ସାମାଜିକ ସେବା ଅର୍ଥ ଖାଇଗଲେ!

୭୫୩ ଯୁକ୍ତ୨ କଲେଜ ନାଁରେ ଆସିଲା ଅଭିଯୋଗ, ଜାନୁଆରି ୩୧ ସୁଦ୍ଧା ଦାଖଲ କରିବାକୁ ନିର୍ଦେଶ

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କଠାରୁ ସୋସିଆଲ୍‌ ସର୍ଭିସ୍‌ ଫି’ (ସାମାଜିକ ସେବା ଅର୍ଥ) ବାବଦରେ ପ୍ରତିବର୍ଷ ଟଙ୍କା ଆଦାୟ କରାଯାଉଛି। କ‌ଲେଜ କର୍ତୃପକ୍ଷ ପିଲା ପିଛା ୧୦ ଟଙ୍କା ଲେଖାଏଁ ଆଦାୟ କରୁଛନ୍ତି। ଯେଉଁ କଲେଜରେ ଏନ୍‌ଏସ୍‌ଏସ୍‌(ଜାତୀୟ ସେବା ଯୋଜନା) ୟୁନିଟ୍‌ ରହିଛି ସେମାନେ ୪ ଟଙ୍କା ନିଜ ପାଖରେ ରଖିବାର ବ୍ୟବସ୍ଥା ଥିବା ବେଳେ ବାକି ୬ ଟଙ୍କା‌ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିକଟରେ ଦାଖଲ କରିବାର ନିୟମ ରହିଛି। ଯେଉଁ କଲେଜରେ ଏନ୍‌ଏସ୍‌ଏସ୍‌ ୟୁନିଟ୍‌ ନାହିଁ ସେମାନେ ସମସ୍ତ ୧୦ ଟଙ୍କା ପରିଷଦ ନିକଟରେ ପଇଠ କରିବେ। ଏହି ଅର୍ଥରେ ଛାତ୍ରଛାତ୍ରୀଙ୍କ ଲାଗି ବର୍ଷ ତମାମ କଲେଜସ୍ତରରେ ବିଭିନ୍ନ ସେବା କାର୍ଯ୍ୟକ୍ରମ କରାଯାଇଥାଏ। ରାଜ୍ୟ ତଥା ଜାତୀୟସ୍ତରୀୟ ଏନ୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମରେ ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବା ସମୟରେ ପରିଷଦ ପକ୍ଷରୁ ଅର୍ଥ ଖର୍ଚ୍ଚ ହୁଏ। ତେବେ ଗତ ୭ ବର୍ଷ ହେଲା ରାଜ୍ୟର କେତେକ ଯୁକ୍ତ୨ କଲେଜ ଛାତ୍ରଛାତ୍ରୀଙ୍କଠାରୁ ଫି’ ଆଦାୟ କରୁଥିଲେ ମଧ୍ୟ ତାହାକୁ ପରିଷଦ ନିକଟରେ ଦାଖଲ କରୁନାହାନ୍ତି। ଶହେ କି ଦୁଇ ଶହ କଲେଜ ନୁହେଁ, ବରଂ ୭ ବର୍ଷରେ ୭୫୩ଟି ଯୁକ୍ତ୨ କଲେଜ ଛାତ୍ରଛାତ୍ରୀଙ୍କଠାରୁ ସୋସିଆଲ୍‌ ସର୍ଭିସ୍‌ ଫି’ ଆଦାୟ କରିଥିଲେ ମଧ୍ୟ ତାହାକୁ ପରିଷଦ ନିକଟରେ ଦାଖଲ କରିନାହାନ୍ତି।

ପ୍ରା‌ଥମିକ ଆକଳନରୁ ଜଣାପଡ଼ିଛି ଯେ ୨୦୧୩-୧୪ରୁ ୨୦୧୯-୨୦ ଶିକ୍ଷାବର୍ଷ ମଧ୍ୟରେ ୭୫୩ କଲେଜ ପ୍ରାୟ ୫୦ ହଜାର ଛାତ୍ରଛାତ୍ରୀଙ୍କଠାରୁ ୫ ଲକ୍ଷରୁ ଅଧିକ ଟଙ୍କା ଫି’ ଆଦାୟ କରିଛନ୍ତି। ସେଥିମଧ୍ୟରୁ ପ୍ରାୟ ୩ ଲକ୍ଷ ଟଙ୍କା ପରିଷଦ ନିକଟରେ ଦାଖଲ କରିବା କଥା। ତେବେ ଉକ୍ତ କଲେଜଗୁଡ଼ିକ ଅର୍ଥ ଚାପି ବସିପଡ଼ିଛନ୍ତି। ପରିଷଦର ଭାଗ ଅର୍ଥ ପଠାଉ ନାହାନ୍ତି। ଫଳରେ ଛାତ୍ରଛାତ୍ରୀ ଦେଉଥିବା ଅର୍ଥ ଠିକ୍‌ କାର୍ଯ୍ୟରେ ଲାଗି ପାରୁନାହିଁ। ୨୦୧୩-୧୪ରେ ୪୪ଟି କଲେଜ ଛାତ୍ରଛାତ୍ରୀଙ୍କଠାରୁ ଆଦାୟ କରିଥିବା ଅର୍ଥ ଏପର୍ଯ୍ୟନ୍ତ ଦାଖଲ କରିନାହାନ୍ତି। ୨୦୧୪-୧୫ରେ ୩୭, ୨୦୧୫-୧୬ରେ ୭୧, ୨୦୧୬-୧୭ରେ ୨୯, ୨୦୧୭-୧୮ରେ ୯୮, ୨୦୧୮-୧୯ରେ ୨୩୦ ଓ ୨୦୧୯-୨୦ ଶିକ୍ଷାବର୍ଷରେ ୨୪୪ କଲେଜ ଛାତ୍ରଛାତ୍ରୀଙ୍କଠାରୁ ଆଦାୟ କରିଥିବା ଫି’ ପରିଷଦ ନିକଟରେ ଦାଖଲ କରିନାହାନ୍ତି। ବିଶେଷକରି ଗତ ଦୁଇ ବର୍ଷ ହେଲା କଲେଜ ସଂଖ୍ୟା ୨୦୦ରୁ ଅଧିକ ରହିଛି। କ’ଣ ଓ କେଉଁଥିପାଇଁ କଲେଜଗୁଡ଼ିକ ଫି’ ଦାଖଲ କରୁନାହାନ୍ତି ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଯୁକ୍ତ୨ କଲେଜର ସମସ୍ତ ବିଭାଗ ଯଥା କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ‌ରେ ଏଭଳି ସମସ୍ୟା ହୋଇଛି। ସେଥିମଧ୍ୟରୁ ୬୧ଟି କଲେଜରେ ଶତାଧିକ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ୨୦୦ରୁ ଅଧିକ କଲେଜରେ ୫୦ରୁ ୧୦୦ ମଧ୍ୟରେ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି। ଇତିମଧ୍ୟରେ କେତେକ କଲେଜ ବନ୍ଦ ହୋଇ ସାରିଲାଣି। ସବୁଠାରୁ ବଡ଼ କଥା ହେଉଛି ଯେ କେତେକ ସରକାରୀ କଲେଜ ବି ଛାତ୍ରଛାତ୍ରୀଙ୍କଠାରୁ ଆଦାୟ କରିଥିବା ଫି’ ଚାପି ରଖିଛନ୍ତି। ତାହାକୁ ପରିଷଦ ନିକଟରେ ପଇଠ କରୁନାହାନ୍ତି। ଏନେଇ ପରିଷଦ ପକ୍ଷରୁ ବାରମ୍ବାର ଚିଠି ଲେଖାଯାଉଥିଲେ ମଧ୍ୟ କଲେଜ କର୍ତୃପକ୍ଷ ଆଦୌ ଉତ୍ତର ଦେଉନାହାନ୍ତି। ସରକାରୀ କଲେଜଗୁଡ଼ିକ ମଧ୍ୟରେ ଧନ୍ଦାମୂଳକ ଓ ସଂସ୍କୃତ କଲେଜ ସଂଖ୍ୟା ଅଧିକ ରହିଥିବା ଜଣାପଡ଼ିଛି। କଲେଜ କର୍ତୃପକ୍ଷ ଫି’ ଦାଖଲ କରୁ ନ ଥିବାରୁ ପରିଷଦ ପକ୍ଷରୁ ଏଥର କଡ଼ା ନିର୍ଦେଶ ଦିଆଯାଇଛି। ୨୦୨୧ ଜାନୁଆରି ୩୧ ସୁଦ୍ଧା କଲେଜଗୁଡ଼ିକ ପରିଷଦ ନିକଟରେ ଫି’ ଦାଖଲ କରିବେ। କେ‌ଉଁ ଜିଲ୍ଲାର କେଉଁ କଲେଜ ଛାତ୍ରଛାତ୍ରୀଙ୍କଠାରୁ ଫି’ ଆଦାୟ କରି ତାହାକୁ ଦାଖଲ କରିନାହାନ୍ତି ସେ ତାଲିକା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର