କାହା ପାଇଁ ଫାଣ୍ଡି, ଥାନା ଓ ଏସ୍‌ପି କାର୍ଯ୍ୟାଳୟ? ମାମଲା ରୁଜୁ ପାଇଁ ଆଇଜିଙ୍କ ଯାଏ କଥା ଗଲା

ବାଲେଶ୍ବର: ଜଣେ ଅଭିଯୋଗକାରୀ ତାଙ୍କ ଅଭିଯୋଗ ନେଇ ୨ ମାସ ପର୍ଯ୍ୟନ୍ତ ଫାଣ୍ଡି ଠାରୁ ଆରମ୍ଭ କରି ଥାନା ଓ ଏସ୍‌ପିଙ୍କ କାର୍ଯ୍ୟାଳୟ ଦୌଡ଼ିଲେ। ‌ପୁଲିସ ଘଟଣା ସମ୍ପର୍କରେ କିଛି ବୁଝିବା ଦୂରର କଥା ଅଭିଯୋଗର ପଞ୍ଜୀକରଣ ମଧ୍ୟ କଲେ ନାହିଁ। ଶେଷରେ ଆଇଜିଙ୍କ କାନକୁ ଏ ବାବଦରେ କଥା ନେବା ପରେ ଏବେ ବାବୁଙ୍କର ନିଦ ଭାଙ୍ଗିଛି ଏବଂ ୨ ମାସ ପରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଆଇଜିଙ୍କ ପର୍ଯ୍ୟନ୍ତ କଥା ଗଲେ ଯଦି କାମ ହେଉଛି, ତାହେଲେ ସ୍ଥଳ ବିଶେଷରେ ଲୋକଙ୍କ ସମସ୍ୟା ବୁଝିବାକୁ ଥିବା ଫାଣ୍ଡି, ଥାନା ଓ ଏସ୍‌ପିଙ୍କ କାର୍ଯ୍ୟାଳୟ କାହା ପାଇଁ ଉଦ୍ଦିଷ୍ଟ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଘଟଣାକ୍ରମରେ ଖନ୍ତାପଡ଼ା ଥାନା ଗୋପାଳପୁର ଫାଣ୍ଡି ଅଧୀନ ଦେବେନ୍ଦ୍ରପୁର ଗ୍ରାମର ହରିଶଙ୍କର ପାଣିଗ୍ରାହୀ (୩୭)ଙ୍କର ନାମରେ ଥିବା ଏକ ଟ୍ରାକ୍ଟର (ଓଆର-୦୨ବିଜେଡ୍‌-୨୪୧୦)କୁ ଗତ ମାର୍ଚ୍ଚ ମାସ ୬ ତାରିଖ ମଧ୍ୟରାତ୍ରିରେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଜାଳି ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଥିଲା। ଶ୍ରୀ ପାଣିଗ୍ରାହୀ ଏହି ସମୟରେ ଭୁବନେଶ୍ବରରେ ରହିଥିବା ବେଳେ ତାଙ୍କ ଟ୍ରାକ୍ଟର ବାବଦରେ ବୁଝାବୁଝି କରୁଥିବା ସୋର ରମଧା ଅଞ୍ଚଳର ତାଙ୍କ ଭିଣୋଇ ସୁଶାନ୍ତ ମିଶ୍ର ପରଦିନ ସକାଳେ ଗୋପାଳପୁର ଫାଣ୍ଡି‌େର ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ପୁଲିସ ଏଭଳି ଏକ ସମ୍ବେଦନଶୀଳ ଘଟଣାର କୌଣସି ତଦନ୍ତ କିମ୍ବା ତତ୍ପରତା ଦେଖାଇବା ପରିବର୍ତ୍ତେ ମାମଲା ମଧ୍ୟ ରୁଜୁ କରିନଥିବା ଜଣାପଡ଼ିଥିଲା। ଏହାପରେ ଟ୍ରାକ୍ଟର ମାଲିକ ଶ୍ରୀ ପାଣିଗ୍ରାହୀ ନିଜେ ଏ ବାବଦରେ ଗତ ଏପ୍ରିଲ ୬ ତାରିଖରେ ଖନ୍ତାପଡ଼ା ଥାନାରେ ଏବଂ ଏପ୍ରିଲ ୧୧ ତାରିଖରେ ବାଲେଶ୍ବର ଏସ୍‌ପି କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରିବା ସହ ମେଲ୍‌ ଓ ରେଜିଷ୍ଟ୍ରି ପୋଷ୍ଟ୍‌ କରିଥିଲେ। କିନ୍ତୁ ବଡ଼ ଦୁଃଖ ଓ ପରିତାପର ବିଷୟ, ଏ ଏବେ ଏହି ଘଟଣାକୁ ୨ ମାସ ବିତି ଯାଇଥିଲେ ହେଁ କେହି ଏ ବାବଦରେ ତତ୍ପରତା ପ୍ରକାଶ କରିନାହାନ୍ତି। ତୃଣମୂଳ ସ୍ତରରେ ଗୋପାଳପୁର ଫାଣ୍ଡିର ପୁଲିସ ଯେପରି ଅବହେଳା ପ୍ରଦର୍ଶନ କରିଥିଲେ, ଖନ୍ତାପଡ଼ା ଥାନା ଓ ଏସ୍‌ପି କାର୍ଯ୍ୟାଳୟରେ ମଧ୍ୟ ସେହି ସମାନ କଥା ଦେଖିବାକୁ ମିଳିଲା। ଘଟଣା ସମ୍ପର୍କରେ ଜାଣିବା ତ ଦୂରର କଥା କେଉଁଠାରେ ବି ତାଙ୍କ ଅଭିଯୋଗର ପଞ୍ଜୀକରଣ କରାଗଲା ନାହିଁ।

ତେଣୁ କୌଣସି ବ୍ୟକ୍ତି କିଛି ଅଭିଯୋଗ ନେଇ ଥାନାକୁ ଗଲେ ପୁଲିସ ତାହା ଗୁରୁତ୍ବର ସହ ନେଇ ମାମଲା ରୁଜୁ କରି ତୁରନ୍ତ ତଦନ୍ତ କରିବାର ନିୟମ ରହିଥିବା ବେଳେ ଏଠାରେ କେବଳ ଗୋପାଳପୁର ଫାଣ୍ଡି କିମ୍ବା ଖନ୍ତାପଡ଼ା ଥାନା ପୁଲିସ ନୁହେଁ ବରଂ ଜିଲ୍ଲା ପୁଲିସର ଚରମ ଅବହେଳା ଦେଖିବାକୁ ମିଳିଛି। ତେବେ ଏଘଟଣା ସମ୍ପର୍କରେ ଜାଣିବା ପରେ ସୂଚନା ଅଧିକାର କର୍ମୀ ତଥା ଆଇନ ଛାତ୍ର ହିମାଂଶୁ ଶେଖର ନାୟକ ଗତ ୬ ତାରିଖରେ ବାଲେଶ୍ବର ଆଇଜି ଦାୟିତ୍ବରେ ଥିବା ନରସିଂହ ଭୋଳଙ୍କୁ ଟୁଇଟ୍‌ କରି ଜଣାଇଥିଲେ। ପରଦିନ ଅର୍ଥାତ୍‌ ୭ ତାରିଖରେ ଆଇଜି ଶ୍ରୀ ଭୋଳ ତାଙ୍କ ଆଡ଼ୁ ଟୁଇଟ୍‌ କରି ମାମଲା ରୁଜୁ ହୋଇଥିବା ସୂଚନା ଦେବା ସହ ଏଭଳି ଘଟଣା ତାଙ୍କ ଜ୍ଞାତସାରକୁ ଆଣିଥିବାରୁ ଶ୍ରୀ ନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ଜଣେ ବ୍ୟକ୍ତି ଫାଣ୍ଡି, ଥାନା ଓ ଏସ୍‌ପି କାର୍ଯ୍ୟାଳୟ ବାରମ୍ବାର ଆସିବା ପରେ ବି ଯଦି ତାଙ୍କ ଅଭିଯୋଗ ଶୁଣାଯାଉନି, ତା’ହେଲେ ଜନସାଧାରଣଙ୍କ ସେବା କରିବାକୁ ଶପଥ ନେଇଥିବା ଏବଂ ସେମାନଙ୍କ ଟିକସରେ ଦରମା ପାଉଥିବା ସମ୍ପୃକ୍ତ ଅଧିକାରୀମାନେ ପ୍ରକୃତରେ କାହାର ସ୍ବାର୍ଥ ହାସଲ କରିବାକୁ ସେଠାରେ ବସିଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର