ସାଇବର ଠକେଇର ଶିକାର ହେଲେ ଡାକ୍ତର : ବିଦେଶୀ ଡ୍ରୋନ୍ ପାଇଁ ୧୪ ଲକ୍ଷ ନେଇଗଲେ
ସମ୍ବଲପୁର : ସମ୍ବଲପୁର ଓ ଆଖ ପାଖ ଜିଲ୍ଲାରେ ସାଇବର ଠକେଇ ବେଶ୍ ବୃଦ୍ଧି ପାଇଛି। ନିକଟରେ କେବିସି ଓ ଚିଟ୍ଫଣ୍ଡ ନାମରେ ଦୁଇ ପରିବାରଙ୍କଠାରୁ ଲକ୍ଷାଧିକ ଟଙ୍କାର ଠକେଇ ହେବା ଘଟଣାକୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ଏବେ ଜଣେ ପ୍ରତିଷ୍ଠିତ ଡାକ୍ତର ଅନ୍ଲାଇନ୍ ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ଅନୁଗୁଳ ଜିଲ୍ଲା ଟାଉନ୍ ଥାନା ଅଞ୍ଚଳର ଜଣେ ଯୁବ ଡାକ୍ତର ବିଦେଶୀ ଡ୍ରୋନ୍ କିଣିବାକୁ ଅନ୍ଲାଇନ୍ରେ ଆଲିବାବା ସାଇଟ୍କୁ ଯାଇଥିଲେ। ସେଠାରେ ୨୭ ହଜାର ଟଙ୍କାର ଏକ ଡ୍ରୋନ୍ ମଧ୍ୟ ବାଛିଥିଲେ। କିନ୍ତୁ ସେ ଅର୍ଡର କରିବା ପୂର୍ବରୁ ସେତିକି ଦାମ୍ରେ ଅଧିକ କ୍ଷମତା ବିଶିଷ୍ଟ ଆମେରିକୀୟ ଡ୍ରୋନ୍ ମିଳିବା ନେଇ ସ୍କ୍ରିନ୍ରେ ଏକ ମେସେଜ୍ ଆସିଥିଲା। ଉକ୍ତ ମେସେଜରେ କ୍ଲିକ କରିବା କ୍ଷଣି ସାଧାରଣ ଭାବେ ଯେଭଳି ଅନ୍ଲାଇନ୍ ଜିନିଷ କିଣା ଯାଇଥିଏ ସେଭଳି କିଛି ପ୍ରୋସେ୍ସ ଆସିଥିଲା। କିନ୍ତୁ ପରେ ସିକ୍ୟୁରିଟି ଚାର୍ଜେସ୍, ସିପିଂ ଚାର୍ଜେସ୍, ରେଜିଷ୍ଟ୍ରେସନ ଚାର୍ଜେସ୍ କରି ପ୍ରାୟ ୪ ଲକ୍ଷ ଟଙ୍କା ତାଙ୍କ ଆକାଉଣ୍ଟରୁ କଟିଥିଲା। ଏହାପରେ ପର୍ଯ୍ୟାୟ କ୍ରମେ ଡ୍ରୋନ୍ କ୍ୟାମେରାର ବିଭିନ୍ନ ଅନ୍ୟ ପାର୍ଟସ୍ ଓ ସାମଗ୍ରୀ ବାବଦରେ ଆଉ ୧୦ ଲକ୍ଷ ଟଙ୍କା ତାଙ୍କ ଓ ତାଙ୍କ ପତ୍ନୀଙ୍କ ଆକାଉଣ୍ଟରୁ କଟି ଯାଇଥିଲା। ଏହାପରେ ଉକ୍ତ କମ୍ପାନିରୁ ଯେଉଁ ନମ୍ବରରେ ମେସେଜ ଆସୁଥିଲା, ଉକ୍ତ ନମ୍ବରରେ କଲ କରିବା ପରେ ଆଉ କୌଣସି ଉତ୍ତର ମିଳିନଥିଲା। ଶେଷରେ ନିରୂପାୟ ହୋଇ ଡାକ୍ତର ଜଣଙ୍କ ସମ୍ବଲପୁର ସାଇବର ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିବା ବେଳେ ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅପରପକ୍ଷେ, ହୀରାକୁଦ ହିଣ୍ଡାଲ୍କୋରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କୁ ଗତ ବର୍ଷ ଅଗଷ୍ଟ ମାସରେ ଏକ ଫୋନ୍ କଲ ଆସିଥିଲା। ନିଜକୁ କୋନ୍ ବନେଗା କରୋଡପତିର ସଦସ୍ୟ ଦର୍ଶାଇ ୪ କୋଟି ଟଙ୍କା ଜିତି ଥିବା ଉକ୍ତ ମେସେଜ୍ରେ କୁହାଯାଇଥିଲା। ମେସେଜ୍ ପରେ ୪ କୋଟି ଟଙ୍କା ପାଇବା ଲୋଭରେ ଉକ୍ତ ବ୍ୟକ୍ତି ଜଣଙ୍କ ମେସେଜ୍ରେ ଆସୁଥିବା ପ୍ରତିଟି ନିର୍ଦେଶକୁ ପାଳନ କରି ଚାଲିଥିଲେ। ପ୍ରଥମେ ରେଜିଷ୍ଟ୍ରେସନ ଫି’ ବାବଦକୁ ୧୮ ହଜାର, ପ୍ରୋସେସିଂ ଫି’ ୨୫ ହଜାର, ସିକ୍ୟୁରିଟି ଚାର୍ଜେସ୍ ୫୦ ହଜାର କରି ଉକ୍ତ ବ୍ୟକ୍ତି ମେସେଜ୍ରେ ଆସୁଥିବା ଆକାଉଣ୍ଟ ନମ୍ବରଗୁଡ଼ିକରେ ଟଙ୍କା ଜମା କରିଚାଲିଥିଲେ। ଏହାପରେ ପ୍ରତିଟି ପ୍ରଶ୍ନରେ ଟଙ୍କା ଜିତିବା ସହ ଫ୍ଲାଟ, କାର୍ ନିଶ୍ଚିତ ଉପହାର ଜିତିବାର ସୁଯୋଗ ଥିବା ଦର୍ଶାଇ ପ୍ରଶ୍ନ ପିଛା ୨-୪ ଲକ୍ଷ ଟଙ୍କା ସେ ଆକାଉଣ୍ଟଗୁଡ଼ିକରେ ଜମା କରିଚାଲିଥିଲେ। ଜିପିଏଫ୍ରେ ଥିବା ୧୪ ଲକ୍ଷ ଟଙ୍କା, ଜମି ବିକ୍ରି କରି ୪ ଲକ୍ଷ ଟଙ୍କା ଓ ଆକାଉଣ୍ଟରେ ଥିବା ସାଢ଼େ ୩ ଲକ୍ଷ ଟଙ୍କା ସରିଯିବା ପରେ ଶେଷରେ ବିଭିନ୍ନ ଲୋକଙ୍କଠାରୁ ୨୦ ଲକ୍ଷ ଟଙ୍କା ଧାର କରି ସେ ଟଙ୍କା ଜମା କରିଚାଲିଥିଲେ। କିନ୍ତୁ କୌଣସି ଉପହାର ପାଇନଥିଲେ କି ଟଙ୍କା ବି ମିଳିନଥିଲା। ଶେଷରେ ଗତ ୬ ତାରିଖରେ ତାଙ୍କ ନିକଟକୁ ଏକ ମେସେଜ ଆସି ଶେଷ ପର୍ଯ୍ୟାୟର ୨ ଲକ୍ଷ ୫୦ ହଜାର ଟଙ୍କା ଡିପୋଜିଟ କରିବାକୁ କୁହାଯାଇଥିଲା ଓ ଏହି ଖେଳରୁ ବାହାରି ଟଙ୍କା ଫେରସ୍ତ ଚାହୁଁଥିଲେ ୧ ଲକ୍ଷ ୨୦ ହଜାର ଟଙ୍କା ଡିପୋଜିଟ କରିବାକୁ କୁହାଯାଇଥିଲା। ଏହି ସମୟରେ ସେ ଠକାମୀର ଶିକାର ହୋଇଥିବା ଜାଣି ସାଇବର ପୁଲିସ୍ରେ ଅଭିଯୋଗ କରିଥିଲେ। ମେସେଜ ଆସୁଥିବା ନମ୍ବର ଯାଞ୍ଚ କରାଯିବା ପରେ ଉକ୍ତ ନମ୍ବର ପାକିସ୍ତାନ ଓ ବାଂଲାଦେଶରେ ପଞ୍ଜିକୃତ ହୋଇଥିବା ଜଣାପଡ଼ିଥିଲା। ଏହା ପୂର୍ବରୁ ଗତ ମେ’ ୨୬ ତାରିଖରେ ହୀରାକୁଦର ଅନ୍ୟ ଜଣେ ବ୍ୟକ୍ତି ଠକେଇର ଶିକାର ହୋଇଥିବା ଜାଣି ପୁଲିସ୍ରେ ଅଭିଯୋଗ କରିଛନ୍ତି।