ପୁଲିସ ବାରାକରୁ ଗୋବିନ୍ଦ ସାହୁ ଚମ୍ପଟ ଘଟଣା: ୩ ଜିଲ୍ଲାର ପୁଲିସର ନିଦ ହଜିଛି

ବୋର୍ଡ଼ା ଫାଣ୍ଡିରେ କର୍ମଚାରୀଙ୍କୁ ଜେରା, ଗୋବିନ୍ଦଙ୍କ ଘରେ ପୁଲିସ ଛାଉଣି

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍‌ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ନିଖୋଜର ୧୧ ଦିନ ପରେ ମଧ୍ୟ ପୁଲିସର ହାତ ଖାଲି। ଏହିଭଳି ଏକ ପରିସ୍ଥିତିରେ ଗତକାଲି ରାତିରେ ସ୍କୁଲ୍‌ ମାଲିକ ଗୋବିନ୍ଦ ସାହୁ ଟିଟଲାଗଡ଼ ପୁଲିସ ବାରାକରୁ ଚମ୍ପଟ ମାରିଛନ୍ତି। ଫଳରେ, ଘଟଣା ଭିନ୍ନମୋଡ଼ ନେଇଛି। ଗୋବିନ୍ଦଙ୍କ ଫେରାର ପରେ ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ପୁଲିସର ନିଦ ହଜିଯାଇଛି। ସୋମବାର ସନ୍ଧ୍ୟାରେ କଳାହାଣ୍ଡି ଓ ବଲାଙ୍ଗୀର ପୁଲିସ ପକ୍ଷରୁ ବୋର୍ଡ଼ା ଫାଣ୍ଡିରେ ସ୍କୁଲ୍‌ ଓ କଲେଜର କିଛି କର୍ମଚାରୀଙ୍କୁ ଜେରା କରିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି।

ମିଳିଥିବା ସୂଚନା ଅନୁସାରେ, କଲେଜ ଖେଳପଡ଼ିଆର ଜଗୁଆଳି ଗୁପ୍ତେ ତାଣ୍ଡିଙ୍କୁ ପୁଲିସ ଜେରା କରିବା ସହ ବିଭିନ୍ନ ସ୍ଥାନକୁ ନେଇ ତଦନ୍ତ କରିଛି। ସେହିଭଳି ଉଚ୍ଚମାଧ୍ୟମିକ ବିଜ୍ଞାନ ସ୍କୁଲର ଅଧ୍ୟକ୍ଷ ରଞ୍ଜିତ ସାହୁଙ୍କୁ କଳାହାଣ୍ଡି ଜିଲ୍ଲା ବୋର୍ଡ଼ା ଫାଣ୍ଡିରେ ପୁଲିସ ପକ୍ଷରୁ ମାରାଥନ ଜେରା ଚାଲିଛି। ପୁଲିସ ଯୁକ୍ତତିନି କଲେଜର କିରାଣି ପୂର୍ଣ୍ଣ ବାଗ ଓ ଉଚ୍ଚମାଧ୍ୟମିକ ବିଜ୍ଞାନ ସ୍କୁଲର ଅଧ୍ୟାପକ ବାସୁଦେବ ପଣ୍ଡାଙ୍କୁ ମଧ୍ୟ ପଚରାଉଚରା କରିଥିବା ଜଣାପଡ଼ିଛି। ଏଥିସହିତ, ମହାଲିଙ୍ଗ ଗାଁରେ ପୁଲିସ ଫୋର୍ସ ଉପସ୍ଥିତିରେ ଗୋବିନ୍ଦ ସାହୁଙ୍କ ଘର ଖାନତଲାସ କରାଯାଇଥିଲା। ପରେ ହାଇସ୍କୁଲ ପରିସରକୁ ଯାଇ ମଧ୍ୟ ପୁଲିସ ତଦନ୍ତ ଜାରି ରଖିଛି। ଏହି ଘଟଣାକୁ ନେଇ ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ପୁଲିସ ପାଇଁ ଚ୍ୟାଲେଞ୍ଜ ପାଲଟିଛି।

ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ମହାଲିଙ୍ଗ କଲେଜରେ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କେନ୍ଦ୍ର ଅଧୀକ୍ଷକ ଗିରଫ ହୋଇ ଜେଲ୍‌ ଯାଇଥିଲେ। ସେହିଭଳି ୨୦୦୦ ମସିହାରେ ମୋତିଲାଲ ନାଏକଙ୍କ ଝିଅକୁ ଗୋବିନ୍ଦ ସାହୁଙ୍କ ଟ୍ରାକ୍ଟର ଚାପି ଦେବା ଘଟଣାରେ ସେତେବେଳେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ଘଟଣା ନେଇ ଉତ୍ତ୍ୟକ୍ତ ଲୋକେ ଗୋବିନ୍ଦ ସାହୁଙ୍କ କମାଣ୍ଡର ଜିପ୍‌ ପୋଡ଼ି ଦେଇଥିଲେ। ଏନେଇ ୩୦ରୁ ଅଧିକ ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ପ୍ରାୟ ପାଞ୍ଚଜଣ ଲୋକ ଗିରଫ ହୋଇଥିଲେ। ସେହିଭଳି ଉତ୍ତ୍ୟକ୍ତ ଲୋକେ ପୁଲିସର ଜିପ୍‌ ପୋଡ଼ି ଘଟଣାରେ ୧୦ରୁ ୧୨ଜଣ ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ସବୁବେଳେ ଚର୍ଚ୍ଚାର ପରିଧିକୁ ଆସିଥିବା ଗୋବିନ୍ଦ ସାହୁ ବର୍ତ୍ତମାନ ପୁଲିସ ହାଜତରୁ ଚମ୍ପଟ ମାରିବା ପରେ ତାଙ୍କୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ଆଗକୁ ପୁଲିସର ତଦନ୍ତ କେଉଁ ମୋଡ଼ ନେଉଛି ସେନେଇ ସଭିଙ୍କ ଉତ୍ସୁକତା ଦେଖାଦେଇଛି।

ସାମ୍ନାକୁ ଆସିଲା କଲ୍‌ ରେକର୍ଡ
ସ୍କୁଲ ସଭାପତି ତଥା ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କ ଏକ ଫୋନ୍‌ କଲ୍‌ରେକର୍ଡ ସାମ୍ନାକୁ ଆସିଛି। ଯେଉଁଥିରେ ଅପହୃତାଙ୍କ ସଂପର୍କୀୟ ଦାଦାଙ୍କ ସହିତ ଗୋବିନ୍ଦ କଥାବାର୍ତ୍ତା କରିଛନ୍ତି। କଥାବାର୍ତ୍ତା ସମୟରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁ ନେଇ ସେ କଥା ହେଉଥିଲେ। ‘ମନ୍ତ୍ରୀ ଫୋନ୍‌ ଉଠାଉ ନାହାନ୍ତି। ଭବାନୀପାଟଣାରେ ଅଛନ୍ତି ନା ନାହିଁ, ମୁଁ ଖବର ପାଇନି। କିନ୍ତୁ ତାଙ୍କ ପ୍ରାଇଭେଟ ସେକ୍ରେଟାରିଙ୍କୁ କହିଦେଇଛି। ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଘଟଣା ସଂପର୍କରେ ଅବଗତ କରାଇଛି। ସେ ଝିଅକୁ ଖୋଜି ବାହାର କରିବା ପାଇଁ ରାଜ୍ୟ ସ୍ତରରେ ଚେଷ୍ଟା କରିବେ’। ସ୍କୁଲ ଅଧ୍ୟକ୍ଷା ମମିତା ନିଖୋଜ ପରେ ପରିବାର ଲୋକ ଖୋଜାଖୋଜି କରିବା ସମୟରେ ସ୍କୁଲ ମାଲିକ ଗୋବିନ୍ଦ ସାହୁ ତାଙ୍କ ସଂପର୍କୀୟଙ୍କୁ ଫୋନ୍‌ କରି ଏଭଳି କିଛି କଥାବାର୍ତ୍ତା କରିଥିଲେ। ଝିଅକୁ ଖୋଜି ବାହାର କରିଦେବେ ବୋଲି ମନ୍ତ୍ରୀଙ୍କ ନାଁ ନେଇ ଭରସା ଦେଇଥିଲେ। ଆଉ ଗୋବିନ୍ଦ ନିଜେ ଏବେ ପୁଲିସ ବାରାକରୁ ଫେରାର। ତେବେ ଗୋବିନ୍ଦ କଣ ପାଇଁ ମନ୍ତ୍ରୀଙ୍କ ନାଁ ନେଇଥିଲେ? କାହିଁକି ଏଭଳି ଭରସା ପରିବାର ଲୋକଙ୍କୁ ଦେଇଥିଲେ? ଏପଟେ ମମିତା ବସ୍‌ରୁ ଓହ୍ଲାଇବା ପରେ ଗୋବିନ୍ଦ ହିଁ ତାଙ୍କୁ କାର୍‌ରେ ବସାଇ ଭବାନୀପାଟଣା ନେଇଥିବା ପୁଲିସ ପ୍ରମାଣ ପାଇସାରିଛି। ଏଣୁ ଅପହରଣ ଘଟଣାରେ ନିଜେ ଗୋବିନ୍ଦ ଏକା ଜଡ଼ିତ ନା ଆଉ କିଏ ସବୁ ଲିଙ୍କ୍‌ରେ ଅଛନ୍ତି ତାହାର ତଦନ୍ତ ହେଲେ ଅନେକ ରହସ୍ୟ ସାମ୍ନାକୁ ଆସିବ।

ମନ୍ତ୍ରୀଙ୍କ ଚାପରେ ଫେରାର କରାଇଦେଇଛି ପୁଲିସ୍‌: ପରିବାର
ମନ୍ତ୍ରୀଙ୍କ ଚାପରେ ପୁଲିସ ଯୋଜନାବଦ୍ଧ ଭାବରେ ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କୁ ଫେରାର କରାଇଦେଇଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ନିଖୋଜ ମମିତାଙ୍କ ମା’ ତୁଳସୀ ମେହେର, ଭାଇ ବଣ୍ଟି ମେହେର ଓ ଉମେଶ ଚନ୍ଦ୍ର ମେହେର କହିଛନ୍ତି, ଗୋବିନ୍ଦ ସାହୁ ହିଁ ମମିତାଙ୍କୁ ନେଇଛି। ପ୍ରଥମେ ପୁଲିସ ତଦନ୍ତ କରୁଛୁ ବୋଲି ଆମକୁ ଆଶ୍ୱାସନା ଦେଉଥିଲା। ରବିବାର ବି ଟିଟିଲାଗଡ଼ ଏସ୍‌ଡିପିଓ ପରିବାର ଲୋକଙ୍କୁ ଡାକି ମମିତାଙ୍କୁ ଖୋଜାଖୋଜି ଚାଲିଛି ଓ ଶୀଘ୍ର ମିଳିବେ ବୋଲି କହିଥିଲେ। ଏବେ ହଠାତ ଗୋବିନ୍ଦ ଥାନାରୁ ଫେରାର ଘଟଣା ଜାଣିବା ପରେ ପୁଲିସ ଉପରୁ ଭରସା ତୁଟିଛି ବୋଲି କହିଛନ୍ତି। ଯେହେତୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହ ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କ ସଂପର୍କ ଥିଲା, ସେ ହିଁ ଉପରୁ ଚାପ ପକାଇବା ପରେ ପୁଲିସ ଗୋବିନ୍ଦକୁ ଫେରାର ହେବାର ସୁଯୋଗ ଦେଇଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି।

ଖସିଗଲେ ନା ଖସାଇଦେଲେ?
ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରି ପୁଲିସ ପ୍ରମାଣ ଖୋଜୁଥିଲା। ହେଲେ ପୁଲିସକୁ ହିଁ ଚକମା ଦେଇ ଫେରାର ମୁଖ୍ୟଅଭିଯୁକ୍ତ। ନିଜେ ଗୋବିନ୍ଦ ଖସିଗଲେ ନା ପୁଲିସ ଖସାଇଦେଲା ତାକୁ ନେଇ ଚାରିଆଡ଼େ ପ୍ରଶ୍ନ। ନିଖୋଜ ଶିକ୍ଷୟିତ୍ରୀଙ୍କ ପରିବାର ପୁଲିସ ଖସାଇଦେଇଥିବା ଅଭିଯୋଗ କରୁଛନ୍ତି। ଏପଟେ ପୁଲିସ ବାରାକରୁ ଫେରାର ପରେ ତିନିଜଣ ପୁଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ପୁଲିସର ପାରିବାପଣିଆ ବି ଏବେ ପଦାରେ ପଡ଼ିସାରିଛି। ନିଖୋଜ ମମିତା ମେହେରଙ୍କୁ ପୁଲିସ ଉଦ୍ଧାର କରିବ କଣ, ଘଟଣାର ମୁଖ୍ୟ ଖଳନାୟକ କହାଯାଉଥିବା ଗୋବିନ୍ଦ ପୁଲିସକୁ ଚକମା ଦେଇ ଫେରାର। ଗତ ୧୧ ଦିନ ହେବ ଶିକ୍ଷୟିତ୍ରୀଙ୍କ ଖୋଜଖବର ନାହିଁ। ସ୍ୱତନ୍ତ୍ର ଟିମ କରି ତଦନ୍ତ ଚଳାଇଥିଲା ପୁଲିସ। ଆଉ ଏବେ ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୁଣି ସ୍ୱତନ୍ତ୍ର ଟିମ କରି ପୁଲିସ ଖୋଜୁଛି।

ଗୋବିନ୍ଦଙ୍କ ପତିଆରା
ଗୋବିନ୍ଦ ସାହୁ ସବୁ ସମୟରେ ପାୱାର କରିଡରରେ ଥିବା ବ୍ୟକ୍ତିଙ୍କ ସହ ମିଳାମିଶା କରୁଥିଲେ। ମନ୍ତ୍ରୀରୁ ନେଇ ଅଫିସର ସମସ୍ତଙ୍କ ସହ ଥିଲା ଯିବାଆସିବା। କଲେଜ ଓ ସ୍କୁଲ କାର୍ଯ୍ୟକ୍ରଗୁଡ଼ିକରେ ମନ୍ତ୍ରୀମାନଙ୍କୁ ମନ କଲେ ଡାକୁଥିଲେ। ମନ୍ତ୍ରୀମାନେ ବି ଘଣ୍ଟା ଘଣ୍ଟା ସମୟ ଦେଉଥିଲେ। ଏପରିକି ମନ୍ତ୍ରୀମାନେ ହେଲିକପ୍ଟରରେ ଯାଇ କାର୍ଯ୍ୟକ୍ରମରେ ଯୋଗଦେଉଥିଲେ। ସ୍କୁଲ କାର୍ଯ୍ୟକ୍ରମରେ ମନ୍ତ୍ରୀମାନଙ୍କ ବକ୍ତବ୍ୟ ବି ବେଶ୍‌ ଦମଦାର ରହୁଥିଲା। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହ ବେଶ୍‌ ଘନିଷ୍ଠତା ଥିଲା। ପୂର୍ବର କିଛି ଭିଡିଓ ଏବେ ଭାଇରାଲ ହୋଇଛି। ଯେଉଁଥିରେ ଗୃହ ରାଷ୍ଟ୍ରମନ୍ତ୍ରୀ ସ୍କୁଲ ମାଲିକଙ୍କୁ ଭୁରିଭୁରି ପ୍ରଶଂସା କରୁଛନ୍ତି। ଆଉ ଏକ ଭିଡିଓରେ ହେଲିକପ୍ଟରରେ ଗସ୍ତ କରିଥିଲେ ରାଜ୍ୟର ପାୱାରଫୁଲ ମନ୍ତ୍ରୀ ପ୍ରତାପ ଜେନା। ତାଙ୍କ ଅଭିଭାଷଣରେ ସେ କହିଥିଲେ, ମହାଲିଙ୍ଗ କଲେଜକୁ ଆସିବାକୁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବାରବାର ଅନୁରୋଧ କରିଥିଲେ ଓ ସେ ଆସିଥିବା କହିଥିଲେ। ଏପରିକି ମନ୍ତ୍ରୀ ପ୍ରତାପ ଜେନା ମହାଲିଙ୍ଗ ଘରୋଇ ପ୍ରତିଷ୍ଠାନକୁ ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ ରେଭେନ୍ସା ସହ ତୁଳନା କରିଥିଲେ। ମୁଖ୍ୟତଃ ସ୍କୁଲ୍‌ ମାଲିକ ଗୋବିନ୍ଦଙ୍କ ସହ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବେଶ୍‌ ଘନିଷ୍ଠତା ରହିଥିଲା। ଏହାସହ ସେ ଆଉ ବଡ଼ବଡ଼ିଆ ଲୋକଙ୍କ ସହ ବି ସଂପର୍କରେ ଥିଲେ। କଳାହାଣ୍ଡିରେ ଯେଉଁ ଜନପ୍ରତିନିଧି ପାୱାର କରିଡରରେ ରହିଲେ ସେ ତାଙ୍କ ନିକଟତର ହେବାକୁ ଚେଷ୍ଟା କରୁଥିଲେ।

ସ୍କୁଲରେ ସେକ୍ସ ସ୍କାଣ୍ଡାଲ!
ମହାଲିଙ୍ଗ ସନ୍‌ସାଇନ୍‌ ପବ୍ଲିକ ସ୍କୁଲ ଭିତରେ ଚାଲିଥିଲା ସେକ୍ସ ସ୍କାଣ୍ଡାଲ। ହସ୍ତଗତ ହୋଇଥିବା ଅଡିଓ ଏବଂ ବିରୋଧୀ କଂଗ୍ରେସ ନେତାଙ୍କ ଅଭିଯୋଗରୁ ଜଣାଯାଏ ଯେ ସ୍କୁଲର ମାଲିକ ଗୋବିନ୍ଦ ହିଁ ସବୁର ମାଷ୍ଟରମାଇଣ୍ଡ। ସ୍କୁଲରେ ଛାତ୍ରୀଙ୍କୁ ଫୁସୁଲାଇ ଯୌନ ଶୋଷଣ କରୁଥିଲେ। କାହାକୁ ମାର୍କ ବଢ଼ାଇଦେବାର ପ୍ରତିଶ୍ରୁତି ତ ଆଉ କାହାକୁ ଆଉ କିଛି ପ୍ରତିଶ୍ରୁତି। ଏମିତି କାରନାମା ପୂର୍ବରୁ ବି ସ୍କୁଲରେ ହେଉଥିବା କିଛି କିଛି ସାମ୍ନାକୁ ଆସିଥିଲା। ଯାହାକି ପୂର୍ବରୁ ଚପାଇବାରେ ସଫଳ ହୋଇଥିଲେ ସ୍କୁଲ ମାଲିକ। ସ୍କୁଲ ମାଲିକ ଚଳାଇଥିବା କାରନାମା ସଂପର୍କରେ ମମିତାଙ୍କ ପାଖରେ ପ୍ରମାଣ ଥିଲା। ମମିତା ନିଜ ସ୍କୁଲର ମାଲିକ ତଥା ସଭାପତିଙ୍କୁ ବରବାଦ କରିଦେବାର ଧମକ ବି ଦେଇଥିଲେ। ଖରାପ କାମର ପର୍ଦ୍ଦାଫାସ କରିବାକୁ ଫେକ୍‌ ଆଇଡି କରି ସଦସ୍ୟ ସଂଗ୍ରହ ଚାଲିଥିଲା। କିନ୍ତୁ ଯୋଜନା କାର୍ଯ୍ୟକାରୀ ହେବା ପୂର୍ବରୁ ମମିତା ନିଖୋଜ ହୋଇଯାଇଥିଲେ। ପୂରା ଘଟଣାର ଟିକିନିଖି ତଦନ୍ତ କରାଗଲେ ସ୍କୁଲରେ ଚାଲିଥିବା ସେକ୍ସ ସ୍କାଣ୍ଡାଲର ପର୍ଦ୍ଦାଫାସ ହୋଇପାରିବ।

