କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତିକୁ ନେଇ ଧର୍ମେନ୍ଦ୍ରଙ୍କ ଟୁଇଟ୍‌: ଜନଜାତି ଓ ଉପାନ୍ତ ଅଞ୍ଚଳର ଲୋକଙ୍କୁ ଉତ୍ତମ ମୋବାଇଲ ସେବା ମିଳିବ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ସଂକ୍ରାନ୍ତୀୟ ବୈଠକରେ ମାଓପ୍ରବଣ ଅଞ୍ଚଳରେ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ୨,୪୨୬ କୋଟି ବ୍ୟୟରେ ଓଡ଼ିଶା ସମେତ ଦେଶର ୧୦ଟି ରାଜ୍ୟର ୨,୩୪୩ଟି ୨ଜି ମୋବାଇଲ ସାଇଟକୁ ୪ଜିରେ ରୂପାନ୍ତରଣ କରିବା ପାଇଁ ନିଷ୍ପତି ନିଆଯାଇଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। କେନ୍ଦ୍ର କ୍ୟାବିନେଟ୍ ନିଷ୍ପତିକୁ ସ୍ୱାଗତ କରିବା ସହ ଶ୍ରୀ ପ୍ରଧାନ ଟୁଇଟ୍‌ କରିଛନ୍ତି ଯେ ଓଡ଼ିଶାର ୧୦ ଆକାଂକ୍ଷୀ ଜିଲ୍ଲା ସମେତ ୨୫ଟି ଜିଲ୍ଲାରେ ୨୫୬ଟି ମୋବାଇଲ ସାଇଟକୁ ୪ଜିରେ ରୂପାନ୍ତରଣ କରାଯିବ। ଏହା ଦ୍ୱାରା ଜନଜାତି ଓ ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣମାନେ ଉତ୍ତମ ମୋବାଇଲ ସେବା ପାଇବା ସହ ମୋବାଇଲ ମାଧ୍ୟମରେ ସରକାରୀ ଯୋଜନା, ଆର୍ଥିକ ସୁଯୋଗ ପାଇବା ସହ ବ୍ୟାଙ୍କିଂ, ଟେଲି ମେଡିସିନ, ଶିକ୍ଷାର ଲାଭ ପାଇପାରିବେ।

ସେହିପରି କ୍ଷୁଦ୍ର ବ୍ୟବସାୟୀଙ୍କୁ ଚାପ ମୁକ୍ତ କରିବା, ଜୀବନଜୀବିକା ସୁଯୋଗ ସୃଷ୍ଟି କରିବା, ଉଠା ଦୋକାନୀଙ୍କ ସାମାଜିକ ଆର୍ଥିକ ସଶକ୍ତିକରଣକୁ ସୁନିଶ୍ଚିତ କରିବା ସହ ୧.୨ କୋଟି କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସୁବିଧା ପ୍ରଦାନ କରିବା ଦିଗରେ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାକୁ ମାର୍ଚ୍ଚ ୨୦୨୨ରୁ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି । ଏହି ନିଷ୍ପତ୍ତି ଦ୍ୱାରା ବନ୍ଧକବିହୀନ ଋଣର ମୋଟ ପରିମାଣ ୮ ହଜାର ଶହେ କୋଟି ଟଙ୍କାକୁ ବୃଦ୍ଧି ହୋଇଛି । ଏହି ପଦକ୍ଷେପ ଦ୍ୱାରା ଉଠା ଦୋକାନୀମାନେ ନିଜର ବ୍ୟବସାୟକୁ ବଢ଼ାଇବା ସଙ୍ଗେସଙ୍ଗେ ନିଜେ ଆତ୍ମନିର୍ଭର ହେବାର ସୁଯୋଗ ପାଇପାରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର