ବାଲିହରଚଣ୍ଡୀ ପୀଠରେ ଅଘଟଣ, ଜେନେରେଟର୍‌ ମରାମତି କରିବାକୁ ଯାଇ ବାପପୁଅ ମୃତ

ବ୍ରହ୍ମଗିରି : ଆଜି ବାଲିହରଚଣ୍ଡୀ ପୀଠରେ ରଜ ଉତ୍ସବରେ ହଜାର ହଜାର ଲୋକଙ୍କ ଭିଡ଼ ଜମିଛି। କିନ୍ତୁ ଉତ୍ସବ ସ୍ଥଳରେ ଥିବା ତମ୍ବୁ ଘର ଭିତରୁ ଦୁଇ ଜଣଙ୍କ ମୃତ ଦେହ ମିଳିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମୃତକ ଦୁଇଜଣ ବାପ ପୁଅ। ସେମାନେ ଜେନେରେଟର୍‌ ମରାମତି ପାଇଁ ରଜର ଗୋଟିଏ ଦିନ ପୂର୍ବରୁ ଯାଇ ନିର୍ମିତ ତମ୍ବୁ ଘରେ ରହୁଥିଲେ। ଆଜି ସନ୍ଧ୍ୟାରେ ଉକ୍ତ ତମ୍ବୁ ଘରେ ସେମାନେ ମରି ପଡ଼ିଥିବାର ଦେଖିବାକୁ ମିଳିଥିଲା।

ସୂଚନା ଅନୁଯାୟୀ, ବ୍ରହ୍ମଗିରି ଥାନା କୁସୁପୁର ଗାଁର ଅଧିକାରୀ ସାହୁ ଦୀର୍ଘ ୧୫ ବର୍ଷରୁ ଅଧିକ ହେବ ଅଲାରପୁର ସାମିଲ ପଦ୍ମପୁର ଗାଁରେ ନିଜ ପରିବାର ସହିତ ରହୁଥିଲେ। ଗତକାଲି ଅଧିକାରୀ ସାହୁ(୬୦) ଓ ତାଙ୍କ ପୁଅ ହେମନ୍ତ(୨୫) ବାଲିହରଚଣ୍ଡୀ ପୀଠକୁ ଯାଇଥିଲେ। ସେଠାରେ ଜେନେରେଟର୍‌ କାମ ପାଇଁ ଉଭୟ ବାପପୁଅ ଯାଇଥିଲେ। ସେଠାରେ ନିର୍ମିତ ଟେଣ୍ଟ ଘରେ ରହି ସେମାନେ ଜେନେରେଟର୍‌ କାର୍ଯ୍ୟ କରୁଥିଲେ। କିନ୍ତୁ ଆଜି ସଂଧ୍ୟାରେ ବାପ ଓ ପୁଅ ଟେଣ୍ଟ ଘରେ ମରି ପଡିଥିବା ଲୋକେ ଦେଖିବାକୁ ପାଇଥିଲେ। ଖବର ପାଇ ବ୍ରହ୍ମଗିରି ପୁଲିସ ଘଟଣାସ୍ଥଳରେ ପହ‌ଞ୍ଚି ଶବ ଦୁଇଟିକୁ ଜବତ କରିଛି। ଉଭୟଙ୍କ ଶରୀରର କିଛି ଅଂଶ ପୋଡି ଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ କାରଣ ଜଣାପଡିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର