ପରିବାର ନିୟୋଜନ ଅସ୍ତ୍ରୋପଚାର ବେଳେ ସାଂଘାତିକ ତ୍ରୁଟି

ପୁଲିସ ଓ ସ୍ୱାସ୍ଥ୍ୟ ବିଭାଗର ତଦନ୍ତ ଆରମ୍ଭ, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ସୁମିତ୍ରା

ବଲାଙ୍ଗୀର/ଟିଟିଲାଗଡ଼: ପରିବାର ନିୟୋଜନ ଅସ୍ତ୍ରୋପଚାର ସମୟରେ ସଇନ୍ତଳା ବ୍ଲକ କରମତଲା ଗାଁର ସୁମିତ୍ରା ରଣାଙ୍କୁ ଭୁଲ୍‌ ଇଞ୍ଜେକ୍ସନ ଦେବା ଘଟଣାର ସ୍ୱାସ୍ଥ୍ୟ ବିଭାଗ ତଦନ୍ତ ଆରମ୍ଭ କରିଛି। ଅପରପଟେ ସୁମିତ୍ରାଙ୍କ ପରିବାର ବର୍ଗ ଟିଟିଲାଗଡ଼ ଥାନାରେ ଡାକ୍ତର ବଳରାମ ସାହୁ ଓ ଏମ୍‌ପିଏଚ୍‌ଡବ୍ଲୁ ଜାମିନୀ ମେହେରଙ୍କ ନାଁରେ ଏତଲା ଦେଇଥିଲେ। ପୁଲିସ ନଂ.୧୧୧/୨୨ରେ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି। ଆଉ ସୋମବାର ପୀଡ଼ିତା ପରିବାର ବର୍ଗ ଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ସବିଶେଷ ଘଟଣା ଜଣାଇଛନ୍ତି। ଜିଲ୍ଲାପାଳ ଘଟଣାକୁ ନେଇ ଏକ ରିପୋର୍ଟ ମଗାଯାଇଛି ବୋଲି କହିବା ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡରେ ଭଲ ଚିକିତ୍ସା ସେବା କେମିତି ସେମାନେ କରିବେ, ନହେଲେ ବଡ଼ ଡାକ୍ତରଖାନାରେ କେମିତି ଭଲରେ ଚିକିତ୍ସା ହେବ ତାର ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଆଉ ପରିବାର ବର୍ଗ ଚାହିଲେ କଂଜ୍ୟୁମର କେସ୍‌ କରିପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି।

ସୂଚନାଯୋଗ୍ୟ ଯେ ସୁମିତ୍ରା ଗତ ମାର୍ଚ୍ଚ ୭ ତାରିଖ ଟିଟିଲାଗଡ଼ ଡାକ୍ତରଖାନାକୁ ଅପରେସନ ପାଇଁ ଯାଇଥିଲେ। ଜାମିନୀ ମେହେର ଅପରେସନ ପୂର୍ବରୁ ସୁମିତ୍ରାଙ୍କ ହାତରେ ଇଞ୍ଜେକ୍ସନ ଦେଇଥିଲେ। ହାତ ଜଳାପୋଡ଼ା ଲାଗିବା ପରେ ଅପରେସନ ଦାୟିତ୍ୱରେ ଥିବା ଡାକ୍ତର ବଳରାମ ସାହୁ ଓ ଇଞ୍ଜେକ୍ସନ ଦେଇଥିବା ଜାମିନୀଙ୍କୁ ସେ ଜଣାଇଥିଲେ। ତୁରନ୍ତ ଅପରେସନ କରି ଡାକ୍ତର ତାଙ୍କୁ ଘରକୁ ପଠାଇ ଦେଇଥିଲେ। ଏହାପରେ ସୁମିତ୍ରାଙ୍କ ହାତ ଆଉ କାମ କରିନଥିଲା। ହାତ କଳା ପଡ଼ିଯାଇଥିଲା। ଆଙ୍ଗୁଠି କିଛି କାମ କରିନଥିଲା। ଏଣୁ ପ୍ରଥମେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନା ଓ ଏଠୁ ବୁର୍ଲା, କଟକ ଯାଏ ଯାଇଥିଲେ। ହାତ କାଟିବାକୁ କଟକ ମେଡିକାଲର ଡାକ୍ତର ପରାମର୍ଶ ଦେବା ପରେ ତାଙ୍କ ପରିବାର ଉପରେ ଚଡ଼କ ପଡ଼ିଛି। ଏହି ଘଟଣାକୁ ନେଇ ଏବେ ସ୍ୱାସ୍ଥ୍ୟ ବିଭାଗ ଏବଂ ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର