ପଡ଼ି ରହିଥିବା ମାମଲା ହାର ଉଦବେଗଜନକ: ବଢ଼ୁଛି ସାଇବର ଅପରାଧ, ତିନି ବର୍ଷରେ ୨୦ ଗୁଣା

ଭୁବନେଶ୍ବର : ସାରା ଦେଶରେ ଆତଙ୍କ ସୃଷ୍ଟି କରି ଚାଲିଛନ୍ତି ସାଇବର ଅପରାଧୀ। କିନ୍ତୁ ତଦନ୍ତାଧୀନ ମାମଲା ସଂଖ୍ୟା ବଢ଼ିବାରେ ଲାଗିଛି। ଭାରତୀୟ କମ୍ପ୍ୟୁଟର ଏମର୍ଜେନ୍ସି ରେସପନ୍ସ ଟିମ୍(ସର୍ଟ-ଇନ୍) ତଥ୍ୟକୁ ଆଧାର କରି ଗୃହ ମନ୍ତ୍ରଣାଳୟ ପକ୍ଷରୁ ଚଳିତବର୍ଷ ସଂସଦକୁ ଦିଆ ଯାଇଥିବା ସୂଚନା ଅନୁସାରେ, ୨୦୧୯ ତୁଳନାରେ ୨୦୨୦ରେ ସାଇବର ସୁରକ୍ଷା ସମ୍ପର୍କିତ ମାମଲା ତିନି ଗୁଣା ବଢ଼ିଛି। ୨୦୨୦ରେ ସାଇବର ଅପରାଧ ଓ ସୁରକ୍ଷା ସମ୍ପର୍କିତ ମାମଲା ୧୧ ଲକ୍ଷ ୬୦ ହଜାର ରହିଥିବା ବେଳେ ୨୦୧୯ରେ ଏହି ସଂଖ୍ୟା ୩ ଲକ୍ଷ ୯୪ ହଜାର ୪୯୯ ରହିଥିଲା। ୨୦୧୭ରେ ଘଟିଥିବା ସାଇବର ଅପରାଧ ମାମଲାକୁ ତୁଳନା କଲେ ଏଥିରେ ପାଖାପାଖି ୨୦ ଗୁଣା ବଢ଼ିଥିବା ଦର୍ଶାଯାଇଛି।

ସେପ୍ଟେମ୍ବରରେ ପ୍ରକାଶ ପାଇଥିବା ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ(ଏନସିଆରବି) ରିପୋର୍ଟ ଅନୁସାରେ, ୨୦୧୯ ତୁଳନାରେ ୨୦୨୦ରେ ସାଇବର ଅପରାଧ ୧.୧ ଗୁଣା ବୃଦ୍ଧି ପାଇଛି। ୨୦୧୭ ଠାରୁ ୨.୩ ଗୁଣା ମାମଲା ବଢ଼ିଛି। ସାଇବର ଆଇନ ସମ୍ପର୍କରେ ଲୋକଙ୍କର ସଚେତନତାର ଯଥେଷ୍ଟ ଅଭାବ ରହିଥିବା ମଧ୍ୟ ଜଣାପଡ଼ିଛି।

ଚାର୍ଜସିଟ୍ ଦାଖଲରେ ପୁଲିସ ଦୁର୍ବଳ ରହୁଥିବା ଜଣାପଡ଼ିଛି। ଯାହାଫଳରେ ତଦନ୍ତାଧୀନ ମାମଲା ସଂଖ୍ୟା ବଢ଼ ବଢ଼ି ଚାଲୁଛି। ଉପଲବ୍ଧ ଥିବା ୨୭ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ରିପୋର୍ଟ ଦାଖଲ ହୋଇଥିବା ବେଳେ ୨୦୧୯ ଅପେକ୍ଷା ୨୦୨୦ରେ ୧୩ଟି ରାଜ୍ୟରେ ଚାର୍ଜସିଟ୍ ଦାଖଲ ଅତି ନଗଣ୍ୟ ରହିଛି। ଚାର୍ଜସିଟ୍ ଦାଖଲରେ ୧୪ଟି ରାଜ୍ୟର ସଂଖ୍ୟା ବଢ଼ିଛି। ୨୦୧୯ରେ ତାମିଲନାଡ଼ୁ ୭୬.୯% ମାମଲାରେ ଚାର୍ଜସିଟ୍ ଦାଖଲ କରି ନ ଥିବା ବେଳେ ୨୦୨୦ରେ ଏହା ଖସି ୫୩.୧%ରେ ପହଞ୍ଚିଛି। ୨୦୧୯ ଅପେକ୍ଷା ତାମିଲନାଡ଼ୁ ଚାର୍ଜସିଟ୍ ଦାଖଲରେ ଆଗରେ ରହିଥିବା ଜଣାପଡ଼ିଛି। ଅନ୍ୟ ମାମଲା ଅପେକ୍ଷା ସାଇବର ଅପରାଧରେ ଚାର୍ଜସିଟ୍ ଦାଖଲରେ ପୁଲିସ ଦୁର୍ବଳ ପ୍ରଦର୍ଶନ କରିଥିବା ଏନସିଆରବି ରିପୋର୍ଟରୁ ଜଣାପଡ଼ିଛି। ୨୦୧୯ ଅପେକ୍ଷା ୨୦୨୦ରେ ଚାର୍ଜସିଟ୍ ଦାଖଲ ୮.୪ ପ୍ରତିଶତ ବଢ଼ି ୪୭.୫ ପ୍ରତିଶତ ହୋଇଛି। କିନ୍ତୁ ଅନ୍ୟ ଅପରାଧ ମାମଲାରେ ଏହା ୭୫.୮ ପ୍ରତିଶତ ରହିଛି। ସେହିପରି ୨୦୧୯ରେ ଚାର୍ଜସିଟ୍ ଦାଖଲ ୩୯.୧ ପ୍ରତିଶତ ରହିଥିବା ବେଳେ ଅନ୍ୟ ମାମଲାରେ ଏହି ହାର ୬୭.୨ ପ୍ରତିଶତ ରହିଛି। କିନ୍ତୁ ଦଣ୍ଡାଦେଶ ଅନ୍ୟ ଅପରାଧ ମାମଲା ଠାରୁ ଅଧିକ ରହିଛି। ଅନ୍ୟ ମାମଲାରେ ଦଣ୍ଡାଦେଶ ହାର ୫୯.୨ ପ୍ରତିଶତ ରହିଥିବା ବେଳେ ସାଇବର ଅପରାଧ ମାମଲାରେ ୬୮.୩ ପ୍ରତିଶତ ରହିଛି।

ଏକ ଜାତୀୟ ଖବରକାଗଜର ରିପୋର୍ଟ ଅନୁସାରେ, ସାଇବର ଅପରାଧ ମାମଲାରେ ପୁଲିସ କାହିଁକି ପଛରେ ପଡ଼ୁଛି ତାହାର କାରଣ ଉଲ୍ଲେଖ କରାଯାଇଛି। ସେହି ରିପୋର୍ଟ ଅନୁଯାୟୀ, ସାଇବର ଅପରାଧ ମାମଲାର ତଦନ୍ତ କରିବା ପାଇଁ ସାରା ଦେଶରେ ୨୧ ଲକ୍ଷ ପୁଲିସ ଅଧିକାରୀଙ୍କ ପାଇଁ ମାତ୍ର ୧୩ ହଜାର ଲାପଟପ୍ ରହିଛି। ପ୍ରତି ଶହେ ପୁଲିସ ଅଧିକାରୀଙ୍କ ପାଇଁ ୭.୩ ପ୍ରତିଶତ କମ୍ପ୍ୟୁଟର ରହିଛି। ଯେଉଁଥିପାଇଁ ତଦନ୍ତକାରୀ ପୁଲିସ ପଛରେ ରହୁଛି।

ଓଡ଼ିଶାରେ ଅପରାଧ ମାମଲା ବଢ଼ିଛି, ପଡ଼ି ରହିଥିବା ମାମଲା ହାର କମିଛି
ଓଡ଼ିଶାରେ ସାଇବର ଅପରାଧ ମାମଲା ଉଦବେଗଜନକ ସ୍ଥିତିରେ ରହିଛି। କିନ୍ତୁ ପଡ଼ି ରହିଥିବା ତଦନ୍ତାଧୀନ ମାମଲା ସଂଖ୍ୟା କମିଛି। ୨୦୧୯ରେ ପଡ଼ି ରହିଥିବା ତଦନ୍ତାଧୀନ ମାମଲା ୮୩.୩ ରହିଥିବା ବେଳେ ୨୦୨୦ରେ ଏହା ୮୧ ପ୍ରତିଶତକୁ ଖସିଛି। ସେହିପରି ୨୦୧୮ରେ ୮୪୩ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୧୯ରେ ୧୪୮୫ ଏବଂ ୨୦୨୦ରେ ୧୯୩୧ଟି ମାମଲା ରୁଜୁ ହୋଇଛି। ଏନସିଆରବି ରିପୋର୍ଟ ଅନୁସାରେ ୨୦୨୦ରେ ୩୩.୫ ପ୍ରତିଶତ ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି।

ସମ୍ବନ୍ଧିତ ଖବର