ଶିଶୁଭବନରେ ଖୋଲିଲା ନେଫ୍ରୋଲୋଜି ବିଭାଗ

କଟକ : କଟକସ୍ଥିତ ଶିଶୁଭବନରେ ନୋଫ୍ରୋଲୋଜି ବିଭାଗ ଖୋଲିଛି। ଏହି ବିଭାଗକୁ ଦୁଇଟି ଅତ୍ୟାଧୁନିକ ହେମୋ ଡାଏଲିସିସ୍ ମେସିନ୍ ଯୋଗାଇ ଦିଆଯାଇଛି। ଏଥିସହିତ, ନୂଆ ବିଭାଗରେ କିଡ୍‌ନୀ ରୋଗ ବିଶେଷଜ୍ଞ ପରୀକ୍ଷାମୂଳକ ଭାବେ ଚିକିତ୍ସା ଆରମ୍ଭ କରିଦେଇଛନ୍ତି। ଏଣିକି କିଡ୍‌ନୀ ରୋଗରେ ଆକ୍ରାନ୍ତ ଶିଶୁମାନଙ୍କୁ ଆଉ ରାଜ୍ୟ ବାହାରକୁ ଯିବାକୁ ପଡ଼ିବନି। ଆସନ୍ତା ମାର୍ଚ୍ଚ ୧୦ ତାରିଖ ‘ ବିଶ୍ବ କିଡ୍‌ନୀ ଦିବସ’ ଅବସରରେ ଏହି ବିଭାଗକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଶିଶୁଭବନ ପକ୍ଷରୁ ସୂଚନା ମିଳିଛି।

ରାଜ୍ୟପାଳଙ୍କ କୋଠା କୁହାଯାଉଥିବା ମେଡିକାଲ୍ ୱାର୍ଡ-୨ରେ ନେଫ୍ରୋଲୋଜି ବିଭାଗ ଖୋଲାଯାଇଛି। ଏଥିରେ ୧୪ଟି ଇନ୍‌ଡୋର୍ ବେଡ୍ ରହିଛି। ଏହାବାଦ୍ ଦୁଇଟି ଡାଏଲିସିସ୍ େବଡ୍‌ ରହିଛି। ପ୍ରାୟ ୩୦ ଲକ୍ଷ ଟଙ୍କା ବ୍ୟୟରେ ଦୁଇଟି ଅତ୍ୟାଧୁନିକ ହେମୋ ଡାଏଲସିସିସ୍ ମେସିନ୍ ରାଜ୍ୟ ସରକାର କିଣିଛନ୍ତି। ଏହି ନୂଆ ବିଭାଗ ପାଇଁ ଜଣେ କିଡ୍‌ନୀ ରୋଗ ବିଶେଷଜ୍ଞଙ୍କ ସହିତ ଜଣେ ଲେଖାଏଁ ଆସିଷ୍ଟାଣ୍ଟ ପ୍ରଫେସର୍‌, ସିନିଅର୍ ରେସିଡେଣ୍ଟସ୍‌ ଏବଂ ପିଜି ଛାତ୍ରଙ୍କୁ ନିୟୋଜିତ କରାଯାଇଛି। ସେମାନଙ୍କ ସହିତ ଆଟେଣ୍ଡାଣ୍ଟ, ନର୍ସଙ୍କୁ ସାମିଲ୍‌ କରାଯାଇଛି। ୮ ଘଣ୍ଟା ଲେଖାଏଁ ୩ଟି ପର୍ଯ୍ୟାୟରେ ୨୪ ଘଣ୍ଟିଆ ଚିକିତ୍ସା ସେବା ଯୋଗାଇ ଦିଆଯିବ। ଜାପାନ କୋଠାରେ ଏହି ବିଭାଗର ଏକ ଆଉଟ୍‌ଡୋର୍‌ ବି କାର୍ଯ୍ୟ ଆରମ୍ଭ କରିଛି। ଯେଉଁମାନେ ଗୁରୁତର ଅଛନ୍ତି, ସେମାନଙ୍କୁ ଇନ୍‌ଡୋର୍‌କୁ ସ୍ଥାନାନ୍ତର କରାଯାଉଛି।

ଶିଶୁଭବନରେ କିଡ୍‌ନୀ ରୋଗୀଙ୍କ ପାଇଁ କେବଳ ପେରିଟୋନାଲ୍‌ ଡାଏଲିସିସ ବା ପେଟା ଡାଏଲିସିସ୍ ପୂର୍ବରୁ କରାଯାଉଥିଲା। କିନ୍ତୁ ଅତ୍ୟାଧୁନିକ ଡାଏଲିସିସ୍ କୁହାଯାଉଥିବା ହେମୋ ଡାଏଲିସିସ୍‌ ବ୍ୟବସ୍ଥା ନଥିଲା।

ସମ୍ବନ୍ଧିତ ଖବର