ରାଜ୍ୟର ୧୦୮୨ଟି ସ୍ଥାନରେ ଜଙ୍ଗଲ ଜଳୁଛି

ଭୁବନେଶ୍ବର : ରାଜ୍ୟରେ କ୍ରମାଗତ ଜଙ୍ଗଲ ଜଳିବା ଘଟଣା ହ୍ରାସ ପାଇଛି। ଗତକାଲି ରାଜଧାନୀ ଉପକଣ୍ଠ ଚନ୍ଦକା-ଡମପଡ଼ା ଜଙ୍ଗଲ ନିକଟ ପାହାଡ଼ରେ ଲାଗିଥିବା ନିଆଁକୁ ପ୍ରଶମିତ କରାଯାଇଛି। ଆଜି ମଧ୍ୟ ରାଜ୍ୟର କେତେକ ସ୍ଥାନରେ ସୃଷ୍ଟି ହୋଇଥିବା ଜଙ୍ଗଲ ନିଆଁ ଆୟତ୍ତାଧୀନ ରହିଥିବା ନେଇ ଟାସ୍କଫୋର୍ସ ପକ୍ଷରୁ କୁହାଯାଇଛି। ତେବେ ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ(ଏଫ୍‌ଏସ୍‌ଆଇ) ତଥ୍ୟ ଅନୁଯାୟୀ ଗତକାଲି ତୁଳନାରେ ଆଜି ଓଡ଼ିଶାରେ ଜଙ୍ଗଲ ନିଆଁ ବୃଦ୍ଧି ପାଇଛି। ଦେଶରେ ୩୯୮ଟି ସ୍ଥାନରେ ବଡ଼ଧରଣର ଜଙ୍ଗଲ ଜଳୁଥିବା ବେଳେ ଓଡ଼ିଶାର ୬୨ଟି ସ୍ଥାନରେ ନିଆଁ ଲାଗିଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୮୦୦ରୁ ଅଧିକ ସ୍ଥାନରେ ନୂତନ ଭାବେ ଜଙ୍ଗଲ ନିଆଁ ନଜରକୁ ଆସିଛି। ଗତକାଲି ମାତ୍ର ୨୧୯ଟି ସ୍ଥାନରେ ଜଙ୍ଗଲ ନିଆଁ ଚିହ୍ନଟ ହୋଇଥିବା ବେଳେ ଆଜି ତାହା ୧୦୮୨ରେ ପହଞ୍ଚିଛି। ବାରିପଦା ସର୍କଲ ତଥା ଶିମିଳିପାଳରେ ଜଙ୍ଗଲ ନିଆଁ ସାମାନ୍ୟ କମିଛି। ତେବେ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜଙ୍ଗଲ ଜଳୁଥିବା ସୂଚନା ମିଳିଛି। ବ୍ରହ୍ମପୁର ସର୍କଲରେ ସର୍ବାଧିକ ୩୧୬ଟି ସ୍ଥାନରେ ଜଙ୍ଗଲ ନିଆଁ ଚିହ୍ନଟ ହୋଇଥିବା ବେଳେ ରାଉରକେଲା ସର୍କଲରେ ୧୫୫, ସମ୍ବଲପୁର ସର୍କଲରେ ୧୪୩, ଅନୁଗୁଳ ସର୍କଲରେ ୧୩୫, ବାରିପଦା ସର୍କଲରେ ୧୧୧, କୋରାପୁଟ ସର୍କଲରେ ୧୦୯, ଭବାନୀପାଟଣା ସର୍କଲରେ ୯୯ ଓ ଭୁବନେଶ୍ବର ସର୍କଲରେ ୨୪ଟି ସ୍ଥାନରେ ଜଙ୍ଗଲ ନିଆଁ ନଜରକୁ ଆସିଛି।

ଟାସ୍କଫୋର୍ସଙ୍କ ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ ଜଙ୍ଗଲ ନିଆଁ ପରିସ୍ଥିତି ସମ୍ପୂର୍ଣ୍ଣ ଆୟତ୍ତାଧୀନ ରହିଛି। ଲୋକଙ୍କ ସହ ଓଡ୍ରାଫ ଓ ଅଗ୍ନିଶମ ବାହିନୀର କର୍ମଚାରୀଙ୍କ ସହାୟତାରେ ଅଗ୍ନିପ୍ରବଣ ଅଞ୍ଚଳ ସହ ହଟସ୍ପଟ୍‌ଗୁଡ଼ିକର ଜଙ୍ଗଲ ନିଆଁକୁ ଦମନ କରାଯାଉଛି।

ସମ୍ବନ୍ଧିତ ଖବର