ହାଇକୋର୍ଟରେ ଦୀପକ ଗୁପ୍ତାଙ୍କ ଜାମିନ ଶୁଣାଣି ଅଧା ରହିଲା

କଟକ : ଉଲିବୁରୁ ଖଣି ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ଦୀପକ୍‌ ଗୁପ୍ତାଙ୍କ ନିୟମିତ ଜାମିନ ଆବେଦନର ଆଜି ହାଇକୋର୍ଟରେ ଶୁଣାଣି ହୋଇଛି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ମେ ୨୯କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ, ପୂର୍ବରୁ ହାଇକୋର୍ଟରେ ଦୀପକଙ୍କ ଜାମିନ ଆବେଦନ ୫ଥର ଖାରଜ ହୋଇଥିବାବେଳେ ସୁପ୍ରିମକୋର୍ଟ ମଧ୍ୟ ତାଙ୍କ ଜାମିନ ଆବେଦନ ପୂର୍ବରୁ ଅଗ୍ରାହ୍ୟ କରିଥିଲେ। ଏହାପରେ ପୁନର୍ବାର କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତରେ ଜାମିନ ପାଇଁ କରିଥିବା ଆବେଦନ ଖାରଜ ହେବା ପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ବହୁ ଚର୍ଚ୍ଚିତ ଉଲିବୁରୁ ଖଣି ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକଙ୍କୁ ୨୦୧୩, ସେପ୍ଟେମ୍ବର ୫ରେ ଭିଜିଲାନ୍ସ ଗିରଫ କରିଥିଲା।

୨୦୧୩, ଡିସେମ୍ବର ୩୧ରେ ହଜାର ହଜାର କୋଟି ଟଙ୍କାର ଉଲିବୁରୁ ଖଣି ଦୁର୍ନୀତି ମାମଲାରେ ଦୁର୍ନୀତି ନିବାରଣ ଆଇନର ଧାରା ୧୩(୨), ୧୩(୧)(ସି)(ଡି) ଓ ଆଇପିସିର ଦଫା ୧୨୦-ଖ, ୪୦୯, ୩୭୯, ୪୨୦, ୪୬୮, ୪୧୧ରେ ଦୀପକ୍‌ ଗୁପ୍ତା, ତାଙ୍କ ପରବାରର ୪ ଜଣ ସଦସ୍ୟ, ମୂଳ ଲିଜ୍‌ଧାରୀ ବି.କେ. ମହାନ୍ତିଙ୍କ ସମେତ ୨୫ ଜଣଙ୍କ ବିରୋଧରେ ଭିଜିଲାନ୍‌ସ୍‌ ପକ୍ଷରୁ କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନସ୍‌ ଅଦାଲତରେ ଚାର୍ଜସିଟ୍‌ ଦାଖଲ୍‌ କରାଯାଇଥିଲା। ୨୦୧୪, ଜୁନ୍‌ ୨୪ରେ ଭିଜିଲାନ୍ସ ଏହି ମାମଲାରେ ଚୂଡାନ୍ତ ଚାର୍ଜସିଟ୍‌ ଦାଖଲ କରିଥିଲା। ୨୦୧୭, ଜୁନ୍‌ ୫ରେ ଦୀପକ ଓ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫ୍ରେମ୍‌ ହୋଇଥିଲା। ଭିଜିଲାନ୍ସ ପକ୍ଷରୁ ସ୍ବତନ୍ତ୍ର ଭାବେ ନିଯୁକ୍ତ ବରିଷ୍ଠ ଆଇନଜୀବୀ ଏନ୍‌.ସି. ପାଣିଗ୍ରାହୀ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ସାଗର ରଂଜନ ପାଣିଗ୍ରାହୀ ତାଙ୍କୁ ସହାୟତା କରୁଛନ୍ତି।

ସମ୍ବନ୍ଧିତ ଖବର