ଝାଡ଼ଖଣ୍ଡୀ ହାତୀଙ୍କୁ ତଡ଼ିଲେ ଓଡ଼ିଶା ହାତୀପଲ, ହାତୀ ଲଢ଼େଇରେ ଓଡ଼ିଶାର ବିଜୟ

କୁତ୍ରା : ଜଙ୍ଗଲରେ ପ୍ରାଣୀଙ୍କ ମଧ୍ୟରେ ଲଢ଼େଇ ସାଧାରଣ କଥା। କିନ୍ତୁ ଜଙ୍ଗଲ ବାହାରେ ଦୁଇ ରାଜ୍ୟର ହାତୀପଲଙ୍କ ମଧ୍ୟରେ ଲଢ଼େଇ ଚର୍ଚ୍ଚାର ବିଷୟ ହୋଇଛି। ଆଉ ଏହି ଲଢ଼େଇରେ ଓଡ଼ିଶା ହାତୀଦଳ ବିଜୟୀ ହେବା ସହ ଝାଡ଼ଖଣ୍ଡ ହାତୀପଲଙ୍କୁ ତଡ଼ି ଦେଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଅଞ୍ଚଳରେ ହାତୀପଲଙ୍କ ଏଭଳି ଲଢ଼େଇ ଲୋକଙ୍କୁ ଆମୋଦିତ କରିବା ସହ କଷ୍ଟ ବି ଦେଇଛି। କାରଣ ହାତୀଙ୍କ ଲଢ଼େଇରେ ଚାଷୀଙ୍କ ବ୍ୟାପକ କ୍ଷତି ହୋଇଛି। ଦୁଇ ହାତୀପଲ ଏକର ଏକର ପାଚିଲା ଧାନକୁ ଦଳି ଚକଟି ଦେଇଥିବା ଜଣାପଡ଼ିଛି।

କୁତ୍ରା ବ୍ଲକରେ ବଣୁଆ ହାତୀ ଆତଙ୍କ ଥମିବାର ନାଁ ଧରୁନାହିଁ। କିଛିଦିନ ପୂର୍ବେ ହାତୀପଲ ବଡଗାଁ ରେଞ୍ଜ ଅନ୍ତର୍ଗତ ଗଙ୍ଗାଜଳ ନିକଟରେ ବିଜୁ ଏକ୍ସପ୍ରେସ୍‌ ୱେ ନିକଟରେ ଦିନ ତମାମ୍ ଉତ୍ପାତ କରିବାରୁ ଦୀର୍ଘ ସମୟ ଧରି ଏହି ରାସ୍ତା ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା। ଗତକାଲି କିନ୍ତୁ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଓଡ଼ିଶା ହାତୀପଲର ୨୫ଟି ହାତୀ ଜୁରାଜାମ ପାହାଡ଼ରୁ ଓହ୍ଲାଇ ସିଆଲଯୋର ନିକଟରେ ପହଞ୍ଚିବା ପରେ ସେଠାରେ ଝାଡ଼ଖଣ୍ଡ ହାତୀପଲର ୨୩ଟି ହାତୀଙ୍କ ସହ ସେମାନଙ୍କର ଭୟଙ୍କର ଲଢ଼େଇ ହୋଇଥିଲା। ପ୍ରାୟ ଘଣ୍ଟାଏ ଧରି ହାତୀଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧ ହୋଇଥିଲା। ଏହି ସମୟରେ ଉଭୟ ହାତୀପଲଙ୍କ ଗର୍ଜନରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ଓଡ଼ିଶା ହାତୀପଲ ଝାଡ଼ଖଣ୍ଡୀ ହାତୀଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରୁଥିବା ଦେଖିବାକୁ ମିଳିଥିଲା। ଲଢେଇ ଶବ୍ଦ ଶୁଣିବା ପରେ ତୁନମୁରା, ଅଟୋମୁଣ୍ଡା ଓ ସିଆଲଯୋରର ଲୋକେ ବାଣ ଫୁଟାଇ ଓ ନିଆଁ ଜାଳି ଘଉଡାଇବା ଯୋଗୁଁ ଉଭୟ ହାତୀପଲ ବିପରୀତ ଦିଗରେ ଚାଲି ଯାଇଥିଲେ। ହାତୀପଲଙ୍କ ମଧ୍ୟରେ ଲଢେଇରେ ସିଆଲଯୋର ଗାଁର ବହୁ ଚାଷୀଙ୍କର ବ୍ୟାପକ ଫସଲ ନଷ୍ଟ ହୋଇଛି। ଉଭୟ ହାତୀପଲ ଜୁରାଜାମ ପାହାଡରୁ ଓହ୍ଲାଇ ବାରମ୍ବାର ଗାଁମୁହାଁ ହେଉଥିବାରୁ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର