ଏନ୍‌ଏସ୍‌ପିସିଏଲ୍‌ର ଚତୁର୍ଥ ଆସ୍‌ପଣ୍ଡ ପାଇଁ ଜମି ଅଭାବ,୧୦ ବର୍ଷ ହେଲା ପ୍ରକ୍ରିୟା ଚାଲିଛି, ସରୁନି

ଜମି ଯୋଗାଇବାରେ ଆର୍‌ଏସ୍‌ପି ବିଫଳ

ରାଉରକେଲା: ପ୍ରାୟ ଦଶ ବର୍ଷ ପୂର୍ବେ ଏନ୍‌ଏସ୍‌ପିସିଏଲ୍‌ର ୨୫୦ ମେଗାୱାଟ୍‌ କ୍ୟାପ୍‌ଟିଭ୍‌ ପାୱାର ୟୁନିଟ୍‌ ସ୍ଥାପନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ପ୍ରକଳ୍ପ ନିର୍ମାଣ ହୋଇ ଗତ ମାର୍ଚ୍ଚ ୨୯ ତାରିଖରେ ଏଠାରେ ଉତ୍ପାଦନ ବି ଆରମ୍ଭ ହେଲା। ମାତ୍ର, ପ୍ଲାଣ୍ଟ୍‌ ପାଇଁ ଆବଶ୍ୟକ ଆସ୍‌ପଣ୍ଡ୍‌ ଏଯାଏଁ ନିର୍ମାଣ ହୋଇପାରିନି। ସମାନ୍ତରାଳଭାବେ ପ୍ରକଳ୍ପ ନିର୍ମାଣସହ ଆସ୍‌ପଣ୍ଡ୍‌ ସ୍ଥାପନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା; କିନ୍ତୁ ଜମି ଅଭାବ ଯୋଗୁଁ ଏହି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ଏବେ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ପ୍ରକଳ୍ପ ପାଇଁ ଆବଶ୍ୟକ ପ୍ରାୟ ୧୦୨ ଏକର ଜମି ଯୋଗାଇବାରେ ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି) ବିଫଳ ହୋଇଛି; ଯାହାକି ଆସ୍‌ପଣ୍ଡ ନିର୍ମାଣର ପଥ ଓଗାଳିଛି।

ସଂପ୍ରତି ଏନ୍‌ଏସ୍‌ପିସିଏଲ୍‌ର ୧୨୦ ମେଗାୱାଟ୍‌ ବିଶିଷ୍ଟ ପ୍ଲାଣ୍ଟ୍‌ ପାଇଁ ଆର୍‌ଏସ୍‌ପି ଭିତରେ ୩ଟି ଆସ୍‌ପଣ୍ଡ୍‌ ରହିଛି। ଆସ୍‌ପଣ୍ଡ୍‌-ଏ’ ୩୭.୪୯ ଏକର ପରିମିତ ଅଞ୍ଚଳରେ ନିର୍ମିତ ହୋଇଥିବାବେଳେ ଆସ୍‌ପଣ୍ଡ୍‌-ବି’ ଓ ସି’ ୮୩ ଏକର ଜମିରେ ନିର୍ମିତ ହୋଇଛି। ଅର୍ଥାତ୍‌, ମୋଟ୍‌ ତିନିଟି ଆସ୍‌ପଣ୍ଡ୍‌ ପାଇଁ ୧୨୦.୪୯ ଏକରରେ ନିର୍ମାଣ କରାଯାଇଛି। ସମ୍ପ୍ରସାରଣପରେ ନିର୍ମିତ ୨୫୦ ମେଗାୱାଟ୍‌ ବିଶିଷ୍ଟ କ୍ୟାପ୍‌ଟିଭ୍‌ ପାୱାର୍‌ ୟୁନିଟ୍‌ ପାଇଁ ବନ୍ଧମୁଣ୍ଡା ବରକାନୀରେ ୧୦୨ ଏକର ଜମି ଚିହ୍ନଟ କରାଯାଇଥିଲା। ଏମିତିକି ଜମିର ମାନ ପରୀକ୍ଷଣ ବି ସମ୍ପନ୍ନ ହୋଇଥିଲା। କିନ୍ତୁ ଏହି ପ୍ରକଳ୍ପକୁ ସେଠାରେ ଜବରଦଖଲ କରି ରହୁଥିବା ଲୋକ ବିରୋଧ କରିଥିଲେ। ଉଚ୍ଛେଦ ପାଇଁ ନୋଟିସ୍‌ ଦିଆଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା। ଏଣୁ ୨୦୧୮ ମସିହାରେ ‌ପିପି ଆକ୍ଟ୍‌ ବଳରେ ସେଠାରେ ପ୍ରାୟ ୨୭ ପରିବାରକୁ ଉଚ୍ଛେଦ କରାଯାଇଥିଲା। ମାତ୍ର ଶତ ପ୍ରତିଶତ ଉଚ୍ଛେଦ ସମ୍ଭବ ହୋଇପାରିନଥିଲା। ଫଳରେ ପ୍ରସ୍ତାବିତ ଜମିରେ ଆସ୍‌ପଣ୍ଡ୍‌ ନିର୍ମାଣ ସମ୍ଭବ ହୋଇନି। ଏହାପରଠାରୁ ଆଉ କିନ୍ତୁ କୌଣସି ଅଦୃଶ୍ୟ କାରଣରୁ ସେଠାରେ ଜବରଦଖଲ ପ୍ରକ୍ରିୟା ଆରମ୍ଭ ହୋଇପାରିନି। ଫଳସ୍ବରୂପ, ଏହି ଗୁରୁତ୍ବପୂର୍ଣ୍ଣ ଆସ୍‌ପଣ୍ଡ୍‌ ନିର୍ମାଣ ଏବେ ସାତସପନ ପାଲଟିଛି।

ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ଆର୍‌ଏସ୍‌ପି ଓ ଏହାର ସହରାଞ୍ଚଳ ପାଇଁ ପୂର୍ବରୁ ସ୍ଥାପିତ ୧୨୦ ମେଗାୱାଟ୍‌ ପ୍ଲାଣ୍ଟ୍‌ରୁ ବିଦ୍ୟୁତ ଯୋଗାଣ ହେଉଛି। ସାଂପ୍ରତିକ ସ୍ଥିତିକୁ ଦେଖିଲେ, ଏହି ୨୫୦ ମେଗାୱାଟ୍‌ ପ୍ଲାଣ୍ଟ୍‌ କାର୍ଯ୍ୟକ୍ଷମ ନ ହେଲେ ମଧ୍ୟ ଆର୍‌ଏସ୍‌ପି କିମ୍ବା ସହରାଞ୍ଚଳର ବିଦ୍ୟୁତ ସରବରାହରେ କୌଣସି ବିଶେଷ ଫରକ ପଡ଼ିବନି। ମାତ୍ର ଆଗାମୀ ଦିନରେ ଆର୍‌ଏସ୍‌ପିର ସମ୍ପ୍ରସାରଣ ଅନ୍ତର୍ଗତ ପ୍ରକଳ୍ପରେ ଏହି ୨୫୦ ମେଗାୱାଟ୍‌ ବିଶିଷ୍ଟ ପ୍ଲାଣ୍ଟ୍‌ର କାର୍ଯ୍ୟକ୍ଷମ ହେବା ନିତାନ୍ତ ଆବଶ୍ୟକ। ଏଣୁ ବର୍ତ୍ତମାନର ଆବଶ୍ୟକତା ନ ଥିବାରୁ ସମ୍ଭବତଃ ଆର୍‌ଏସ୍‌ପି କର୍ତ୍ତୃପକ୍ଷ ଆସ୍‌ପଣ୍ଡ୍‌ ପ୍ରତିଷ୍ଠା ପାଇଁ ଜମି ଜବରଦଖଲ ଉଚ୍ଛେଦ ପାଇଁ ତତ୍ପରତା ଦେଖାଉନାହାନ୍ତି।

ସମ୍ବନ୍ଧିତ ଖବର