ଜିଏସ୍‌ଟି ଠକେଇ: ରାଉରକେଲାର ୭ଟି ସ୍ଥାନରେ ଚଢ଼ାଉ

୪ ଶିଳ୍ପ ସଂସ୍ଥା, ୩ ବାସଭବନରେ ଚଢ଼ଉ ଜାରି, ଗୋଟିଏ ପରିବାରର ୪ଟି ଶିଳ୍ପ ସଂସ୍ଥାରେ ଛାନ୍‌ଭିନ୍‌

ରାଉରକେଲା : ଜାଲ୍‌ ଜିଏସ୍‌ଟି ମାଧ୍ୟମରେ କୋଟି କୋଟି ଟଙ୍କାର ନକଲି ବ୍ୟବସାୟ ଦର୍ଶାଇ ଅର୍ଥ ଚଳୁ କରିଥିବା ଅଭିଯୋଗରେ ସୋମବାର ଦିନ ରାଉରକେଲାର ୭ଟି ସ୍ଥାନରେ ଚଢ଼ଉ ହୋଇଛି। ରାଜ୍ୟ ଜିଏସ୍‌ଟି ବିଭାଗ ପକ୍ଷରୁ ୪ଟି ଶିଳ୍ପସଂସ୍ଥା ଓ ୩ଟି ବାସଭବନରେ ଚଢ଼ଉ ହୋଇଛି। ଏହି ଚାରିଟି ଶିଳ୍ପ ସଂସ୍ଥା ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ଚଢ଼ଉ ଜାରି ରହିଥିବାରୁ ନିର୍ଦ୍ଦିଷ୍ଟ କେତେ ଟଙ୍କାର ହେରଫେର ହୋଇଥିଲା, ତାହା ଏ ଖବର ଲେଖା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ସୋମବାର ପୂର୍ବାହ୍ନରେ ରାଜ୍ୟ ଜିଏସ୍‌ଟି ଏନଫୋର୍ସ୍‌ମେଣ୍ଟ୍‌ ଟିମ୍‌ ପକ୍ଷରୁ ଏକକାଳୀନ ୭ଟି ସ୍ଥାନରେ ଚଢ଼ଉ କରାଯାଇଥିଲା। କଳୁଙ୍ଗାରେ ଥିବା ଅରିନା ଟ୍ରେଡର୍ସ‌୍, ଜେଏମ ଷ୍ଟିଲ୍‌, ଡିଡି ଆଇରନ ଆଣ୍ଡ୍‌ ଷ୍ଟିଲ୍‌, ଜୁମ୍‌ ଟ୍ରେଡର୍ସ‌୍ ଏବଂ ସିଭିଲ୍‌ଟାଉନସିପ୍‌ରେ ମାଲିକଙ୍କର ଦୁଇଟି ଘର, ଯଥା-ଏଚ୍‌ଏଚ୍‌ଏଚ୍‌ଏଚ୍‌/୫, ୱାଇୱାଇୱାଇ/୧୩ ତଥା ଛେଣ୍ଡ୍‌ କଲୋନି ଏଲ୍‌ସିଆର୍‌ରେ ରହୁଥିବା କମ୍ପାନିର କର୍ମଚାରୀ ରଣଧୀର କୁମାର ସିଂହଙ୍କ ବାସଭବନରେ ଚଢ଼ଉ କରାଯାଇଥିଲା।

ଅରିନା ଟ୍ରେଡର୍ସ ମାଲିକ କୃଷ୍ଣ ଚନ୍ଦ୍ର ଜୟସ୍ୱାଲ ଥିବାବେଳେ ଜେଏମ୍‌ ଷ୍ଟିଲ ଟ୍ରେଡର୍ସ ମାଲିକ ମୁସାଫିର ଜୟସ୍ୱାଲ, ଡିଡି ଆଇରନ୍‌ ଆଣ୍ଡ୍‌ ଷ୍ଟିଲର ମାଲିକ ଗୌରୀ ଶଙ୍କର ଜୟସ୍ୱାଲ ଓ ଜୁମ୍‌ ଟ୍ରେଡର୍ସ‌୍ ମାଲିକ ହେଉଛନ୍ତି ଜୟନ୍ତ କୁମାର ଜୟସ୍ୱଲ। ଏହି ଚାରିଶିଳ୍ପ ସଂସ୍ଥାର ମାଲିକ ଗୋଟିଏ ପରିବାରର ଓ ରକ୍ତସମ୍ପର୍କୀୟ ବୋଲି ଜଣାପଡ଼ିଛି। ସିଭିଲ ଟାଉନସିପ୍‌ସ୍ଥ ଉଭୟ ବାସଭବନ ଏହି ଶିଳ୍ପସଂସ୍ଥାର ମାଲିକ ଓ ଛେଣ୍ଡ୍‌ସ୍ଥ ବାସଭବନରେ କମ୍ପାନିର କର୍ମଚାରୀ ରଣଧୀର କୁମାର ସିଂହ ରହୁଛନ୍ତି। ଖବର ଲେଖାହେବା ପର୍ଯ୍ୟନ୍ତ ଚଢ଼ଉ ଜାରି ରହିଛି।

ସମ୍ବନ୍ଧିତ ଖବର