ସହିଦ ମାଧୋ ସିଂହଙ୍କ ଦାୟାଦ ଘେଁସ୍‌ ରାଜମାତାଙ୍କ ପରଲୋକ 

ବରଗଡ଼/ବିଜେପୁର: ସହିଦ ମାଧୋ ସିଂହଙ୍କ ଦାୟାଦ ଘେଁସ୍‌ ରାଜମାତା ମମତା ସିଂହ ବରିହା (୫୬ ବର୍ଷ)ଙ୍କ ରବିବାର ପରଲୋକ ଘଟିଛି। କିଛିଦିନ ହେବ ତାଙ୍କ ସ୍ବାସ୍ଥ୍ୟ ଗୁରୁତର ଭାବରେ ଅସୁସ୍ଥ ଥିବାରୁ ସେ ବୁର୍ଲା ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ପୂର୍ବାହ୍ନ ୨ଟା ସମୟରେ ତାଙ୍କର ପର‌ଲୋକ ହୋଇଥିଲା। ସେ ଜଣେ ପରୋପକାରୀ, ଧର୍ମପରାୟଣା ମହିଳା ଥିଲେ। ଏଥିସହ ସେ ବିଭିନ୍ନ ସାମାଜିକ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ସହ ଜଡ଼ିତ ଥିଲେ। ସେ ଘେଁସ ପଞ୍ଚାୟତର ୨୦୧୭ ରୁ  ୨୦୨୨ ପର୍ଯ୍ୟନ୍ତ ସରପଞ୍ଚ ପଦବୀରେ ରହିଥିଲେ। ଭାରତୀୟ ଜନତା ପାର୍ଟିର ସେ ସକ୍ରିୟ ସଦସ୍ୟା ଥିଲେ। ତାଙ୍କ ବିୟୋଗରେ ଆଜି ଘେଁସ ଅଂଚଳର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିଲା। ସେ ତାଙ୍କ ପଛରେ ପୁଅ ରଣଜିତ ସିଂହ ବରିହା, ପୁତ୍ରବଧୂ ରାଜକୁମାରୀ, ଝିଅ ମିନତି ଓ ଆରତୀ, ଜ୍ବାଇଁ, ନାତୁଣୀ, ଦିଅର ଲୋକେଶ୍ବର ସିଂ ବରିହା ଓ ଆତ୍ମୀୟସ୍ବଜନଙ୍କୁ ଛାଡ଼ି ଚାଲିଯାଇଛନ୍ତି।

ବିୟୋଗ ଖବର ପାଇ ପଦ୍ମଶ୍ରୀ ହଳଧର ନାଗ, ବିଧାୟକ ସୁଶାନ୍ତ ସିଂହ, ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ, ପୂର୍ବତନ ବିଧାୟକ ମହମ୍ମଦ ରଫିକ, ବିଜେପି ନେତା ସୁଶାନ୍ତ ମିଶ୍ର, ସାମାଜିକ କର୍ମୀ ସିନ୍ଧୁନନ୍ଦିନୀ ଆଚାର୍ଯ୍ୟ, ଅଧ୍ୟାପକ ସୁଶାନ୍ତ ମିଶ୍ର, ସାହିତ୍ୟିକ ଅଶୋକ ପୂଜାହାରୀ, ମୁରଲି ଭୋଇ, ପ୍ରଭାତ ସାହୁ, ଗୋବିନ୍ଦ ବରିହା, ପୂର୍ବତନ ସୈନିକ ପ୍ରଦୀପ ବେହେରା, ଡ. ଲକ୍ଷପତି ବରିହା, ଦେବରାଜ ସାହୁ, ସରପଞ୍ଚ ଗୋକୁଳଚନ୍ଦ୍ର ଦାସ, ବହୁ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ସମେତ ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି, ଗ୍ରାମ୍ୟ କମିଟି, ଗ୍ରାମବାସୀ ପ୍ରମୁଖ ଶେଷଦର୍ଶନ କରିଥିଲେ। ତାଙ୍କ ବିୟୋଗରେ ସାଂସଦ ସୁରେଶ ପୂଜାରୀ, ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ପ୍ରକାଶଚନ୍ଦ୍ର ଦେବତା, ଜିଲ୍ଲା ଆଦିବାସୀ ସଙ୍ଘ ପୂର୍ବତନ ସଭାପତି ଗୋବର୍ଦ୍ଧନ ଭୁଏ, ଡା. ଶଙ୍କର ରାମଚନ୍ଦାନୀଙ୍କ ସମେତ ବହୁ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନର କର୍ମକର୍ତ୍ତା ଶୋକ ପ୍ରକାଶ କରିଛନ୍ତି। ସହିଦ ପରିବାରଙ୍କ ପାରମ୍ପରିକ ଶ୍ମଶାନ ବରିହାପୁଡ଼ାଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଏକମାତ୍ର ପୁଅ ରଣଜିତ ସିଂହ ବରିହା ମୁଖାଗ୍ନି ଦେଇଥିଲେ। ସୂଚନାଯୋଗ୍ୟ, ସ୍ବର୍ଗତ ରାଜମାତା ମମତା ସିଂହ ବରିହା ସହିଦ ମାଧୋ ସିଂହଙ୍କର ଛଅ ନମ୍ବର ଦାୟାଦ ସ୍ବର୍ଗତ ତାରକେଶ୍ବର ସିଂହ ବରିହାଙ୍କ ଧର୍ମପତ୍ନୀ ଅଟନ୍ତି।

ସମ୍ବନ୍ଧିତ ଖବର