ଭୁବନେଶ୍ବର : ଜେଲ୍ରେ ବିଚାରାଧୀନ ମାଓବାଦୀର ମୃତ୍ୟୁ
ଭୁବନେଶ୍ବର : ଶନିବାର ପୂର୍ବାହ୍ନରେ ଝାରପଡ଼ାସ୍ଥିତ ସେଣ୍ଟ୍ରାଲ ଜେଲ୍ରେ ଜଣେ ବିଚାରାଧୀନ ମାଓବାଦୀଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ମୃତକ ହେଲେ ପଶ୍ଚିମବଙ୍ଗର ରବି ଦୁଲାଲ୍। ଦଶପଲ୍ଲା ଥାନା ପୋଡ଼ି ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା ଓ ୨୦୦୮ ମସିହାରୁ ସେ ଜେଲ୍ରେ ବିଚାରାଧୀନ ବନ୍ଦୀଭାବେ ଥିଲେ। ଆଜି ସକାଳେ ସେ ହଠାତ୍ ସଂଜ୍ଞାହୀନ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁ ପଛରେ କି କାରଣ ରହିଛି, ତାହା ସ୍ପଷ୍ଟ ହୋଇନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଜେଲ୍ କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି। ଆସନ୍ତାକାଲି ପରିବାର ଲୋକଙ୍କ ଉପସ୍ଥିତିରେ ତାଙ୍କ ମୃତଦେହର ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ୨୦୦୮ ମସିହା ଫେବୃଆରି ୧୫ ରାତିରେ ମାଓବାଦୀମାନେ ନୟାଗଡ଼ ପୁଲିସ ଅସ୍ତ୍ରାଗାର ଉପରେ ଯୋଜନାବଦ୍ଧ ଆକ୍ରମଣ କରିଥିଲେ। ମାଓବାଦୀଙ୍କ ଅତର୍କିତ ଓ ଆଖୁବୁଜା ଗୁଳିଚାଳନା ଫଳରେ ଜଣେ ସାଧାରଣ ଲୋକଙ୍କ ସହ ୧୩ ଜଣ ପୁଲିସ କର୍ମଚାରୀ ପ୍ରାଣ ହରାଇଥିଲେ। ପରେ ପରେ ମାଓବାଦୀମାନେ ଅସ୍ତ୍ରାଗାରରୁ ବିପୁଳ ଅସ୍ତ୍ରଶସ୍ତ୍ର ଲୁଟି ଫେରିବାବେଳେ ରାସ୍ତାରେ ଦଶପଲ୍ଲା ଥାନା ପୋଡ଼ି ଦେଇଥିଲେ। ସେତେବେଳେ ଏହି ଭୟଙ୍କର ମାଓବାଦୀ ଆକ୍ରମଣ ଘଟଣାକୁ ନେଇ ସମଗ୍ର ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ପରଦିନ ଅପରେସନ୍ରେ ମାଓବାଦୀଙ୍କ ଗୁଳିରେ ଜଣେ ଏସ୍ଓଜି କମାଣ୍ଡାଣ୍ଟ ସହିଦ ହୋଇଥିଲେ। ପରେ ଏହି ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ରବି ଦୁଲାଲ୍ ଗିରଫ ହୋଇଥିଲା। ସେହିଦିନଠାରୁ ରବି ଝାରପଡ଼ା ଜେଲ୍ରେ ଥିଲା। ଆଜି ପୂର୍ବାହ୍ନରେ ସେ ଟ୍ୟୁବ୍ୱେଲ୍କୁ ପାଣି ପାଇଁ ଯାଉଥିବାବେଳେ ହଠାତ୍ ତଳେ ପଡ଼ି ଯାଇଥିଲା। ବେହୋସ୍ ଅବସ୍ଥାରେ ତା’କୁ କ୍ୟାପିଟାଲ ହସ୍ପିଟାଲାରେ ଭର୍ତ୍ତି କରାଯାଇଥିଲା।
ଉଲ୍ଲେଖଯୋଗ୍ୟ ଗତ ଏକ ମାସ ମଧ୍ୟରେ ଜେଲ୍ ଭିତରେ ଏହା ଦ୍ବିତୀୟ ଅପମୃତ୍ୟୁ। ଡିସେମ୍ବର ୨୩ ତାରିଖରେ ଆଉ ଜଣେ ବିଚାରାଧୀନ କଏଦୀଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ସେ ଥିଲେ ହୋଟେଲ ସୋଲାନ୍ ଇନ୍ ମାଲିକ କମଳକାନ୍ତ ଦାସ। ସେ ଅସୁସ୍ଥ ଥିଲେ ମଧ୍ୟ ଜେଲ୍ କର୍ତ୍ତୃପକ୍ଷ ତାଙ୍କର ସ୍ବାସ୍ଥ୍ୟର ଯତ୍ନ ନେଇନଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ। ପୂର୍ବରୁ ମଧ୍ୟ ଜେଲ୍ କର୍ତ୍ତୃପକ୍ଷଙ୍କ ଅବହେଳା ନେଇ ଅନେକ କଏଦୀ ଅଭିଯୋଗ କରିଥିଲେ।