ଗଙ୍ଗପଡ଼ାରୁ ମୃତ ବାର୍‌ହା ଜବତ

ଖଣ୍ଡଗିରି : ଗୁରୁବାର ଖୋର୍ଧା ବନ ବିଭାଗ ଚନ୍ଦକା ଥାନା ଭାତଖୁରୀ(ଗଙ୍ଗପଡ଼ା) ଗାଁ ମୁଣ୍ଡ ଜଙ୍ଗଲରୁ ଏକ ବାର୍‌ହାର ମୃତଦେହ ଜବତ କରିଛି। ଏହି ମାଈ ବାର୍‌ହାଟିର ବୟସ ପ୍ରାୟ ୬/୭ ବର୍ଷ ଓ ଓଜନ ପାଖାପାଖି ଏକ କ୍ବିଣ୍ଟାଲ ହେବ ବୋଲି ଆକଳନ କରାଯାଇଛି। ମୃତ୍ୟୁର କାରଣ ଜଣାପଡ଼ିନାହିଁ। ବ୍ୟବଚ୍ଛେଦ ପରେ ମୃତଦେହକୁ ଜଙ୍ଗଲରେ ପୋତି ଦଆଯାଇଛି ଓ ରିପୋ‌ର୍ଟ ମିଳିବା ପ‌ରେ ମୃତ୍ୟୁର କା‌ରଣ ସ୍ପଷ୍ଟ ହେବ ବୋଲି ବନ ବିଭାଗ ସୂଚନା ଦେଇଛି। ସୂଚନାନୁସାରେ ଆଜି ଅପରାହ୍‌ଣ ପ୍ରାୟ ୧ଟାରେ ଭାତଖୁରୀ ଗାଁର କିଛି ଲୋକ ଗାଁ ମୁଣ୍ଡ ନେତାଜୀ କ୍ଲବ ନିକଟ ବଣ ଭିତରେ ଏହି ମୃତ ବାର୍‌ହାକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବାର୍‌ହା ମୁହଁରୁ ଫେଣ ବାହାରୁଥିବାବେଳେ କାନମୁଣ୍ଡା ନିକଟରୁ ରକ୍ତସ୍ରାବ ହେଉଥିବା ଦେଖାଯାଇଥିଲା। ଦେହର ଅନ୍ୟ କୌଣସି ସ୍ଥାନରେ କ୍ଷତ ଚିହ୍ନ ନଥିଲା। ମୁହଁରୁ ଫେଣ ବାହାରୁଥିବାରୁ ବାର୍‌ହାଟି କୌଣସି ବିଷାକ୍ତ ପଦାର୍ଥ ଖାଇ ଦେଇଥିବା ସନ୍ଦେହ କରାଯାଉଛି। କିମ୍ବା କୌଣସି ବିଷଧର ସାପ କାମୁଡ଼ିଥିବା ଅନୁମାନ କରାଯାଉଛି। ତେବେ ବନ କର୍ମଚାରୀମାନେ କୌଣସି ଅନୁମାନ କରିପାରିନାହାନ୍ତି। ଗ୍ରାମବାସୀଙ୍କ ସୂଚନାନୁସାରେ ଏହି ଅଞ୍ଚଳରେ ରତନପୁର କାଜୁ ଜଙ୍ଗଲ ହେଉ କି ଚନ୍ଦକା ଅଭୟାରଣ୍ୟରୁ ବାଟବଣା ହୋଇ ଚାଲି ଆସିଥିବା ବହୁ ହରିଣ, ବାର୍‌ହା, କୁଟ୍‌ରା ଭଳି ବନ୍ୟପ୍ରାଣୀ ଓ ଅଜଗର ସାପଙ୍କ ଭଳି ସରୀସୃପ ଜାତୀୟ ଜନ୍ତୁମା‌ନେ ଦେଖିବାକୁ ମିଳନ୍ତି। ତେଣୁ ଏହି ବାର୍‌ହାଟି ବାଟବଣା ହୋଇ ଗାଁ ଆଡ଼କୁ ଆସିବା ପରେ କୌଣସି ବିଷାକ୍ତ ପଦାର୍ଥ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥାଇପାରେ ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର