ପର୍ଯ୍ୟଟନର ବିକାଶ ପାଇଁ ପ୍ରସ୍ତାବ ଦେଲା ହା‌େରା : ହୋଟେଲ୍‌ ବଢ଼ୁ, ଆନ୍ତର୍ଜାତିକ ବିମାନ ଅଧିକ ଚଳାଚଳ କରୁ

ପରିବେଶ ପର୍ଯ୍ୟଟନ, ଚିଲିକାକୁ ସ୍ୱତନ୍ତ୍ର ଫୋକସ୍‌ରେ ରଖାଯାଉ
ଶାମୁକା ପ୍ରକଳ୍ପରେ ଗଲ୍‌ଫ୍‌ ପର୍ଯ୍ୟଟନକୁ ଗୁରୁତ୍ବ ଦିଆଯାଉ

ଭୁବନେଶ୍ବର : କେରଳରେ ୫୬୩ ତାରକା ହୋଟେଲ୍‌ରେ ୧୫,୭୯୧ ରୁମ୍‌ ଅଛି। ମହାରାଷ୍ଟ୍ରରେ ୯୦ଟି ତାରକା ହୋଟେଲ୍‌ରେ ୧୫,୩୧୮ଟି ରୁମ୍ ଅଛି। ଗୁଜୁରାଟରେ ୮୦ଟି ହୋଟେଲ୍‌‌ରେ ୬,୨୭୨ଟି ରୁମ୍‌ ଅଛି। ପଶ୍ଚିମବଙ୍ଗରେ ୩୯ଟି ତାରକା ହୋଟେଲ୍‌ରେ ୩,,୪୬୧ଟି ରୁମ୍ ଅଛି। ତାମିଲନାଡ଼ୁ, ଉତ୍ତରପ୍ରଦେଶ, ହରିଆନା, ଆନ୍ଧ୍ରପ୍ରଦେଶରେ ମଧ୍ୟ ତାରକା ହୋଟେଲ୍‌ ସଂଖ୍ୟା ଉତ୍ସାହଜନକ। କିନ୍ତୁ ଓଡ଼ିଶାରେ ଅଛି ୯ଟି ତାରକା ହୋଟେଲ୍‌, ଯେଉଁଥିରେ କି ରୁମ୍‌ ସଂଖ୍ୟା ମାତ୍ର ୬୫୭। ଏହା ମଧ୍ୟରେ ପଞ୍ଚ ତାରକା ଡିଲକ୍ସ ଦୁଇଟି, ପଞ୍ଚ ତାରକା ଗୋଟିଏ, ଚାରି ତାରକା ତିନିଟି, ତିନି ତାରକା ତିନିଟି। ହୋଟେଲ୍‌ ଶିଳ୍ପରେ ଏତେ ଦୁର୍ବଳ ସ୍ଥିତିକୁ ନେଇ ଓଡ଼ିଶାରେ ପର୍ଯ୍ୟଟନ କିପରି ଆଗକୁ ଯିବ ବୋଲି ପ୍ରଶ୍ନ ଉଠିଲାଣି। ଏହାକୁ ଦୃଷ୍ଟିରେ ରଖି ହୋଟେଲ୍‌ ସଂଖ୍ୟା ବଢ଼ାଇବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦିଷ୍ଟ ପ୍ରସ୍ତାବ ଦେଇଛି ହୋଟେଲ୍‌ ଓ ରେସ୍ତୋଁରା ଆସୋସିଏସନ୍ ଅଫ୍ ଓଡ଼ିଶା(ହାରୋ)।

ବର୍ତ୍ତମାନ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ସମ୍ମିଳନୀ ପାଇଁ ଓଡ଼ିଶା ପସନ୍ଦର ସ୍ଥାନ ପାଲଟିଛି। କିନ୍ତୁ ଏକା ସଙ୍ଗେ ଦୁଇ ତିନିଟି ସମ୍ମିଳନୀ କରିବା ପାଇଁ ଓଡ଼ିଶାରେ ଭିତ୍ତିଭୂମିର ଅଭାବ ରହିଛି। ଫଳରେ ପର୍ଯ୍ୟଟକଙ୍କ ଆଗମନରେ ଏହା ଏକ ପ୍ରତିବନ୍ଧକ ସାଜୁଛି। ଗତ ସେପ୍ଟେମ୍ବର ୧୮ ତାରିଖରେ ହାରୋ ପକ୍ଷରୁ ପର୍ଯ୍ୟଟନ କନ୍‌କ୍ଲେଭ୍ ଆୟୋଜନ କରାଯାଇଥିଲା। ହୋଟେଲ୍‌ ଶିଳ୍ପ ସହ ପର୍ଯ୍ୟଟନର ବିକାଶ ପାଇଁ ମାନସ ମନ୍ଥନ ହୋଇଥିଲା। ଏଥିରୁ ବାହାରିଥିବା ନିର୍ଯାସକୁ ଭିତ୍ତି କରି ହାରୋ ଅଧ୍ୟକ୍ଷ ଜେ କେ ମହାନ୍ତି ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସ୍ତାବ ଦେଇଛନ୍ତି। ଶ୍ରୀ ମହାନ୍ତି ଜଣାଇଛନ୍ତି, ହୋଟେଲ୍‌ ଭିତ୍ତିଭୂମି କ୍ଷେତ୍ରରେ ଦେଶର ଅନ୍ୟ ରାଜ୍ୟ ସହ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ଓଡ଼ିଶାରେ ଅଧିକ ହୋଟେଲ୍‌ ପ୍ରତିଷ୍ଠା ହେବାର ଆବଶ୍ୟକତା ରହିଛି। ନିଜେ ପର୍ଯ୍ୟଟନ ସଚିବ ବିଶାଲ ଦେବ ମଧ୍ୟ କନ୍‌କ୍ଲେଭ୍ ଅବସରରେ ତାରକା ଓ ବଜେଟ୍‌ ହୋଟେଲ୍‌ର ଅଭାବ ପର୍ଯ୍ୟଟନର ବିକାଶରେ ଏକ ପ୍ରତିବନ୍ଧକ ବୋଲି ଚିନ୍ତା ପ୍ରକଟ କରିଥିଲେ। ହୋଟେଲ୍‌ ଶିଳ୍ପରେ ୨୫ ‌େକାଟି ଟଙ୍କା ପର୍ଯ୍ୟନ୍ତ ପୁଞ୍ଜିନିବେଶରେ ୩୦ ପ୍ରତିଶତ ସବ୍‌ସିଡି ଦିଆଯାଉ। ୧୧ ବର୍ଷ ପର୍ଯ୍ୟନ୍ତ ୫ ପ୍ରତିଶତ ସୁଧ ସବ୍‌ସିଡି ଦିଆଯାଉ। ମାତ୍ର ତିନି ବର୍ଷ ପର୍ଯ୍ୟନ୍ତ ସବ୍‌ସିଡି ଦିଆଗଲେ, ବହୁ ହୋଟେଲ୍‌ ଓଡ଼ିଶାରେ ଖୋଲିପାରନ୍ତା ବୋଲି କନ୍‌କ୍ଲେଭ୍‌ରେ ଆଶାପ୍ରକଟ କରାଯାଇଛି। ବିମାନ ସେବା କ୍ଷେତ୍ରରେ କରାଯାଇଥିବା ସୁପାରିସ୍‌ ଅନୁଯାୟୀ ଉଡ଼ାଣ ସ୍କିମ୍‌ରେ ସାମିଲ୍‌ ହୋଇଥିବା ଜୟପୁର ବିମାନବନ୍ଦରକୁ ତୁରନ୍ତ କାର୍ଯ୍ୟକ୍ଷମ କରାଯାଉ। ଫଳରେ ଜୟପୁର ନିକଟସ୍ଥ ବହୁ ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବ। ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଦେଶ ଭିତରେ ଓ ବିଦେଶକୁ ଅଧିକ ବିମାନ ଚଳାଚଳ ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସହ ଆଲୋଚନା କରି ପଦକ୍ଷେପ ନିଆଯାଉ। ଭୁବନେଶ୍ବରରୁ ବିଦେଶକୁ ଅଧିକ ବିମାନ ଚଳାଚଳ କଲେ ଓଡ଼ିଶା ପର୍ଯ୍ୟଟନ ଶିଳ୍ପର ବିକାଶ ହେବା ସହ ଅର୍ଥନୀତିର ଅଭିବୃଦ୍ଧି ହୋଇପାରିବ। ସେହିପରି ବାରଣାସୀ, ବୋଧଗୟା, ପୁନେ ଓ ଅହମଦାବାଦକୁ ସିଧାସଳଖ ବିମାନ ସଂଯୋଗ କରି ଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ାଯାଇପାରିବ।

ଶ୍ରୀ ମହାନ୍ତି ତାଙ୍କ ପତ୍ରରେ ଆହୁରି ଦର୍ଶାଇଛନ୍ତି, କୋଣାର୍କ, ବୌଦ୍ଧ ସର୍କିଟ୍‌ ଓ ଚିଲିକା ହ୍ରଦକୁ ଭାରତ ସରକାରଙ୍କ ‘ଆଇକନିକ୍‌ ଟୁରିଷ୍ଟ ସ୍ପଟ୍‌’ ତାଲିକାରେ ସ୍ଥାନ ମିଳିବା ପାଇଁ ପଦକ୍ଷେପ ନିଆଯାଉ। ଓଡ଼ିଶା ପର୍ଯ୍ୟଟନରେ ଚିଲିକାର ସ୍ଥାନ ସ୍ବତନ୍ତ୍ର। ଚିଲିକାକୁ ବିଶ୍ବସ୍ତରର ପର୍ଯ୍ୟଟନ ସ୍ଥଳ କରିବା ପାଇଁ ପ୍ରଚୁର ସମ୍ଭାବନା ରହିଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନିଅନ୍ତୁ। ଚିଲିକା ନିକଟରେ ବିଜୁ ପଟ୍ଟନାୟକ ପାର୍କକୁ ବିକଶିତ କରିବା ପାଇଁ ଓଟିଡିସିକୁ ଦୁଇ କୋଟି ଟଙ୍କା ମଞ୍ଜୁରି ହୋଇଥିଲେ ବି କାମ ଆରମ୍ଭ ହୋଇନାହିଁ। ଏ ଦିଗରେ ପଦ‌େକ୍ଷପ ନିଆଯାଉ। ଏହା ସହ ଶାମୁକା ପ୍ରକଳ୍ପରେ ଗଲ୍‌ଫ୍‌ ପର୍ଯ୍ୟଟନକୁ ସ୍ବତନ୍ତ୍ର ଗୁରୁତ୍ବ ଦିଆଯାଉ।

ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ଥାଇ ଭୁବନେଶ୍ବର‌େର ଆନ୍ତର୍ଜାତିକ ମାନର କନ୍‌ଭେନ୍‌ସନ୍ ସେଣ୍ଟର୍‌ର ଆବଶ୍ୟକତା ରହିଛି। ଏ ଦିଗରେ ସରକାର ଗୁରୁତର ସହ ଚିନ୍ତା‌ କରନ୍ତୁ। ପରି‌େବଶ ପର୍ଯ୍ୟଟନ, ସିନେମା ଓ ସ୍ବାସ୍ଥ୍ୟ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦିଆଯିବ ସହ ସ୍ବତନ୍ତ୍ର ଭାବେ ବିଚ୍ ସାଇକ୍ଲିଂ, ବେଳାଭୂମିରେ ଗୁଡ଼ି ଉଡ଼ା, ଟେକ୍ସଟାଇଲ୍‌ ସର୍କିଟ୍‌, ୱାଟର୍‌ଫଲ୍‌ ସର୍କିଟ୍‌କୁ ଗୁରୁତ୍ବ ଦିଆଯାଉ। ହୀରାକୁଦ ପରି ବୃହତ୍ତ ଡ୍ୟାମ୍‌କୁ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ଗଣାଯାଇ ଏହାର ଚତୁଃପାର୍ଶ୍ବରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ କରାଯାଉ। ଓଡ଼ିଶାର ହସ୍ତତନ୍ତ, ହସ୍ତଶିଳ୍ପର ଚାହିଦା ବାହାରେ ରହୁଥିବାରୁ ତାହାର ବ୍ୟାପକ ମାର୍କେଟିଂ କରାଯିବାକୁ ହାରୋ ପକ୍ଷରୁ ସୁପାରିସ୍ କରାଯାଇଛି।

ବର୍ତ୍ତମାନ ଡିଜିଟାଲ୍‌ ମିଡିଆର ଚାହିଦା ଅଧିକ ରହିଥିବାରୁ ଏହି ପ୍ଲାଟ୍‌ଫର୍ମରେ ପର୍ଯ୍ୟଟନର ବ୍ୟାପକ ପ୍ରଚାର ପ୍ରସାର କରାଯାଉ। କେନ୍ଦ୍ର ସରକାରଙ୍କ ‘ଇନ୍‌କ୍ରେଡିବଲ୍‌ ଇଣ୍ଡିଆ’ କ୍ୟାମ୍ପେନ୍‌ରେ ଓଡ଼ିଶା ପର୍ଯ୍ୟଟନକୁ ଯେପରି ଗୁରୁତ୍ବ ଦିଆଯାଇ ପ୍ରଚାର କରାଯାଇପାରିବ, ସେ ଦିଗରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପଦକ୍ଷେପ ନେବାକୁ ହାରୋ ମତ ଦେଇଛି।

ସମ୍ବନ୍ଧିତ ଖବର