ଫାଟକ ଷ୍ଟେସନ ଉଚ୍ଛେଦ ନକରିବାକୁ ଦାବି: ଅଶ୍ବିନୀଙ୍କ ପଦକ୍ଷେପକୁ ପ୍ରତୀକ୍ଷା, ବଢ଼ୁଛି ଅସନ୍ତୋଷ

ସମ୍ବଲପୁର: ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ନେଇ ଓଡ଼ିଶାବାସୀଙ୍କ ମନରେ ବହୁତ କିଛି ଆଶା ରହିଛି। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓଡ଼ିଶାର ବିଭିନ୍ନ ଅଂଚଳ ଗସ୍ତ କରି ରେଳ ଭିତ୍ତିଭୂମି ବିକାଶ ନେଇ ଲୋକଙ୍କ ସହିତ ଆଲୋଚନା କରୁଥିବା ବେଳେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ବେଶ୍ ଆଗ୍ରହ ଦେଖିବାକୁ ମିଳୁଛି। ସେ ମନ୍ତ୍ରୀ ହେବା ପରେ ଦୁଇ ଥର ପଶ୍ଚିମ ଓଡ଼ିଶା ଗସ୍ତରେ ଆସିଛନ୍ତି। ବଲାଂଗୀର, କଳାହାଣ୍ଡି, ବରଗଡ଼, ଝାରସୁଗୁଡ଼ା ଆଦି ଜିଲ୍ଲା ଗସ୍ତ ଅବସରରେ ସେ ତାଙ୍କର ମୂଲ୍ୟବାନ ସମୟ ଏଠାରେ ବିତାଇ ଲୋକଙ୍କ ସହିତ ରେଳ ଭିତ୍ତିଭୂମି ବିକାଶ ନେଇ ଆଲୋଚନା କରିଛନ୍ତି। ତାଙ୍କ ଉଭୟ ଥର ପଶ୍ଚିମ ଓଡ଼ିଶା ଗସ୍ତ ସମୟରେ ସେ ସମ୍ବଲପୁର ଆସିବା ନେଇ ଚର୍ଚ୍ଚା ହେଉଥିଲା। ଥରେ ତ ତାଙ୍କ ଗସ୍ତ କାର୍ଯ୍ୟକ୍ରମରେ ସମ୍ବଲପୁର ନାମ ବି ରହିଥିଲା।

ମାତ୍ର, କୌଣସି କାରଣରୁ ପରବର୍ତ୍ତୀ ସମୟରେ ଏଥିରେ ପରିବର୍ତ୍ତନ କରାଯାଇଥିଲା। ରେଳମନ୍ତ୍ରୀ ସମ୍ବଲପୁର ଆସିନଥିଲେ ହେଁ ସମ୍ବଲପୁରର ସଚେତନ ନାଗରିକମାନେ କିନ୍ତୁ ତାଙ୍କୁ ଭେଟିବା ପାଇଁ ଝାରସୁଗଡ଼ା, ବଲାଂଗୀର ଆଦି ସ୍ଥାନକୁ ଗସ୍ତ କରିଛନ୍ତି। ଫାଟକ ରେଳଷ୍ଟେସନ ଉଚ୍ଛେଦ ନକରିବା ପାଇଁ ଦାବିପତ୍ର ଦେଇଛନ୍ତି। ମାତ୍ର, ତାହା କାର୍ଯ୍ୟକାରୀ ହୋଇପାରି ନାହିଁ। ସମ୍ବଲପୁର ଜିଲ୍ଲାର ୪ଟି ବିଧାନସଭା ଆସନ ମଧ୍ୟରୁ ମର୍ଯ୍ୟାଦାଜନକ ସମ୍ବଲପୁର ଏବଂ ଜିଲ୍ଲାର ଶିଳ୍ପାଂଚଳ ବିଧାନସଭା କ୍ଷେତ୍ର ଭାବେ ପରିଗଣିତ ରେଂଗାଲି ଏବେ ବିଜେପି ବିଧାୟକଙ୍କ ଦଖଲ‌ରେ ରହିଛି। ସମ୍ବଲପୁର ଲୋକସଭା ସାଂସଦ ବି ବିଜେପିର। ଏହା ସତ୍ତ୍ବେ ରେଳମନ୍ତ୍ରୀ ମହାଶୟ ଏପର୍ଯ୍ୟନ୍ତ ସମ୍ବଲପୁର ଗସ୍ତରେ ଆସି ନାହାନ୍ତି। ବିଜେପି ବିଧାୟକ ଦ୍ବୟ ଅବଶ୍ୟ ଫାଟକ ଷ୍ଟେସନ ଉଚ୍ଛେଦର ପ୍ରତିବାଦ କରୁଥିବା ସଚେତନ ନାଗରିକ କମିଟି କର୍ମକର୍ତ୍ତାଙ୍କୁ ନେଇ ମନ୍ତ୍ରୀଙ୍କୁ ସାକ୍ଷାତ କରିବାରେ ସହାୟତା କରିଛନ୍ତି। ସମ୍ବଲପୁର ହେଉଛି ପଶ୍ଚିମ ଓଡ଼ିଶାର ପ୍ରମୁଖ ଜିଲ୍ଲା।

ରେଳବାଇ ଡିଭିଜନ ମୁଖ୍ୟାଳୟ ମଧ୍ୟ ସମ୍ବଲପୁରରେ ରହିଛି। ଅଂଚଳର ସର୍ବପୁରାତନ ରେଳଷ୍ଟେସନ ହେଉଛି ଫାଟକ ବା ସମ୍ବଲପୁର ରୋଡ ଷ୍ଟେସନ। ୧୨୯ ବର୍ଷର ଏହା ପୁରୁଣା‌ ଷ୍ଟେସନ। ଐତିହାସିକ ଗୁରୁତ୍ବବହନ କରୁଥିବା ଏଭଳି ଷ୍ଟେସନକୁ ନିଶ୍ଚିହ୍ନ କରିବା ପାଇଁ ରେଳବାଇ ଯୋଜନା କରୁଛି। ତେବେ, ଝାରସୁଗୁଡ଼ାରେ ସଚେତନ ନାଗରିକ କମିଟିର କର୍ମକର୍ତ୍ତାମାନ‌େ ରେଳମନ୍ତ୍ରୀଙ୍କୁ ସାକ୍ଷାତ ସମୟରେ ନୂଆ ଆଶା ସଂଚାର କରିଥିଲା। ଫାଟକ ଷ୍ଟେସନକୁ ‘ଐତିହ୍ୟ ଷ୍ଟେସନ’ ଭାବରେ ରଖିବାକୁ ତତ୍ପରତାର ସହ ବିଚାର କରାଯାଉଛି ବୋଲି ରେଳମନ୍ତ୍ରୀ ‌ସେତେବେଳେ କହିଥିଲେ। ତେବେ, ଫାଟକ ଷ୍ଟେସନକୁ ପୂର୍ବ ଭଳି କାର୍ଯ୍ୟକ୍ଷମ କରିବା ପ୍ରସଂଗରେ ସେ ଏହାର ସମୀକ୍ଷା କରିବ‌େ ବୋଲି ସେତେବେଳେ ମତବ୍ୟକ୍ତ କରିଥିଲେ।

କରୋନା କଟକଣା ହଟିବା ପରେ ରେଳସେବା ସ୍ବାଭାବିକ ହେବାରେ ଲାଗିଛି। ଫାଟକ ଷ୍ଟେସନଠାରୁ ମରାମତି ଆଳରେ ସାମୟିକ ଭାବରେ ଉଠାଇ ନିଆଯାଇଥିବା ଟିକଟ କାଉଣ୍ଟରକୁ ଅତି ଶୀଘ୍ର ପୁନଃ ସ୍ଥାପନ କରିବା, ଷ୍ଟେସନ ଠାରେ କୋରନା ପୂର୍ବରୁ ରହିଥିବା ସମସ୍ତ ଯାତ୍ରୀ ସୁବିଧା ସହ ସମସ୍ତ ଟ୍ରେନ୍ ରହିବା ବ୍ୟବସ୍ଥା କରିବାକୁ ସଚେତନ ନାଗରିକ କମିଟି ଦାବି ଦୋହରାଇଥିବା ବେଳେ ରେଳବାଇ ମନ୍ତ୍ରୀ କିନ୍ତୁ ଚୁପ୍ ରହିଛନ୍ତି। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଉପ‌ରେ ସଚେତନ ନାଗରିକ କମିଟି ଆଶା ରଖିଥିବା ବେଳେ ତାଙ୍କ ପଦ‌କ୍ଷେପ ବିଳମ୍ବ ହେଉଥିବାରୁ କମିଟି ଅସନ୍ତୋଷ ବ୍ୟକ୍ତ କରିଛି। ରେଳ ବିଭାଗ କେବଳ ନିଜର ଅହଂକାର ପାଇଁ କ୍ଷେତରାଜପୁର ଷ୍ଟେସନଠାରେ ସମସ୍ତ ଯାତ୍ରୀ ସୁବିଧା ବ୍ୟବସ୍ଥା କରି ଧୀରେ ଧୀରେ ଫାଟକ ଷ୍ଟେସନକୁ ଉଚ୍ଛେଦ କରିବାକୁ ଯୋଜନା କାର୍ଯ୍ୟକାରୀ କରୁଛି ବୋଲି କମିଟି ଅନୁଭବ କରିଛି। ତ‌େବେ, ଏହାକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି କହାଯାଇଛି।

ସମ୍ବନ୍ଧିତ ଖବର