କାହିଁକି କୋର୍ଟଚାଲାଣ କରିନଥିଲା ପୁଲିସ୍‌?
ଗୋବିନ୍ଦଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଆଇପିସି ୩୬୬ ଧାରାରେ ରୁଜୁ ହୋଇଥିଲା ମାମଲା। ଏଥିରେ ଦଶବର୍ଷର ଜେଲ ଦଣ୍ଡାଦେଶ ଥିବାରୁ ଥାନାରୁ ନୋଟିସ୍‌ ଦେଇ ଛାଡ଼ି ପାରିବ ନାହିଁ ପୁଲିସ। ତେଣୁ କେଉଁ କାରଣରୁ ୧୪ ତାରିଖଠାରୁ ରବିବାର ରାତି ପର୍ଯ୍ୟନ୍ତ ଗୋବିନ୍ଦ ସାହୁଙ୍କୁ ଅଟକ ରଖିଥିଲା ପୁଲିସ? ତାଙ୍କୁ କାହିଁକି କୋର୍ଟଚାଲାଣ କରି ରିମାଣ୍ଡରେ ଆଣିନଥିଲା ପୁଲିସ? ରାତିରେ ବାରାକ୍‌ରେ ଏତେ ପୁଲିସ କର୍ମଚାରୀ ଥାଇ କେମିତି ଚକମା ଦେଇ ଫେରାର ମାରିଲେ ମୁଖ୍ୟ ଅଭିଯୁକ୍ତ? ଏହି ସମ୍ବେଦନଶୀଳ ଘଟଣାକୁ ନେଇ ଏବେ ଏଭଳି ଅନେକ ପ୍ରଶ୍ନବାଚୀ ସୃଷ୍ଟି ‌େହାଇଛି। ଏ ପଟେ ଗୋବିନ୍ଦଙ୍କ ସହ ମନ୍ତ୍ରୀଙ୍କ ଘନିଷ୍ଠତାକୁ ନେଇ ବିରୋଧୀ ନା ନା ଅଭିଯୋଗ ଉଠାଇଲେଣି।

ଫେରାର ସମୟରେ ପାୱାର୍‌କଟ୍‌
ଗୋବିନ୍ଦଙ୍କୁ ପୁଲିସ ଅଟକ ରଖି ଜେରା କରୁଥିଲା। ରାତିରେ ବାରାକରେ ଥିବା ସମୟରେ ହଠାତ୍‌ କିଛି ସମୟ ପାୱାରକଟ ହୋଇଯାଇଥିଲା। ଏହାର ସୁଯୋଗ ନେଇ ଗୋବିନ୍ଦ ଫେରାର ମାରିଥି‌ଲେ। ନିକଟରେ ଥିବା ବାଡ଼ ଡେଇଁ ଫେରାର ହୋଇଯାଇଥିବା ଅନୁମାନ କରାଯାଉଛି।

ଶୀଘ୍ର ଧରାଯିବ: ଏସ୍‌ପି
ଗୋବିନ୍ଦ ଫେରାର୍‌ ଘଟଣା ପରେ ବଲାଙ୍ଗୀର ଏସ୍‌ପି ନିତିନ କୁଶଲକର ଟିଟିଲାଗଡ଼ରେ ରହି ସ୍ଥିତି ଉପରେ ନଜର ରଖିଛନ୍ତି। ଏସ୍‌ପିଙ୍କ କହିବା ଅନୁସାରେ, ୪-୫ଟି ପୁଲିସ ଟିମ୍‌ ଗଠନ କରି ବିଭିନ୍ନ ଦିଗରେ ତଦନ୍ତ ଜାରି ରହିଛି। କିଛି ସୁରାକ ବି ମଳିଛି। ଖୁବ୍‌ ଶୀଘ୍ର ଅଭିଯୁକ୍ତଙ୍କୁ ଧରାଯିବ ବୋଲି ସେ କହିଛନ୍ତି।

‘ମୋତେ ମୋ ଝିଅ ଦରକାର’
୯ ତାରିଖ ସ୍କୁଲରେ ମିଟିଂ ଥିଲା। ୮ ତାରିଖ ଦିନ ଝିଅ କଣ୍ଟାବାଞ୍ଜିରୁ ବସ୍‌ରେ ଯାଇଥିଲା। ଚାନ୍ଦୋତରାଠାରେ ଓହ୍ଲାଇବା ପରେ ଗୋବିନ୍ଦ ସାହୁ ସାଙ୍ଗରେ ଭବାନୀପାଟଣା ଯାଇଥିଲା। ଗୋବିନ୍ଦ ଫୋନ୍‌ କରି ଡାକିଥିଲେ। ତାପରେ ନିଖୋଜ। ସେନେଇ ମୋ ଝିଅକୁ ମାରିଦେଇଛି ନା କେଉଁଠି ରଖିଛି ମୁଁ ଜାଣିନି। ମୋତେ ମୋ ଝିଅ ଦରକାର ବୋଲି କହିଛନ୍ତି ନିଖୋଜ ମମିତାଙ୍କ ମା’ ତୁଳସୀ ମେହେର। ଏହାସହ ଗୋବିନ୍ଦ ଜଣେ ରାକ୍ଷସ ଓ ତାକୁ କଠୋର ଦଣ୍ଡ ମିଳୁ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର