ଢିଙ୍କିଆ ଘଟଣା: ଓଏଚ୍‌ଆର୍‌ସିରେ ୧୮ଜଣଙ୍କ ବିରୋଧରେ ଅଭିଯୋଗ

ଭୁବନେଶ୍ବର : ଢିଙ୍କିଆକୁ ସ୍ଥିତି ଅନୁଧ୍ୟାନ କରିବାକୁ ଯାଇଥିବା ମାନବାଧିକାର କର୍ମୀ ଦଳକୁ କିଛି ଗୁଣ୍ଡାଶ୍ରେଣୀୟ ଯୁବକ ଅଟକାଇବା, ଗାଳିଗୁଲଜ କରିବା ଓ ପୁଲିସ ସୁରକ୍ଷା ପ୍ରଦାନ ନ କରିବା ଆଦି ନେଇ ରାଜ୍ୟ ମାନବାଧିକାର କମିସନ (ଓଏଚ୍‌ଆର୍‌ସି)ଙ୍କ ନିକଟରେ ୧୮ଜଣଙ୍କ ବିରୋଧରେ ମାନବାଧିକାର କର୍ମୀ ପ୍ରଦୀପ୍ତ ନାୟକ ଏବଂ ବିଶ୍ବପ୍ରିୟ କାନୁନ୍‌ଗୋ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ଢିଙ୍କିଆ ଜନସାଧାରଣଙ୍କୁ ପୁଲିସ ମାଡ଼ ମାରିବା ଘଟଣା ବିଭିନ୍ନ ଗଣମାଧ୍ୟମରୁ ଜାଣିବା ପରେ ପ୍ରକୃତ ତଥ୍ୟର ଅନୁସନ୍ଧାନ ପାଇଁ ଗତ ୧୫ତାରିଖରେ ମାନବାଧିକାର କର୍ମୀ ଦଳ ଢିଙ୍କିଆ ଯାଇଥିଲେ। ତ୍ରିଲୋଚନପୁରରେ ସେମାନଙ୍କୁ ଅଟକାଯାଇଥିଲା। ଗୁଣ୍ଡାମାନେ ସେମାନଙ୍କୁ ଠେଲାପେଲା କରିବା ସହ ଅସତ୍‌ ବ୍ୟବହାର କରିଥିଲେ। ପାଖାପାଖି ଘଣ୍ଟାଏ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବା ପରେ ପିଏଚ୍‌ଡି ସ୍କଲାର୍‌ ସୁଜାତା ସାହାଣୀଙ୍କ ମୋବାଇଲ ମଧ୍ୟ ଛଡ଼ାଇବାକୁ ଚେଷ୍ଟା କରିଥିଲେ। ଏ ସମ୍ପର୍କରେ ସେମାନେ ଅଭୟଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ଢିଙ୍କିଆରେ ପୁଲିସ ଲାଠିମାଡ଼ରେ ୩୦୦ରୁ ଅଧିକ ମହିଳା, ପୁରୁଷ ଏବଂ ଶିଶୁମାନେ ଆହତ ହୋଇଛନ୍ତି। ବର୍ତ୍ତମାନ ମଧ୍ୟ ସେମାନେ ବିଭିନ୍ନ ପ୍ରକାର ଧମକ-ଚମକର ଶିକାର ହେଉଛନ୍ତି। କେତେକଙ୍କୁ ପୁଲିସ ବେଆଇନ ଭାବରେ ଗିରଫ କରିଛି। ଢିଙ୍କିଆରେ ପୁଲିସ ଫ୍ଲାଗମାର୍ଚ ମଧ୍ୟ ଲୋକଙ୍କୁ ଡରାଇବା ପାଇଁ କରାଯାଇଛି।

ସମ୍ବନ୍ଧିତ ଖବର