ମଦମୁକ୍ତ ଗୁଣପୁର ପାଇଁ ଅଣ୍ଟା ଭିଡ଼ିଲେ, ବିକ୍ଷୋଭ କଲେ : ୨୫ କିମି ଚାଲିଚାଲି ଆସିଲେ ୨ହଜାର ମହିଳା

ଗୁଣପୁର : ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଗୁଣପୁର ଉପଖଣ୍ତକୁ ସଂପୂର୍ଣ୍ଣ ମଦମୁକ୍ତ ଅଞ୍ଚଳ ଭାବେ ଗଢ଼ି ତୋଳିବାକୁ ଅଣ୍ଟା ଭିଡ଼ିଛନ୍ତି ହଜାର ହଜାର ମହିଳା। ଏହି ଦାବିରେ ୨ହଜାରରୁ ଊର୍ଧ୍ବ ମହିଳା ପଦ୍ମପୁର ଠାରୁ ବିରାଟ ଶୋଭାଯାତ୍ରାରେ ୨୫କିମି ଦୂର ଚାଲିଚାଲି ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଆଜି ସକାଳ ୮ଟାରେ ଗୁଣପୁର, ପଦ୍ମପୁର, ଗୁଡାରି ଓ ରାମନାଗୁଡା ବ୍ଲକର ପ୍ରାୟ ୫୦ଟି ଗ୍ରାମରୁ ୨ହଜାରରୁ ଊର୍ଧ୍ବ ମହିଳା ଏକତ୍ରିତ ହୋଇଥିଲେ। ପରେ ପଦ୍ମପୁର ଠାରୁ ହଜାର ହଜାର ମହିଳା ଚାଲିଚାଲି ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମଦ ବନ୍ଦ ପାଇଁ ଗ୍ରାମସଭା ପ୍ରସ୍ତାବ କାର୍ଯ୍ୟକାରୀ କରିବା, ମଦବିକ୍ରି ବନ୍ଦ କରିବା ସହ ପୁଲିସ ବିଭାଗର ସ୍ବତନ୍ତ୍ର ସ୍କ୍ବାଡ ଗଠନ କରାଯାଇ ଚଢ଼ାଉକୁ ନିୟମିତ କରିବା, ଆଗାମୀ ନିର୍ବାଚନରେ ମଦକୁ କଡାକଡି ନିଷିଦ୍ଧ କରିବା ଓ ଦୋଷୀକୁ କୋଠର ଦଣ୍ତ ପ୍ରଦାନ ଆଦି ଦାବି ପୂରଣ ନହେବା ପର୍ଯ୍ୟନ୍ତ ବିକ୍ଷୋଭରୁ ଉଠିବୁ ନାହିଁ ଆନ୍ଦୋଳନକାରୀ ମହିଳା ଅଡ଼ି ବସିଥିଲେ।

ରାତି ପ୍ରାୟ ସାଢେ ୭ଟାରେ ଉପଜିଲ୍ଲାପାଳ ସେଠ‌ାରେ ପହଞ୍ଚିବା ପରେ ଆନ୍ଦୋଳନକାରୀଙ୍କ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ବିକ୍ଷୋଭକାରୀଙ୍କୁ ପୁଲିସ ଓ ପ୍ରଶାସନ ପକ୍ଷରୁ ବୁଝାସୁଝା କରିଥିଲେ ସୁଦ୍ଧା ଦାବି ପୂରଣ ନହେବା ପର୍ଯ୍ୟନ୍ତ ବିକ୍ଷୋଭ ଜାରି ରହିବ ବୋଲି ମହିଳା ମାନେ ଚେତାବନୀ ଦେଇଥିଲେ। ‌େତବେ, ରାତି ସ‌ାଢ଼େ ୧୧ଟା ୧୦ ମିନିଟ୍‌ ସମୟରେ ମହିଳାମାନେ ଧାରଣାରୁ ଉଠିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର