ଓଡ଼ିଶା ସରକାର, ବିପିସିଏଲ ଭିତରେ ଏମ୍‌ଓୟୁ: ପ୍ରତିଷ୍ଠା ହେବ ସବୁଜ ହାଇଡ୍ରୋଜେନ୍ ପ୍ଲାଣ୍ଟ୍

ଭୁବନେଶ୍ବର: ରାଜ୍ୟରେ ପ୍ରତିଷ୍ଠା ହେବ ସବୁଜ ହାଇଡ୍ରୋଜେନ୍ ପ୍ଲାଣ୍ଟ। ଉଭୟ ଘରୋଇ ଓ ରପ୍ତାନୀ କ୍ଷେତ୍ର ପାଇଁ ଏହାକୁ ପ୍ରତିଷ୍ଠା କରାଯିବ। ଏଥିପାଇଁ ଇପିକଲ ଓ ବିପିସିଏଲ ମଧ୍ୟ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ସବୁଜ ହାଇଡ୍ରୋଜେନ୍ ପ୍ଲାଣ୍ଟ ପ୍ରତିଷ୍ଠା ହେଲେ ରାଜ୍ୟରେ ଥିବା ଭାରୀ ଶିଳ୍ପାନୁଷ୍ଠାନମାନଙ୍କରେ ଅଣ-ଜୀବାଶ୍ମ ଶକ୍ତି କ୍ଷେତ୍ରକୁ ଏହା ସହାୟକ ହେବା ସହିତ ସବୁଜ ଗ୍ୟାସ୍ ନିର୍ଗମନ ହ୍ରାସ କରିବାରେ ଫଳପ୍ରଦ ହୋଇପାରିବ। ଆସନ୍ତା ୨୦୪୦ ସୁଦ୍ଧା ସୋଲାର, ପବନ ଓ କ୍ଷୁଦ୍ର ଜଳ ଓ ବାଇଓମାସ୍ ସହାୟତାରେ ୧୦ ଗିଗାୱାଟ୍‌ କ୍ଷମତାସଂପନ୍ନ ଅକ୍ଷୟ ଶକ୍ତିର ଉତ୍ପାଦନ କରିବା ଲାଗି ବିପିସିଏଲ ଲକ୍ଷ୍ୟ ରଖିଥିବା କୁହାଯାଇଛି।

ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିସନର ପ୍ରଦୀପ ଜେନା ଓ ବିପିସିଏଲର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଅରୁଣ କୁମାର ସିଂଙ୍କ ଉପସ୍ଥିତିରେ ଇପିକଲର ପରିଚାଳନା ନିର୍ଦେଶକ ଭୁପେନ୍ଦ୍ର ସିଂ ପୁନିଆ ଓ ବିପିସିଏଲର ନିର୍ବାହୀ ନିର୍ଦେଶକ(ଅକ୍ଷୟ ଶକ୍ତି) ଅମିତ ଗର୍ଗ ଏହାକୁ ସ୍ବାକ୍ଷର କରିଥିଲେ। ରାଜ୍ୟ ଶିଳ୍ପ ସଚିବ ହେମନ୍ତ ଶର୍ମା ଏମ୍‌ଓୟୁର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ ଇଥାନଲ, ସୋଲାର ଓ ହାଇଡ୍ରୋଜେନ୍‌ରୁ ସବୁଜ ଶକ୍ତି ଉତ୍ପାଦନରେ ଓଡ଼ିଶାରେ ଉଚ୍ଚ ସମ୍ଭାବନା ରହିଛି। ସବୁଜ ଶକ୍ତି ପ୍ରକଳ୍ପକୁ ରାଜ୍ୟ ସରକାର ଅଗ୍ରାଧିକାର ଭିତ୍ତିରେ ଆଗକୁ ନେବାକୁ ଇଚ୍ଛୁକ। ରାଜ୍ୟରେ ଏସବୁ ପ୍ରକଳ୍ପର କାର୍ଯ୍ୟକାରୀ ଦିଗରେ ବିପିସିଏଲ ସମସ୍ତ ପ୍ରକାର ସହାୟତା ଯୋଗାଇଦେବ ବୋଲି ସେ କହିଥିଲେ। ଉନ୍ନୟନ କମିସନର ଶ୍ରୀ ଜେନା କହିଥିଲେ, ଧାତୁ ଓ ପେଟ୍ରୋକେମିକାଲ ପୁଞ୍ଜି ନିବେଶ କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ହୋଇଥିବା ବେଳେ ବିଭିନ୍ନ କ୍ଷେତ୍ରରେ କାର୍ବନ୍‌ର ପ୍ରଭାବକୁ ହ୍ରାସ କରିବା ଲାଗି ଅଧିକରୁ ଅଧିକ ସବୁଜ ଶକ୍ତି ଉତ୍ପାଦନ ଓ ବ୍ୟବହାରକୁ ଗୁରୁତ୍ବ ଦିଆଯିବା ଜରୁରୀ ବୋଲି ସେ କହିଛନ୍ତି। ବିପିସିଏଲର ଶ୍ରୀ ସିଂ କହିଥିଲେ, ଓଡ଼ିଶାର ଅନେକ ସ୍ଥାନରେ ସୋଲାର ଓ ଇଥାନଲ ଶକ୍ତି ଉତ୍ପାଦନ ପାଇଁ ଉଚ୍ଚ ସମ୍ଭାବନା ରହିଛି। ପ୍ରକଳ୍ପଗୁଡ଼ିକୁ ଧାର୍ଯ୍ୟ ସମୟ ଭିତରେ ଏସବୁ ପ୍ରକଳ୍ପ ଶେଷ ହେବ ବୋଲି ଆଶା କରାଯାଉଛି।

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଶକ୍ତି ବିଭାଗର ପ୍ରମୁଖ ସଚିବ ନିକୁଞ୍ଜବିହାରୀ ଧଳ, ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଲ ଦେବ, ବିପିସିଏଲର ରିଟେଲ ମୁଖ୍ୟ ଦେବାଶିଷ ନାଏକ, ରାଜ୍ୟ ମୁଖ୍ୟ ପ୍ରିୟଦର୍ଶୀ ନନ୍ଦଙ୍କ ସମେତ ରାଜ୍ୟ ସରକାର ଓ ବିପିସିଏଲର ବହୁ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର