ଖୋଲୁଛି ନକଲି ଡାକ୍ତର ରମେଶର ପ୍ରେମ ପେଡ଼ି: ବଢ଼ି ବଢ଼ି ଚାଲିଛି ପତ୍ନୀଙ୍କ ସଂଖ୍ୟା, ୧୭ରେ ପହଞ୍ଚିଲା

ଗୌହାଟୀରେ ଡାକ୍ତରାଣୀ, ଭିଲାଇରେ ଚାଟାର୍ଡ ଆକାଉଣ୍ଟାଣ୍ଟକୁ କରିଥିଲା ବିବାହ
ଆହୁରି ୧୦ରୁ ଅଧିକ ମହିଳାଙ୍କ ସହ ଯୋଗାଯୋଗରେ ଥିଲା
ସରଜମିନ୍ ତଦନ୍ତ ପାଇଁ ଗଢ଼ା ହେଲା ସ୍ବତନ୍ତ୍ର ଟିମ୍
ଯେତେ ଖୋଳିଲେ ସେତେ ବାହାରୁଛି

ଭୁବନେଶ୍ବର : ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ବାଇଁର ପ୍ରେମ ପେଡ଼ି ଖୋଲିବାରେ ଲାଗିଛି। ଗତକାଲି ସୁଦ୍ଧା ୧୪ ଜଣ ମହିଳାଙ୍କୁ ବିବାହର ସନ୍ଧାନ ପାଇଥିବା କମିସନରେଟ ପୁଲିସ ଆଜି ଆଉ ୩ ଜଣଙ୍କ ସମ୍ପର୍କରେ ସୂଚନା ପାଇଛି। ରମେଶର ପତ୍ନୀ ସଂଖ୍ୟା ଏବେ ସୁଦ୍ଧା ୧୭ରେ ପହଞ୍ଚିଛି। ମହିଳାମାନେ ବେଶ୍ ସମ୍ଭ୍ରାନ୍ତ ଶ୍ରେଣୀର ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଆଜି ଯେଉଁ ୩ ମହିଳାଙ୍କ ସମ୍ପର୍କରେ ଖବର ମିଳିଛି ସେମାନଙ୍କ ଭିତରୁ ଗୌହାଟୀର ଡାକ୍ତରାଣୀ, ଛତିଶଗଡ଼ ଭିଲାଇର ଚାଟାର୍ଡ ଆକାଉଣ୍ଟାଣ୍ଟ ଓ ଢେଙ୍କାନାଳର ଅଧ୍ୟାପିକା ରହିଛନ୍ତି। ପୁଲିସ ସେମାନଙ୍କ ସହ ଯୋଗାଯୋଗ ମଧ୍ୟ କରିଛି। ଥାନାରେ ଅଭିଯୋଗ କରିବା ପାଇଁ ପରାମର୍ଶ ଦେଇଛି।

ତେବେ ଏତିକିରେ ସରିନି ରମେଶର ଠକେଇ ଗୁମର। ତା’ ମୋବାଇଲ ଫୋନ୍ ଯାଞ୍ଚ ପରେ ପୁଲିସ ହାତରେ ଲାଗିଛି ଚାଞ୍ଚଲ୍ୟକର ତଥ୍ୟ। ଏବେ ସୁଦ୍ଧା ତଦନ୍ତକାରୀ ଟିମ୍ ହାତରେ ଲାଗିଥିବା ତଥ୍ୟ ଅନୁସାରେ ଆହୁରି ୧୦ରୁ ଅଧିକ ସମ୍ଭ୍ରାନ୍ତ ଶ୍ରେଣୀର ମହିଳାଙ୍କ ସହ ଯୋଗାଯୋଗରେ ଥିଲା। ସେମାନଙ୍କୁ ପ୍ରେମ ଜାଲରେ ଫସାଇ ସମ୍ପର୍କ ରଖିଥିଲା। ନିୟମିତ ଚାଟିଂ କରୁଥିଲା। ଖୁବଶୀଘ୍ର ବିବାହ କରିଥାନ୍ତା ବୋଲି ଜଣାପଡ଼ିଛି। ଜଗତସିଂହପୁର ଅଞ୍ଚଳର ଜଣେ ଛାତ୍ରଙ୍କୁ ଏମବିବିଏସ୍ ଆଡମିସନ କରାଇବା ନାଁରେ ରମେଶ ୧୮ ଲକ୍ଷ ଟଙ୍କା ଠକି ନେଇଥିବା ପୁଲିସ ଜାଣିବାକୁ ପାଇଛି। ସମ୍ପୃକ୍ତ ଛାତ୍ରଙ୍କ ପରିବାର ସହ ଆଜି ତଦନ୍ତକାରୀ ଟିମ୍ ଯୋଗାଯୋଗ କରିଛି। ଆଜି(ଗୁରୁବାର) ଛାତ୍ରଙ୍କ ପରିବାର ଭୁବନେଶ୍ବରରେ ପହଞ୍ଚି ଠକେଇ ସଂକ୍ରାନ୍ତରେ ଲିଖିତ ଅଭିଯୋଗ କରିବେ ବୋଲି ଜଣେ ଅଧିକାରୀ କହିଛନ୍ତି।

ଠକେଇର ଗୁମର ବଢ଼ି ବଢ଼ି ଚାଲିଥିବାରୁ ତନାଘନା ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି। ମହିଳା ଥାନା ଆଇଆଇସି, ୨ ସବ୍‌ଇନ୍ସପେକ୍ଟର ଓ ଜଣେ କାଉନ୍‌ସେଲର ରହିଛନ୍ତି। ଯେଉଁମାନଙ୍କ ସହ ରମେଶ ଯୋଗାଯୋଗ କରିଛି, ଯେଉଁମାନଙ୍କ ଠକିଛି ସେମାନଙ୍କୁ ଟିମ୍ ଯୋଗାଯୋଗ କରି ଘଟଣା ସଂକ୍ରାନ୍ତରେ ଅଧିକ ଖୋଳତାଡ଼ କରିବ ବୋଲି ଜଣାପଡ଼ିଛି। ସେହିପରି ଠକେଇ କରିବା, ମହିଳାଙ୍କ ଇଜ୍ଜତ ସହ ଖେଳିବା ଭଳି ସଂଗିନ ଘଟଣାରେ ଦଫା ଲଗାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର