ନିଜ ନିୟମକୁ ମାନୁନି ସଂସ୍କୃତି ବିଭାଗ, ପଦବି ପୂରଣରେ ମନମାନି

ଲଳିତ କଳା ଏକାଡେମିରୁ ନିୟମ ଭଙ୍ଗ ପ୍ରକ୍ରିୟା ଆରମ୍ଭ
ସଙ୍ଗୀତ ନାଟକ ଏକାଡେମି ସଚିବଙ୍କ କାର୍ଯ୍ୟକାଳ ବଢ଼ିଲା
ଓଡ଼ିଶୀ ଗବେଷଣା କେନ୍ଦ୍ରରେ ବି ଆରମ୍ଭ ହେଉନି ନିଯୁକ୍ତି ପ୍ରକ୍ରିୟା

ଭୁବନେଶ୍ବର : ନିଜ ନିୟମକୁ ନିଜେ ମାନିବାକୁ ପ୍ରସ୍ତୁତ ନୁହେଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ। ବିଭିନ୍ନ ଏକାଡେମିର ପଦପଦବିରେ ନିଯୁକ୍ତି ପାଇଁ କରାଯାଇଥିବା ନିୟମକୁ ମନଇଚ୍ଛା ଏବେ ମୋଡ଼ି ଦିଆଯାଉଛି। କୌଣସି ଯଥାର୍ଥ କାରଣ ନ ଥାଇ ମନଇଚ୍ଛା କାର୍ଯ୍ୟକାଳ ସମ୍ପ୍ରସାରଣ କରାଯାଉଛି ତ କାହାରିକୁ ସରକାର ସିଧାସଳଖ ନିଯୁକ୍ତି ଦେଉଛନ୍ତି। ପୁଣି ମାସ ମାସ ଗଡ଼ିଯାଉଥିଲେ ବି ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ କରୁ ନାହାନ୍ତି। ବାରମ୍ବାର ସଚିବ ବଦଳିକୁ ନେଇ ଅସ୍ଥିର ହୋଇପଡ଼ିଥିବା ସଂସ୍କୃତି ବିଭାଗରେ ଏପରି ବିଭ୍ରାଟ ଏବେ ଚର୍ଚ୍ଚାର ବିଷୟ ହୋଇଛି।

ସଂସ୍କୃତି ବିଭାଗ ଅଧୀନରେ ଥିବା ୪ଟି ଏକାଡେମି ଯଥା ସାହିତ୍ୟ ଏକାଡେମି, ଲଳିତ କଳା ଏକାଡେମି, ସଙ୍ଗୀତ ନାଟକ ଏକାଡେମି ଓ ଊର୍ଦୁ ଏକାଡେମି ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ବିଭିନ୍ନ ପଦବି ପୂରଣ ପାଇଁ ବିଭାଗ ପକ୍ଷରୁ ଦୁଇ ବର୍ଷ ତଳେ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଥିଲା। କୁହାଗଲା ଯେ ଏହି ପଦବିଗୁଡ଼ିକରେ ସରକାର ଆଉ ସିଧାସଳଖ ନିଯୁକ୍ତି ଦେବେନି। ବିଭାଗ ପକ୍ଷରୁ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇବ ଏବଂ ଯୋଗ୍ୟ ବ୍ୟକ୍ତିମାନଙ୍କ ଠାରୁ ଦରଖାସ୍ତ ଆହ୍ବାନ କରାଯିବ। ସରକାର ଏକ ଚୟନ କମିଟି ଗଠନ କରି ଆବେଦନକାରୀଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରିବେ। କମିଟି ଦ୍ବାରା ଚୟନ ହୋଇଥିବା ବ୍ୟକ୍ତିଙ୍କ ନାମ ମୁଖ୍ୟମନ୍ତ୍ରୀଙ୍କ ସ୍ବୀକୃତି ପାଇଁ ପଠାଯିବ। ମୁଖ୍ୟମନ୍ତ୍ରୀ ମୋହର ମାରିଲା ପରେ ତିନି ବର୍ଷ ପ‌ାଇଁ ଏହି ନିଯୁକ୍ତି ଦିଆଯିବ। ଊର୍ଦ୍ଦୁ ଏକାଡେମିର ସଚିବ, ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଓ ଅନ୍ୟ ତିନି ଏକାଡେମିର ସଭାପତି, ଉପସଭାପତି ଓ ସଚିବ ପଦବି ପାଇଁ ଏହି ବ୍ୟବସ୍ଥା ଲାଗୁ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଏହି ନୂଆ ପ୍ରକ୍ରିୟାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା। କାରଣ ଏହାଦ୍ବାରା ବିଭିନ୍ନ କ୍ଷେତ୍ରର ବରିଷ୍ଠ ଯୋଗ୍ୟ ବ୍ୟକ୍ତିମାନେ ନିଜ ଆଡ଼ୁ ଆବେଦନ କରିବେ ନାହିଁ ବୋଲି କିଛି ମହଲ ଯୁକ୍ତି ବାଢ଼ିଥିଲେ। କିନ୍ତୁ ସରକାର ନିଜ ନିଷ୍ପତ୍ତି‌ରେ ଅଟଳ ରହିଲେ। ଏହାଦ୍ବାରା ନିଯୁକ୍ତି ପ୍ରକ୍ରିୟା ସ୍ବଚ୍ଛ ଓ ଶୃଙ୍ଖଳିତ ହେବ ବୋଲି ସରକାର ପାଲଟା ଯୁକ୍ତି ବାଢ଼ିଲେ।

ଏହି ନୂଆ ବ୍ୟବସ୍ଥା ଅନୁଯାୟୀ ଗତ ବର୍ଷ ମେ’ ମାସରେ ସାହିତ୍ୟ ଏକାଡେମିର ତିନି, ସଙ୍ଗୀତ ଏକାଡେମିର ଦୁଇ, ଲଳିତ କଳା ଏକାଡେମିର ଦୁଇ ଓ ଊର୍ଦୁ ଏକାଡେମିର ଗୋଟିଏ ପଦବି ପୂରଣ କରାଯାଇଥିଲା। ହେଲେ ଘୋଷଣା ହେବାର କିଛି ମାସରେ ହିଁ ସଂସ୍କୃତି ବିଭାଗ ନିଜ ଦ୍ବାରା ପ୍ରସ୍ତୁତ ନିୟମକୁ ଭାଙ୍ଗିଦେଲା। ପୁଣି ଥରେ ପୂର୍ବ ପରି ସିଧାସଳଖ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଦିଆଗଲା। ଓଡ଼ିଶା ଲଳିତ କଳା ଏକାଡେମିରୁ ଏହି ନିୟମ ଭଙ୍ଗ ପ୍ରକ୍ରିୟା ଆରମ୍ଭ ହେଲା। ଏକାଡେମିର ସଭାପତି ଥିବା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ କାର୍ଯ୍ୟକାଳ ୨୦୨୧ ସେପ୍ଟମ୍ବର ୨୪ ତାରିଖରେ ଶେଷ ହେଲା। କିନ୍ତୁ ଏହି ପଦବି ପାଇଁ ବିଜ୍ଞାପନ ନ ବାହାରି ଶ୍ରୀ ପଟ୍ଟନାୟକଙ୍କୁ ସରକାର ସିଧାସଳଖ ତିନି ବର୍ଷ ପାଇଁ ନିଯୁକ୍ତି ଦେଲେ। ଏଠାରେ କାହିଁକି ନିଯୁକ୍ତିର ନୂଆ ନିୟମ ପାଳନ କରାଗଲା ନାହିଁ, ତାହାର ଠୋସ୍‌ ଉତ୍ତର ବିଭାଗ ପାଖରେ ନ ଥିଲା। ପ୍ରଶ୍ନ ଉଠୁଛି, ଯଦି ଲଳିତ କଳା ଏକାଡେମିରେ ସିଧାସଳଖ ନିଯୁକ୍ତି ହୋଇପାରିଲା, ତେବେ ସାହିତ୍ୟ ଓ ସଙ୍ଗୀତ ନାଟକ ଏକାଡେମିରେ ଏତେ ପ୍ରକ୍ରିୟା ଅନୁସରଣ କରାଯାଉଥିଲା କାହିଁକି?

tourmet.com

ଓଡ଼ିଶୀ ଗବେଷଣା କେନ୍ଦ୍ରରେ ମଧ୍ୟ ତଦ୍ରୁପ ସ୍ଥିତି। ୨୦୨୧ ଜୁନ୍ ମାସରେ ତତ୍‌କାଳୀନ ମୁଖ୍ୟ କାର୍ଯ୍ୟନିର୍ବାହୀ ସଙ୍ଗୀତା ଗୋସାଇଁଙ୍କ କାର୍ଯ୍ୟକାଳ ଶେଷ ହେଲା। କିନ୍ତୁ ତାହା ପୂର୍ବରୁ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ହେଲା ନାହିଁ। ଶ୍ରୀମତୀ ଗୋସାଇଁଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି କରାଗଲା। ଏହି ୬ ମାସରେ ମଧ୍ୟ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯାଇପାରିଲା ନାହିଁ। ପୁଣି ଜାନୁଆରି ମାସରେ ସଂସ୍କୃତି ବିଭାଗର ଯୁଗ୍ମ ସଚିବଙ୍କୁ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଏହା ମଧ୍ୟରେ ଦେଢ଼ ମାସ ବିତିଯାଇଥିଲେ ବି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ବିଭାଗର ସମୟ ହେଉ ନାହିଁ।

କେବଳ ଏହି ଦୁଇଟି କ୍ଷେତ୍ରରେ ନୁହେଁ, ବାରମ୍ବାର ସଂସ୍କୃତି ବିଭାଗ ନିଜ ଭୁଲକୁ ଦୋହରାଇ ଚାଲିଛି। ଏବେ ସଙ୍ଗୀତ ନାଟକ ଏକାଡେମିରେ ମଧ୍ୟ ସମାନ ଭୁଲ୍‌ ଦେଖିବାକୁ ମିଳିଛି। ଏକାଡେମିର ସଚିବ ପ୍ରବୋଧ ରଥଙ୍କ କାର୍ଯ୍ୟକାଳ ଗତ ଜାନୁଆରି ୩୧ ତାରିଖରେ ଶେଷ ହୋଇଛି। କିନ୍ତୁ ତାହା ପୂର୍ବରୁ ନୂଆ ସଚିବ ନିଯୁକ୍ତି ପାଇଁ କୌଣସି ପ୍ରକ୍ରିୟା ଆରମ୍ଭ କରାଗଲା ନାହିଁ। ଚଳିତ ମାସ ୧ ତାରିଖରେ ଶ୍ରୀ ରଥଙ୍କୁ ପରବର୍ତ୍ତୀ ସଚିବ ନିଯୁକ୍ତି ହେବା ପର୍ଯ୍ୟନ୍ତ ଦାୟିତ୍ବରେ ରହିବେ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି। ଏପରି ବିଚିତ୍ର ନିର୍ଦ୍ଦେଶନାମା ଆଲୋଚନାର ପ୍ରସଙ୍ଗ ପାଲଟିଛି।

ବ୍ୟବସ୍ଥାକୁ ସ୍ବଚ୍ଛ ଓ ଶୃଙ୍ଖଳିତ କରିବାର ଦ୍ବାହି ଦେଇ ସଂସ୍କୃତି ବିଭାଗ ନୂଆ ନିୟମ କରିଥିଲା। ପ୍ରଶ୍ନ ଉଠୁଛି, ଏବେ ନୂଆ ନିୟମକୁ ଭାଙ୍ଗି ବିଭାଗ କାହିଁକି ବିଶୃଙ୍ଖଳା ସୃଷ୍ଟି କରୁଛି? କାହାର ସ୍ବାର୍ଥ ପୂରଣ ପାଇଁ ବାରମ୍ବାର ନିଯୁକ୍ତି ପ୍ରକ୍ରିୟାକୁ ପଛକୁ ଠେଲି ଦିଆଯାଉଛି ? ଏହା ଦ୍ବାରା ବିଭାଗ ନିଜକୁ କେତେ ସ୍ବଚ୍ଛ ରଖିପାରୁଛି? ବିଭାଗର ଏପରି କାର୍ଯ୍ୟ ବେଶ୍‌ ରହସ୍ୟଜନକ ହୋଇପଡ଼ିଛି।

ସମ୍ବନ୍ଧିତ ଖବର