ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ଓ ନିର୍ମାଣ ବିବାଦ ମାମଲା: ମେ ୧୬ ପରିବର୍ତ୍ତେ ୯ରେ ହେବ ଶୁଣାଣି

ଦୁଇଦିନ ପୂର୍ବରୁ ଏଏସ୍‌ଆଇକୁ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ବରେ ବେଆଇନ ଖନନ ଓ ନିର୍ମାଣ ଅଭିଯୋଗ ସଂପର୍କିତ ମାମଲାର ଶୁଣାଣି ମେ ୯ରେ ହେବ। ଆଜି ଏ ନେଇ ହାଇକୋର୍ଟ ସାନି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଏପ୍ରିଲ ୨୧ରେ ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍‌ଆଇ)କୁ ସତ୍ୟପାଠ ଦାଖଲ ପାଇଁ ଦୁଇ ସପ୍ତାହ ମହଲତ ପ୍ରଦାନ କରିବା ସହିତ ପରବର୍ତ୍ତୀ ଶୁଣାଣି ମେ ୧୬କୁ ଧାର୍ଯ୍ୟ କରିଥିଲେ। ଆଜି ଆବେଦନକାରୀଙ୍କ ନିବେଦନକ୍ରମେ ହାଇକୋର୍ଟ ମାମଲାର ଶୁଣାଣି କରିଥିଲେ। ପୂର୍ବ ନିର୍ଦ୍ଦେଶ ଅନୁସାରେ ନିର୍ମାଣ କାର୍ଯ୍ୟ ଚାଲିଥିବା ସ୍ଥାନର ଏଏସ୍‌ଆଇ ଯୁଗ୍ମ ଅନୁଧ୍ୟାନ କରିବ ବୋଲି ହାଇକୋର୍ଟ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମେ ୯କୁ ଧାର୍ଯ୍ୟ କରାଯାଇଛି। ପରବର୍ତ୍ତୀ ଶୁଣାଣିର ଦୁଇ ଦିନ ପୂର୍ବରୁ ଏଏସଆଇ ସତ୍ୟପାଠ ଦାଖଲ କରିବ ବୋଲି ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଦିଲ୍ଲୀପ କୁମାର ବରାଳଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏପ୍ରିଲ ୮ରେ ହାଇକୋର୍ଟ ମାମଲାର ଶୁଣାଣି କରି ଏଏସଆଇକୁ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଚାଲିଥିବା ନିର୍ମାଣ କାର୍ଯ୍ୟର ଯୁଗ୍ମ ଅନୁଧ୍ୟାନ ଏଏସଆଇ କରିବ ବୋଲି ହାଇକୋର୍ଟ କହିଥିଲେ। ଶ୍ରୀମନ୍ଦିର ପ୍ରଶାସନକୁ ଆଗୁଆ ଅବଗତ କରି ଏଏସଆଇ ଯୁଗ୍ମ ଅନୁଧ୍ୟାନ କରି ପାରିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଥିଲେ। ଏହାପରେ ଏପ୍ରିଲ ୨୧ରେ ମାମଲାର ଶୁଣାଣି ସମୟରେ ସତ୍ୟପାଠ ଦାଖଲ ପାଇଁ ଏଏସଆଇ ତରଫରୁ ଅଧିକ ସମୟ ଲୋଡ଼ାଯାଇଥିଲା। ଏଥିସହିତ ନିର୍ମାଣ କାର୍ଯ୍ୟ ଚାଲିଥିବା ସ୍ଥାନର ଯୁଗ୍ମ ଅନୁଧ୍ୟାନ ଏ ପର୍ଯ୍ୟନ୍ତ କରାଯାଇ ନାହିଁ ବୋଲି ଏଏସଆଇ ତରଫରୁ ଦର୍ଶାଯାଇଥିଲା। ହାଇକୋର୍ଟ ଦୁଇ ସପ୍ତାହ ଭିତରେ ଏଏସଆଇକୁ ସତ୍ୟପାଠ ଦାଖଲ କରିବାକୁ କହିଥିଲେ। ଏଥିସହିତ ଯୁଗ୍ମ ଅନୁଧ୍ୟାନ ପାଇଁ ହାଇକୋର୍ଟ ପୁଣି କହିଥିଲେ।। ମାମଲାର ପରବର୍ତ୍ତୀ ଶୁଣାଣି ମେ ୧୬ରେ କରିବା ପାଇଁ ହାଇକୋର୍ଟ ଏପ୍ରିଲ ୨୧ରେ ନିର୍ଦ୍ଦେଶ ଦେଇଥିଲେ। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଅନୁପ କୁମାର ମହାପାତ୍ର ଓ ବୁନ୍ଦୁସାର ସୁବୁଦ୍ଧି ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର