ନକଲି ଝାଡ଼ଖଣ୍ଡ ବିଦେଶୀ ମଦ ଚୋରାଚାଲାଣ ବେଲଗାମ, ୩ ଚୋରା ପଥ ଦେଇ ସହରକୁ ଆସୁଛି ମଦ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ନକଲି ଦେଶୀ ମଦ କାରବାର ଉପରେ ଅଙ୍କୁଶ ଲାଗିପରିନଥିବାବେଳେ ଏବେ ନକଲି ବିଦେଶୀ ମଦର ବନ୍ୟା ଛୁଟିଲାଣି। ବିଶେଷକରି ରାଉରକେଲା ଓ ଉପକଣ୍ଠ ଅଞ୍ଚଳରେ ଏହି ବେପାର ବେଗ ଧରିଛି। ପୂର୍ବରୁ ଜିଲ୍ଲାକୁ ଛତିଶଗଡ଼ ଓ ଝାଡ଼ଖଣ୍ଡର ଟିକସି ଫାଙ୍କି ବିଦେଶୀ ମଦ ଚୋରାଚାଲାଣ ହେଉଥିଲା। ଏବେ କିନ୍ତୁ ଅରୁଣାଚଳ ପ୍ରଦେଶରୁ ଏଭଳି ନକଲି ମଦ ରାଉରକେଲାକୁ ଆସୁଥିବା ସନ୍ଦେହ ପ୍ରକାଶ ହୁଏ। ଦିନକ ପୂର୍ବେ ଅବକାରୀ ପୁଲିସ ଜବତ କରିଥିବା ବିଦେଶୀ ମଦ ବୋତଲରେ ଅରୁଣାଚଳ ପ୍ରଦେଶ ପାଇଁ ବିକ୍ରି ଯୋଗ୍ୟ ଉଲ୍ଲେଖ ହୋଇଥିଲା। ସେହିଭଳି ଗତ ଫେବ୍ରୁଆରୀ ମାସରେ ମଧ୍ୟ ଅରୁଣାଚଳ ପ୍ରଦେଶ ଉଲ୍ଲେଖ ଥିବା ନକଲି ବିଦେଶୀ ମଦ ଜବତ ହୋଇଥିଲା। ପ୍ରକୃତରେ ଏହି ମଦ ଅରୁଣାଚଳ ପ୍ରଦେଶରୁ ଚୋରାଚାଲାଣ ହେଉଛି ନା ଝାଡ଼ଖଣ୍ଡରେ ତିଆରି କରି କେବଳ ଲେବଲ୍‌ ପରିବର୍ତ୍ତନ କରାଯାଉଛି, ସେନେଇ ଅଧିକ ତଦନ୍ତର ଆବଶ୍ୟକତା ରହିଛି।

ପୂର୍ବରୁ କେବଳ ଛତିଶଗଡ଼-ଝାଡ଼ଖଣ୍ଡରୁ ନକଲି ବିଦେଶୀ ମଦ ଚୋରାଚାଲାଣ ହେଉଥିଲା। ଛତିଶଗଡ଼ ତୁଳନାରେ ଝାଡ଼ଖଣ୍ଡରୁ ଅଧିକ ତଥା ନିୟମିତ ବ୍ୟବଧାନରେ ରାଉରକେଲାକୁ ମଦ ଚୋରାଚାଲାଣ ହେଉଛି। ଏବେ ଅରୁଣାଚଳ ପ୍ରଦେଶରୁ ମଦ ଚେରାଚାଲାଣ ହେଉଥିବା ଖବର ପ୍ରଶାସନର ଚିନ୍ତା ବଢ଼ାଇଦେଇଛି। ତେବେ ସତରେ ଅରୁଣାଚଳ ପ୍ରଦେଶରୁ ଚାଲାଣ ହେଉଛି ନା କେବଳ ଲେବଲ୍‌ ବଦଳାଇ ଝାଡ଼ଖଣ୍ଡରେ ତିଆରି ହେଉଛି, ସେନେଇ ସ୍ପଷ୍ଟ ହୋଇନାହିଁ। ଏନେଇ ଦୁଇଟି ସୂଚନା ମିଳିଛି। ପ୍ରଥମ ସୂଚନା ଅନୁସାରେ, ଅରୁଣାଚଳ ପ୍ରଦେଶରୁ ଆସାମ, ପଶ୍ଚିମବଙ୍ଗ-ଝାଡ଼ଖଣ୍ଡକୁ ଅଣାଯାଉଥିବା କୁହାଯାଉଛି। ଦ୍ବିତୀୟ ସୂଚନା ଅନୁସାରେ, ପୂର୍ବଭଳି ଝାଡ଼ଖଣ୍ଡରେ ହିଁ ନକଲି ବିଦେଶୀ ମଦ ତିଆରି ଠିପିରେ ଅରୁଣାଚଳ ପ୍ରଦେଶ ଲେବଲ୍‌ ଦିଆଯାଉଛି।

ସୂଚନାଯୋଗ୍ୟ, ଝାଡ଼ଖଣ୍ଡରେ ନକଲି ବିଦେଶୀ ତିଆରି ଓ ରାଉରକେଲା ଓ ଆଖପାଖ ଅଞ୍ଚଳକୁ ଚୋରାଚାଲାଣ କରିବାର ଇତିହାସ ଢ଼େର୍‌ ପୁରୁଣା। ରାଉରକେଲାର ମାଫିଆମାନେ ଝାଡ଼ଖଣ୍ଡରୁ ବୋତଲ ପିଛା ମାତ୍ର ୧୦୦/୧୫୦ ଟଙ୍କାରେ କିଣି ରାଉରକେଲାରେ ତାକୁ ଅପମିଶ୍ରଣ କରି ୭/୮ ଶହ ଶଙ୍କାରେ ବିକ୍ରି କରୁଛନ୍ତି। ସେଠାକାର ମାଫିଆଙ୍କ ଜରିଆରେ ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡର ସିମେଡଗା ଜିଲ୍ଲାର ବିଭିନ୍ନ ସୀମାବର୍ତ୍ତୀ ଅଞ୍ଚଳରେ ମଦକୁ ରଖାଯାଉଛି। ସେଠାରୁ ପିକଅପ୍‌ ଯୋଗେ ତିନୋଟି ରାସ୍ତା ଦେଇ ରାଉରକେଲାକୁ ମଦ ଅଣାଯାଉଛି। ଏହି ତିନୋଟି ରାସ୍ତା ହେଲା,- ବୀରମିତ୍ରପୁର ଚେକ୍‌ ଗେଟ୍‌, ଝାଡ଼ଖଣ୍ଡ-ଜରୈକେଲା-ବିଶ୍ରା ରାସ୍ତା ଏବଂ ଝାଡ଼ଖଣ୍ଡ-ଜରୈକେଲା-ଏନ୍‌ଆଇଟି ପାଖ ରାସ୍ତା। ଏହି ମଦକୁ ଚାନ୍ଦିପୋଷ ଥାନା ଅନ୍ତର୍ଗତ ତାମଡ଼ା ସମେତ ଜଲଦା, ଲୁଙ୍ଗେଇ, ବିରକେରା, ଖଇରବନ୍ଧ ଆଖପାଖ ଅଞ୍ଚଳରେ ଗଚ୍ଛିତ କରି ରଖାଯାଉଛି। ସେଠାରୁ ରାଉରକେଲା ଓ ଆଖପାଖରେ ଥିବା ଢ଼ାବା, ଖୁଚୁରା ମଦ ବେପାରିଙ୍କୁ ବିକ୍ରି କରାଯାଉଛି।

ସମ୍ବନ୍ଧିତ ଖବର