ଅନୁଭବଙ୍କୁ ଅଧିକ ଜେରା ପ୍ରସଙ୍ଗ: ହାଇକୋର୍ଟରେ ବର୍ଷାଙ୍କ ଆବେଦନର ଶୁଣାଣି 

କଟକ : କଟକ ପରିବାର ଅଦାଲତଙ୍କ ଅଗଷ୍ଟ ୧୬ର ନିର୍ଦ୍ଦେଶକୁ ଚାଲେଞ୍ଜ କରି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ହାଇକୋର୍ଟରେ ଦାୟର କରିଥିବା ଆବେଦନର ଆଜି ପ୍ରାରମ୍ଭିକ ଶୁଣାଣି ହୋଇଛି। ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୩୦ରେ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ପ୍ରତିପକ୍ଷ ଅନୁଭବ ମହାନ୍ତି ଆଇନଜୀବୀଙ୍କ ମାଧ୍ୟମରେ ଏହି ମାମଲାରେ ଉପସ୍ଥିତ ହୋଇ ସାରିଥିବାରୁ ତାଙ୍କୁ ଆଉ ନୋଟିସ୍ ଜାରି କରାଯିବାର ଆବଶ୍ୟକତା ନାହିଁ। ଆସନ୍ତା ୩୦ ତାରିଖରେ ଉଭୟ ବର୍ଷା ଓ ଅନୁଭବଙ୍କ ତରଫରୁ ଅଦାଲତରେ ପକ୍ଷ ରଖାଯିବ।

ମାମଲାର ବିବରଣୀରୁ ପ୍ରକାଶ ଯେ ଛାଡ଼ପତ୍ର ମାମଲାରେ ୨୦୨୨, ଜୁଲାଇ ୧୧ରେ ଅନୁଭବଙ୍କୁ ବର୍ଷାଙ୍କ ତରଫରୁ ଆଇନଜୀବୀ ଅଧିକ ଜେରାକରିବା ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ବର୍ଷାଙ୍କ ତରଫରୁ କେହି ଉପସ୍ଥିତ ନଥିବାରୁ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ଶେଷ କରିବାକୁ ପରିବାର ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ଅନୁଭବଙ୍କୁ ପୁଣି ଜେରାପାଇଁ ଅନୁମତି ଲୋଡ଼ି ଏବଂ ଜୁଲାଇ ୧୧ର ନିର୍ଦ୍ଦେଶକୁ ପ୍ରତ୍ୟାହାର ପ୍ରସଂଗ ନେଇ ବର୍ଷାଙ୍କ ତରଫରୁ ଦାୟର ଆବେଦନକୁ ପରିବାର ଅଦାଲତ ଅଗଷ୍ଟ ୧୬ରେ ଖାରଜ କରିଥିଲେ। ପରିବାର ଅଦାଲତଙ୍କ ଏହି ନିର୍ଦ୍ଦେଶକୁ ବିରୋଧ କରି ବର୍ଷା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର