପିବା ପାଇଁ ଚେଷ୍ଟା କରୁଛି ପ୍ରଶାସନ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରେ ଉତ୍କଳ ଡି କୋଲ୍‌ ବ୍ଲକ୍‌ ପାଇଁ ଏବେ ଗଛକଟା ଚାଲିଥିଲାବେଳେ ଆଗକୁ ଉତ୍କଳ ଇ ବ୍ଲକ୍‌ ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ପାଖାପାଖି ୪ହଜାର ଗଛ କଟାଯାଇଛି। ବ୍ୟାପକ ଗଛ କଟାଯିବା ଦ୍ବାରା ଜିଲ୍ଲାରେ ପରିବେଶ ପ୍ରଦୂଷଣ ସ୍ଥିତି ସାଂଘାତିକ ହେବ ବୋଲି ଆଶଙ୍କା କରାଯାଉଛି।

ଛେଣ୍ଡିପଦା ତହସିଲରେ ଏକ ଡଜନ୍‌ରୁ ଅଧିକ ନୂତନ କୋଇଲା ବ୍ଲକ୍‌ ଆବଣ୍ଟନ କରାଯାଇଛି। ନବରତ୍ନ କଂପାନି ନାଲ୍‌କୋକୁ ଉତ୍କଳ ଡି ଓ ଉତ୍କଳ ଇ କୋଲ୍‌ ବ୍ଲକ୍‌ ମିଳିଛି। ଉତ୍କଳ ଡି କୋଲ୍‌ ବ୍ଲକ୍‌ରୁ କୋଇଲା ଖନନ ନେଇ ଏବେ ପ୍ରକ୍ରିୟା ଆରମ୍ଭ କରିଛି ନାଲ୍‌କୋ। କୋଲ୍‌ ବ୍ଲକ୍‌ ପାଇଁ ଅଧିଗ୍ରହଣ ହୋଇଥିବା ଜଙ୍ଗଲ ଜମିରୁ ଗଛ କଟା ଚାଲିଛି। ଏହି ଜଙ୍ଗଲରୁ ଗଛ କାଟିବା ପୂର୍ବରୁ ଡିଏଫ୍‌ଓଙ୍କ ଅନୁମତି ମଗାଯାଇଥିଲା। ଗତ ସେପ୍ଟେମ୍ବର ୨୭ ତାରିଖରେ ଏଥିପାଇଁ ଅନୁମତି ମିଳିବା ପରେ ୨୮ରେ ଗଛକଟା ଆରମ୍ଭ ହୋଇଥିଲା। କିନ୍ତୁ, ପ୍ରଭାବିତ ଗ୍ରାମବାସୀଙ୍କ କଡ଼ା ବିରୋଧ ‌କାରଣରୁ ଏହାକୁ ବନ୍ଦ ରଖିବାକୁ ପଡ଼ିଥିଲା। ଏଇ ସପ୍ତାହରେ ପୁଣି ଏଠାରୁ ଗଛକଟା ଆରମ୍ଭ ହୋଇଛି।

ସୂଚନା ଅନୁସାରେ, ଉତ୍କଳ ଡି ଓ ଇ କୋଲ୍‌ ବ୍ଲକ୍‌‌ରେ ସମୁଦାୟ ୮୪୨.୯୬ ହେକ୍ଟର ଜମିରୁ କୋଇଲା ଉତ୍ତୋଳନ ହେବ। ଏଥିରୁ ୩୨୫.୧୧ ହେକ୍ଟର ଅଞ୍ଚଳ ହେଉଛି ଜଙ୍ଗଲ ଜମି। ପ୍ରାଥମିକ ପର୍ଯ୍ୟାୟରେ ଡି ବ୍ଲକ୍‌ ପାଇଁ ଗଛକଟା ଚାଲିଛି। ଓଡ଼ିଶା ବନ ଉନ୍ନୟନ ନିଗମ(ଓଏଫ୍‌ଡିସି) ପକ୍ଷରୁ ଏହି ଗଛ କଟା କାମ କରାଯାଉଛି। ଜଙ୍ଗଲ ବିଭାଗ ପକ୍ଷରୁ ଏଥିପାଇଁ ୩୮୩୭ ଗଛ କାଟିବା ପାଇଁ ଅନୁମତି ଦିଆଯାଇଛି। ଏଥିରେ ମହୁଲ, ଶାଳ, କୁସୁମ, ଆମ୍ବ ପରି ବହୁତ ବଡ଼ବଡ଼ ଗଛ ରହିଛି। ବହୁ ପୁରୁଣା ଗଛକୁ ମେସିନ୍‌ ଲଗାଇ କାଟୁଛି ଓଏଫ୍‌ଡିସି।

ଅପରପକ୍ଷରେ ଏହାକୁ ବିରୋଧ ହେବାର ଆଶଙ୍କା ଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୁଲିସ ଫୋର୍ସ ସହିତ ବରିଷ୍ଠ ପୁଲିସ ଅଧିକାରୀମାନେ ଗଛକଟା ସ୍ଥାନରେ ଡେରା ପକାଇଛନ୍ତି। ଓଏଫ୍‌ଡିସିର ଏସଡିଏମ୍‌ ରଜନୀକାନ୍ତ ଦେଶୀନାୟକଙ୍କ ସୂଚନା ଅନୁସାରେ, ୩୮୩୭ ଗଛ କାଟିବା ପାଇଁ ଜଙ୍ଗଲ ବିଭାଗରୁ ଅନୁମତି ମିଳିଥିଲା। ଗଛକଟା ‌ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଉ ଅଳ୍ପ କିଛି ଗଛ କାଟିବାକୁ ବାକି ରହିଛି ବୋଲି ସେ କହିଛନ୍ତି।

ଅପରପକ୍ଷରେ, ଏହି ଜଙ୍ଗଲରୁ ପାଖାପାଖି ୬ ଶହ ଗଛ ଏଠାରୁ ଉଠାଇ ଅନ୍ୟ ଜାଗାରେ ଲଗାଇବାକୁ ନିଷ୍ପତ୍ତି ହୋଇଛି। ବଡ଼ବଡ଼ ଗଛଗୁଡ଼ିକୁ ନ କାଟି ଅନ୍ୟ କେଉଁ ଜାଗାରେ ପୁଣି ଲଗାଇ ଦିଆଯିବ। ତେବେ, ଏଠାରୁ କଟାଯାଇଥିବା ଗଛର ଭରଣା ପାଇଁ ଏଠାରେ ସ୍ବତନ୍ତ୍ର ବୃକ୍ଷରୋପଣର କୌଣସି ଯୋଜନା ନାହିଁ। ତେଣୁ ଏହା ଜିଲ୍ଲାର ପରିବେଶ ଉପରେ ଗଭୀର ଭାବେ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନାଲ‌୍‌କୋ ନିଜର ତାପଜ ବିଦ୍ୟୁତ୍‌ ପ୍ଲାଣ୍ଟ ପାଇଁ ଏହି ଉତ୍କଳ ଡି କୋଲ୍‌ ବ୍ଲକ୍‌ରୁ ବାର୍ଷିକ ୨ ମିଲିଅନ ଟନ୍‌ କୋଇଲା ଉତ୍ତୋଳନ କରିବାର ପ୍ରସ୍ତାବ ରହିଛି।

ସମ୍ବନ୍ଧିତ ଖବର