ଅସରାଏ ବର୍ଷାରେ ରାସ୍ତାରେ ଲହଡ଼ି ମାରୁଛି ନର୍ଦ୍ଦମା ପାଣି, ଲୋକେ ହନ୍ତସନ୍ତ

ରଣପୁର : ଅସରାଏ ବର୍ଷା ହେଲେ ରଣପୁର ବଡ଼ଦାଣ୍ତରେ ନର୍ଦ୍ଦମା ପାଣି ଲହଡ଼ି ମାରୁଥିବା ଦେଖିବାକୁ ମିଳିଛି। ତେବେ ମଙ୍ଗଳବାର ସନ୍ଧ୍ୟାରେ ଲଘୁଚାପଜନୀତ ପ୍ରବଳ ବର୍ଷାରେ ବଡ଼ଦାଣ୍ତ, ଜଗନ୍ନାଥ ବଜାର, ଶାମୁକାସାହି, ଭଣ୍ତାରୀସାହି, ହାଟସାହି ଓ ମୋଚିସାହି ମୁଖ୍ୟ ରାସ୍ତା ନର୍ଦ୍ଦମା ପାଣିରେ ଲହଡ଼ି ମାରୁଥିବା ବେଳେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ଜଣାଯାଇଛି। ସୂଚନା ଥାଉକି, ନବଗଠିତ ରଣପୁର ବିଜ୍ଞାପିତ ଅଞ୍ଚଳରେ କୌଣସି ଗୋଟିଏ ହେଲେ ବି ବ୍ୟବସ୍ଥା ଠିକ୍ ରୂପେ ଚାଲୁନଥିବା ଜଣାଯାଇଛି। ବିଶେଷ କରି ପରିମଳ ଯୋଜନା ସଂପ୍ରତି ବର୍ଷା ଋତୁରେ ଲୋକମାନଙ୍କ କଷ୍ଟକୁ ଦ୍ବିଗୁଣିତ କରିପକାଇଛି। ବିଜ୍ଞାପିତ ଅଞ୍ଚଳର ଉପରୋକ୍ତ ପ୍ରମୁଖ ରାସ୍ତାକୁ ସଂଯୋଗ କରୁଥିବା ଅନେକ ଡ୍ରେନ୍‌ ଗ୍ରୀଷ୍ମ ଋତୁରେ ସଫା ନହେବାରୁ ପାହାଡ଼ ପାଣି ଡ୍ରେନରେ ନଯାଇ ପ୍ରମୁଖ ରାସ୍ତା ଉପରେ ବୋହି ଯାଉଛି। ସେହିପରି ଡ୍ରେନ୍‌ରେ ଥିବା ନର୍ଦ୍ଦମା ପାଣି ରାସ୍ତା ଉପରକୁ ଉଠିଯିବାରୁ ଏବଂ କିଛି ନ୍ୟସ୍ତ ସ୍ବାର୍ଥ ଲୋକ ଘରର ଆବର୍ଜନା ମଇଳା ପାଣିକୁ ରାସ୍ତା ଉପରେ ଛାଡ଼ିଦେବାରୁ ଏଭଳି ଦୁଷିତ ପରିବେଶ ସୃଷ୍ଟି କରୁଛି। ଅପରପକ୍ଷେ ପୁତ୍ତିଗନ୍ଧମୟ ଓ ଅସ୍ବାସ୍ଥ୍ୟକର ପରିବେଶ ଯୋଗୁ ଲୋକେ ନାନାଦି ରୋଗରେ ଆକ୍ରାନ୍ତ ହେଉଛନ୍ତି। ତେବେ ଏସବୁ ଅଞ୍ଚଳରେ ପ୍ରତିକାର ବ୍ୟବସ୍ଥା କରାଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ଅର୍ଚ୍ଚନା ନାୟକ କହିଛନ୍ତି। ତୁରନ୍ତ ଏହାର ପ୍ରତିକାର କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

ସମ୍ବନ୍ଧିତ ଖବର