ଦେବ ନାରାୟଣ ପଣ୍ଡା ମୃତ୍ୟୁ ମାମଲା: ପୁଣି ସମୟ ମାଗିଲେ ପୂର୍ବତନ ଜିଲ୍ଲାପାଳ

ପକ୍ଷ ରଖିଲେ ଅଭିଯୁକ୍ତଙ୍କ ଓକିଲ, ଫେବ୍ରୁଆରି ୨୦ରେ ପରବର୍ତ୍ତୀ ଶୁଣାଣି

ମାଲକାନଗିରି: ଦେବ ନାରାୟଣ ପଣ୍ଡା ମୃତ୍ୟୁ ମାମଲାରେ ମାଲକାନଗିରି ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର ହେବାପାଇଁ ପୁଣି ସମୟ ମାଗିଛନ୍ତି ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ। ଦେବ ନାରାୟଣ ପଣ୍ଡାଙ୍କ ପତ୍ନୀ ବନଜା ପଣ୍ଡା କୋର୍ଟରେ କରିଥିବା ମାମଲାର ଶୁଣାଣି ଆରମ୍ଭ ପରେ ସମସ୍ତ ତଥ୍ୟ ଓ ପ୍ରମାଣ ଦାଖଲ କରିଥିଲେ। ଏହାପରେ ବନଜାଙ୍କ ପକ୍ଷରୁ ସମସ୍ତ ସାକ୍ଷୀଙ୍କ ବୟାନ ରେକର୍ଡ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ, ସାକ୍ଷୀଙ୍କ ଜୀବନ ପ୍ରତି ବିପଦ ରହିଥିବା ଦର୍ଶାଇ ପ୍ରଥମେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିବାକୁ ବନଜା ନିବେଦନ କରିଥିଲେ। ଯାହାକୁ କୋର୍ଟ ଗ୍ରହଣ କରି ଆଜି (ଜାନୁଆରି ୨୪ତାରିଖ) ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ସହ ଅନ୍ୟ ୩ଜଣ ଅଭିଯୁକ୍ତ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ।

ତେବେ, ଆଜି ଶ୍ରୀ ଅଗ୍ରୱାଲ କୋର୍ଟରେ ହଜାର ହୋଇନଥିଲେ। ତାଙ୍କ ଓକିଲ ଯୁବରାଜ ପାରିକ, ଗୁପ୍ତ ମହାପାତ୍ର, ନୃସିଂହ ପ୍ରସାଦ ମହାନ୍ତି, ମୁସକାନ ଦେବନାଥ ପ୍ରମୁଖ କୋର୍ଟରେ ଉପସ୍ଥିତ ରହି ପକ୍ଷ ରଖିଥିଲେ। ମନୀଷ ଅଗ୍ରୱାଲଙ୍କ ନାମରେ ଯେଉଁ ନୋଟିସ୍‌ ପଠାଯାଇଛି, ସେଥିରେ ସର୍ଭିସ ପିଟିସନ୍‌ ନାହିଁ। ତେଣୁ ମନୀଷଙ୍କ ବିରୋଧରେ କ’ଣ ଅଭିଯୋଗ ରହିଛି ସ୍ପଷ୍ଟ ହୋଇପାରୁନି। କ’ଣ ଅଭିଯୋଗ ରହିଛି ଜଣାଇଲେ, ଅନ୍ୟ ଗୋଟିଏ ତାରିଖରେ ମନୀଷ କୋର୍ଟରେ ହାଜର ହେବେ ବୋଲି ଓକିଲ ଅନୁରୋଧ କରିଥିଲେ। ଯାହାକୁ କୋର୍ଟ ଗ୍ରହଣ କରିବା ସହ ଫେବ୍ରୁଆରି ୨୦ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି। ସେହିଦିନ ମନୀଷ ଅଗ୍ରୱାଲ ଏବଂ ଅନ୍ୟ ୩ଜଣ ଅଭିଯୁକ୍ତ କୋର୍ଟରେ ହଜାର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ୟପକ୍ଷରେ, ଅଭିଯୋଗକାରିଣୀ ବନଜା ପଣ୍ଡା ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଆଜି କୋର୍ଟରେ ହାଜର ହୋଇନଥିଲେ।

ସମ୍ବନ୍ଧିତ ଖବର