ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ଆଉ ମାସେ ଘୁଞ୍ଚିଲା

ପ୍ରଥମ ଥର ପାଇଁ ଭାଗଚାଷୀଙ୍କୁ ସାମିଲ, ଏଥର ଚାଷୀଙ୍କଠାରୁ ଧାନ ସଂଗ୍ରହ ପରିମାଣ ବଢ଼ିବ

ଭୁବନେଶ୍ୱର : ଧାନ ସଂଗ୍ରହ ପାଇଁ ଚାଷୀଙ୍କ ପଞ୍ଜୀକରଣ ବାଧ୍ୟତାମୂଳକ। ଅଣପଞ୍ଜୀକୃତ ଚାଷୀ ସରକାରଙ୍କ ଧାନ ବିକିପାରିବେ ନାହିଁ। ଏଥିପାଇଁ ଗତ ଜୁଲାଇ ୧୫ ତାରିଖରୁ ଚଳିତ ଖରିଫ ଋତୁ ନିମନ୍ତେ ଚାଷୀଙ୍କ ପଞ୍ଜୀକରଣ ଆରମ୍ଭ ହୋଇଛି। ଆଜି ଏହି ପଞ୍ଜୀକରଣ ସମୟସୀମା ସରିବା କଥା। କିନ୍ତୁ ପଞ୍ଜୀକରଣ ସମୟସୀମା ଆଉ ମାସେ ଅର୍ଥାତ୍‌ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇବାକୁ ଖାଦ୍ୟ ଯୋଗାଣ ବିଭାଗ ନିଷ୍ପତ୍ତି ନେଇଛି। ଏହି ଧାନ ସଂଗ୍ରହ କାର୍ଯ୍ୟକ୍ରମରେ ପ୍ରଥମ ଥର ପାଇଁ ଭାଗଚାଷୀଙ୍କୁ ସାମିଲ କରାଯାଉଛି। ଅବଶ୍ୟ, କେବଳ ଧାନ ସଂଗ୍ରହ ନିମନ୍ତେ ଏହା ଉଦ୍ଦିଷ୍ଟ। ସେମାନଙ୍କୁ ଧାନ ସଂଗ୍ରହରେ ସାମିଲ କରାଯିବା ନେଇ କୌଣସି ଅଭିଯୋଗ ଆସିଲେ ଜିଲ୍ଲା କୃଷି ଅଧିକାରୀ ଓ ତହସିଲଦାର ଗ୍ରାମସ୍ତରୀୟ କୃଷି କର୍ମୀ ଓ ରାଜସ୍ୱ ନିରୀକ୍ଷକମାନଙ୍କ ଜରିଆରେ ସମାଧାନ କରି ଭାଗଚାଷୀଙ୍କ ନାମ ତାଲିକା ଚୂଡ଼ାନ୍ତ କରିବାକୁ ନିର୍ଦେଶ ଦିଆଯାଇଛି।

ବିଭାଗୀୟ ସୂଚନା ଅନୁଯାୟୀ ଗତବର୍ଷ ମୋଟ ୧୧.୨୦ ଲକ୍ଷ ଚାଷୀଙ୍କୁ ପଞ୍ଜୀକରଣ କରାଯାଇଥିଲା। ଏଥର ମୋଟ ୧୫ ଲକ୍ଷ ଚାଷୀଙ୍କୁ ଧାନ ସଂଗ୍ରହ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର। ଆଜି ସୁଦ୍ଧା ମାତ୍ର ୭.୩୦ ଲକ୍ଷ ଚାଷୀଙ୍କ ପଞ୍ଜୀକରଣ କରାଯାଇଛି। ଗଞ୍ଜାମ ଜିଲ୍ଲାର ସର୍ବାଧିକ ୬୨ ହଜାର ଚାଷୀ ପଞ୍ଜୀକରଣ କରିଥିବା ବେଳେ ବରଗଡ଼ ଜିଲ୍ଲାର ୫୫୬୭୬ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଗତବର୍ଷ ଏହି ତାରିଖ ସୁଦ୍ଧା ୫.୫୦ ଲକ୍ଷ ଚାଷୀଙ୍କୁ ପଞ୍ଜୀକରଣ କରାଯାଇଥିଲା। ଏଥର ଅଧିକ ସଂଖ୍ୟକ ଚାଷୀ ସେମାନଙ୍କର ନାମ ପଞ୍ଜୀକରଣ କରିବା କଥା। ଏହାର ଅନ୍ୟତମ କାରଣ ହେଉଛି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) କ୍ୱିଣ୍ଟାଲ୍‌ ପିଛା ୨୦୦ ଟଙ୍କା ଲେଖାଏଁ ବୃଦ୍ଧି। ପ୍ରାଥମିକ କୃଷି ସମବାୟ ସମିତି(ପାକ୍‌ସ) ଜରିଆରେ ଚାଷୀ ପଞ୍ଜୀକରଣ କାର୍ଯ୍ୟ କରାଯାଉଛି। କିନ୍ତୁ ବରଗଡ଼, ମାଲକାନଗିରି ଭଳି କିଛି ଜିଲ୍ଲାରେ ପାକ୍‌ସ ସଚିବମାନଙ୍କ ଅସହଯୋଗ ଫଳରେ ଏହି କାର୍ଯ୍ୟ ଧିମେଇ ଯାଇଥିଲା। ବିଭାଗୀୟ ହସ୍ତକ୍ଷେପ ଫଳରେ ଏହି ପ୍ରକ୍ରିୟା ତ୍ୱରାନ୍ଵିତ ହୋଇଛି। ସୂଚନାଯୋଗ୍ୟ, ଗତବର୍ଷ ୨୪୨୮ଟି ପାକ୍‌ସ ପଞ୍ଜୀକରଣ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲେ। ଏଥର ୨୫୯୬ଟି ପାକ୍‌ସ ଅଂଶଗ୍ରହଣ କରିଛନ୍ତି।

ଆସନ୍ତା ନଭେମ୍ବର ପହିଲାରୁ ଖରିଫ ଧାନ ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥର ଚାଷୀଙ୍କଠାରୁ ସେମାନଙ୍କ ଉତ୍ପାଦିତ ଧାନରୁ ଆଦୌ କଟାଯିବ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତିି। ପୂର୍ବରୁ ଅଣଜଳସେଚିତ ଜମିରୁ ହେକ୍ଟର ପିଛା ୧୨ କ୍ୱିଣ୍ଟାଲ୍‌ ଓ ଜଳସେଚିତ ଜମିରୁ ହେକ୍ଟର ପିଛା ୧୮ କ୍ୱିଣ୍ଟାଲ୍‌ ଧାନ ସଂଗ୍ରହ କରାଯାଉଥିଲା। ଚାଷୀମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ଯୋଗାଇ ଦିଆଯାଉଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ବିଧାନସଭାରେ କହିଥିଲେ। ଏ ନେଇ ଆଗାମୀ କ୍ୟାବିନେଟ୍‌ରେ ବିଧିବଦ୍ଧ ଭାବେ ବିଭାଗ ପ୍ରସ୍ତାବ ଉପସ୍ଥାପନ କରିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର