ଅମାନିଆ ଗାଡି ଚାଳକଙ୍କୁ ଜରିମାନା ଛାଟ୍, ୫ ମାସରେ ତଣ୍ଡ ଗଣିଛନ୍ତି ୪.୬୫ କୋଟି

ଜମା ହୋଇନି ୩ କୋଟି ୨ ଲକ୍ଷ ୪୫ ହଜାର ଇ-ଚାଲାଣ

ରାଉରକେଲା : ଅମାନିଆ ଗାଡି ଚାଳକଙ୍କ ଠାରୁ କୋଟି କୋଟି ଟଙ୍କା ଜରିମାନା ଆଦାୟ ହୋଇଛି। ତଥାପି ସୁଧୁରୁ ନାହାନ୍ତି। ସେପଟେ ହେଲ୍‌ମେଟ୍‌ ଯାଞ୍ଚ ନାଁରେ ଆଞ୍ଚଳିକ ପରିବହନ ବିଭାଗ ମୋଟା ଅଙ୍କର ଜରିମାନା ଆଦାୟ କରି ଟାର୍ଗେଟ ପୂରଣ କରିଛି। ଯେତିକି ଇ- ଚାଲାଣ କଟା ଯାଇଛି, ତାହା ଅଧା ଟଙ୍କା ଆଦାୟ ହୋଇନି। ହେଲ୍‌ମେଟ୍‌ ପିନ୍ଧିଥିଲେ ସବୁ ମାଫ୍ । ହେଲେମେଟ ପିନ୍ଧି ନଥିଲ ଗାଡି ଚାଳକ ଗଣୁଛନ୍ତି ୧ ହଜାରରୁ ଆରମ୍ଭ କରି ୧୦ରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା। କେତେକ ଗାଡି ଚାଳକଙ୍କ ଠାରୁ ଏକାଧିକବାର ଜରିମାନା କଟାଯାଇଛି। କିଛି ଗାଡି ଚାଳକଙ୍କ ଠାରୁ ୨୦ରୁ ୨୨ ହଜାର ଟଙ୍କା ପର୍ଯ୍ୟନ୍ତ ଆଦାୟ ହୋଇଛି। ଏମାନଙ୍କ ମଧ୍ୟରୁ କିଛି ଗାଡି ଚାଳକ ଜମା କରିଛନ୍ତି, ଆଉ କିଛି ଜମା କରି ନାହାନ୍ତି। ଯେଉଁମାନେ ଜମା କରି ନାହାନ୍ତି ସେମାନଙ୍କ କେସ କୋର୍ଟକୁ ପଠାଯାଇଛି।

ହେଲ୍‌ମେଟ୍‌ ପିନ୍ଧି ନଥିଲେ ଗଣୁଛନ୍ତି ମୋଟା ଅଙ୍କର ତଣ୍ଡ। ବିନା ପଲ୍ୟୁସନ୍‌, ବିନା ଇନ୍ସ୍ୟୁରାନ୍ସ, ବିନା ଡ୍ରାଇଭିଂ ଲାଇସେନ୍ସ ଆଦି ବାବଦରେ କଟାଯାଇଛି ମୋଟା ଅଙ୍କର ଇ- ଚାଲାଣ। ବିଗତ ୫ ମାସ ଅର୍ଥାତ୍ ଗତ ୨୦୨୦ ନଭେମ୍ବର ୨୦୨୧ ମାର୍ଚ୍ଚ ମଧ୍ୟରେ କଟାଯାଇଛି ୪ କୋଟି ୬୫ ଲକ୍ଷ ୫୨ ହଜାର ୨୮୪ ଟଙ୍କାର ଇ-ଚାଲାଣ। ଆଦାୟ ହୋଇଛି ମାତ୍ର ୧ କୋଟି ୬୩ ଲକ୍ଷ ୬ ହଜାର ୬୯୨ ଟଙ୍କା। ଆଦାୟ ହୋଇନି ୩ କୋଟି ୨ ଲକ୍ଷ ୪୫ ହଜାର ୫୯୨ ଟଙ୍କା। ଏହି ଜରିମାନା ଆଦାୟ ହେବ କି ନାହିଁ ଜଣାନାହିଁ। ଗତ ୨୦୨୦ ନଭେମ୍ବର ମାସରେ ୪୯ ଲକ୍ଷ ୭୧ ହଜାର ୫୫୫ ଟଙ୍କା ଇ- ଚାଲାଣ କଟାଯାଇଛି। ଆଦାୟ ହୋଇଛି ୨୬ ଲକ୍ଷ ୫୮ ହଜାର ୮୮୪, ଆଦାୟ ହୋଇନି ୨୩ ଲକ୍ଷ ୧୨ ହଜାର ୬୭୧ ଟଙ୍କା। ଡିସେମ୍ବରରେ ୧ କୋଟି ୧୨ ଲକ୍ଷ ୪୮୬ ଟଙ୍କା ଇ- ଚାଲାଣ କଟାଯାଇଥିଲେ ହେଁ ଆଦାୟ ହୋଇ ପାରିନି ୭୫ ଲକ୍ଷ ୬୨ ହଜାର ୧୮ ଟଙ୍କା। ୨୦୨୧ ଜାନୁଆରୀରେ ୭୮ ଲକ୍ଷ ୧୨ ହଜାର ୩୯୫ ଟଙ୍କା ଇ- ଚାଲାଣ କଟାଯାଇଥିଲେ ହେଁ ମାତ୍ର ଆଦାୟ ହୋଇଛି ୨୪ ଲକ୍ଷ ୫୭ ହଜାର ୮୬୫ ଟଙ୍କା। ସେମିତି ଫେବୃୟାରୀରେ ୯୯ ଲକ୍ଷ ୫୬ ହଜାର ୫୭୪ ଟଙ୍କା ଇ- ଚାଲାଣ କଟାଯାଇଛି। ଆଦାୟ ହୋଇ ପାରିନି ୬୫ ଲକ୍ଷ ୫୦ ହଜାର ୩୫୧ ଟଙ୍କା। ମାର୍ଚ୍ଚରେ ସର୍ବାଧିକ ୧ କୋଟି ୨୬ ଲକ୍ଷ ୧୧ ହଜାର ୨୭୪ ଟଙ୍କାର ଇ- ଚାଲାଣ କଟାଯାଇଛି। ଆଦାୟ ହୋଇଛି ମାତ୍ର ୪୧ ଲକ୍ଷ ୪୫ ହଜାର ୨୫୨ ଟଙ୍କା। ଆଦାୟ ହୋଇନି ୮୪ ଲକ୍ଷ ୬୬ ହଜାର ୨୨ ଟଙ୍କା ।

ଗତ ୨୦୨୦ ନଭେମ୍ବରରୁ ୨୦୨୧ ମାର୍ଚ୍ଚ ମାତ୍ର ୫ ମାସରେ ବିନା ହେଲ୍‌ମେଟ୍‌ ଗାଡି ଚାଳକଙ୍କ ଠାରୁ ୧୬ ଲକ୍ଷ ୭୪ ହଜାର ଟଙ୍କାର ଇ- ଚାଲାଣ କଟାଯାଇଛି। ୨୦୨୦ ନଭେମ୍ବର ମାତ୍ର ୨୭ ହଜାର ଟଙ୍କା, ଡିସେମ୍ବର ରେ ୬ ଲକ୍ଷ ୩୬ ହଜାର ଟଙ୍କା, ୨୦୨୧ ଜାନୁଆରୀରେ ୨ ଲକ୍ଷ, ଫେବୃୟାରୀରେ ୪ ଲକ୍ଷ ୩୯ ହଜାର , ମାର୍ଚ୍ଚରେ ୩ ଲକ୍ଷ ୭୨ ହଜାର ଟଙ୍କାର ଇ- ଚାଲାଣ କଟାଯାଇଛି। ଟ୍ରିପୁଲ ରାଇଡିଂରେ ଗତ ଡିସେମ୍ବରରେ ୩୪ ହଜାର, ୨୦୨୧ ଜାନୁଆରୀରେ ୪୨ ହଜାର, ଫେବୃୟାରୀରେ୨୧ ହଜାର, ମାର୍ଚ୍ଚରେ ୩୩ ହଜାର ଟଙ୍କାର ଚାଲାଣ କଟାଯାଇଛି। ଦ୍ରୁତ ଗତିରେ ଗାଡି ଚଳାଇ ଗାଡି ଚାଳକମାନେ ମଧ୍ୟ ହଜାର ହଜାର ଟଙ୍କାର ତଣ୍ଡ ଗଣିଛନ୍ତି। ଦ୍ରୁତ ଗାଡି ଚଳାଉଥିବା ଗାଡି ଚାଳକଙ୍କ ଠାରୁ ଗତ ୨୦୨୦ ନଭେମ୍ବରରେ ୩ ଲକ୍ଷ ୯୮ ହଜାର, ଡିସେମ୍ବରରେ ୩ ଲକ୍ଷ ୮୪ ହଜାର, ୨୦୨୧ ଜାନୁଆରୀରେ ୪ ଲକ୍ଷ ୪୦ ହଜାର, ଫେବୃୟାରୀରେ ୪ ଲକ୍ଷ ୪୮ ହଜାର, ମାର୍ଚ୍ଚରେ ୯ ଲକ୍ଷ ୬ ହଜାର ଟଙ୍କାର ଚାଲାଣ କଟାଯାଇଛି। କେବଳ ଜରିମାନା କାଟିହେଲେ ହେବ ନାହିଁ ଅଧିକରୁ ଅଧିକ ସଚେତନତାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର