ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ପ୍ରସଂଗରେ ତଥ୍ୟ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ

କଟକ: ପ୍ରବାସୀ ଶ୍ରମିକଙ୍କ ଯାତାୟତ ଓ ସୁରକ୍ଷା ପ୍ରସଂଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ତଥ୍ୟ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଜଷ୍ଟିସ ବିଶ୍ବଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରଫୁଲ୍ଲ ସାମନ୍ତରାଙ୍କ ଆବେଦନର ଶୁଣାଣି କରି ଏପରି ନି‌ର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍ ୧୧କୁ ଧାର୍ଯ୍ୟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ, କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ଦେଶରେ ମାର୍ଚ୍ଚ ଶେଷ ସପ୍ତାହରୁ ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ପ୍ରବାସୀ ଶ୍ରମିକମାନେ ଚାଲି ଚାଲି ଓ ବିଭିନ୍ନ ଉପାୟରେ ନିଜ ରାଜ୍ୟକୁ ଫେରିବା ଘଟଣା ସମ୍ମୁଖକୁ ଆସିଥିଲା। ଏଭଳି ପରିସ୍ଥିତି‌ରେ ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ଓ ଯାତାୟତ ପ୍ରସଂଗରେ ଅଦାଲତ ମଧ୍ୟ ନିର୍ଦ୍ଦେଶ ଦେଇ ପଦକ୍ଷେପ ନେବାକୁ ଦେଶର ବିଭିନ୍ନ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସରକାର ଶ୍ରମିକ ଏକ୍ସପ୍ରେସ୍ ଚଳାଇବା ସହିତ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ ଗ୍ରହଣ କରିଥିଲେ। କିନ୍ତୁ ଏହି ବ୍ୟବସ୍ଥା ପର୍ଯ୍ୟାପ୍ତ ନଥିବା ମନେ ହେଉଛି। ଏବେ ବି ପ୍ରବାସୀମାନେ ଚାଲି ଚାଲି ନିଜ ରାଜ୍ୟକୁ ଫେରୁଥିବା ଦେଖିବାକୁ ମିଳୁଛି। ଘରକୁ ଫେରୁଥିବା ଶ୍ରମିକ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ବାଟରେ ମୃତ୍ୟୁ ହେଉଥିବା ଘଟଣା ସମ୍ମୁଖକୁ ଆସୁଛି। ସେମାନେ ନିଜ ଖର୍ଚ୍ଚରେ ଚାଲି ଚାଲି ଫେରୁଛନ୍ତି। ବାଟରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ଭାବେ ଶତାଧିକଙ୍କ ଜୀବନ ଗଲାଣି। ଏ ସଂପର୍କରେ ଖବରକାଗଜରେ ନିୟମିତ ଖବର ପ୍ରକାଶ ପାଉଛି। କୋଲକାତାରୁ ପୁରୀ ଫେରୁଥିବା ଜଣେ ପ୍ରବାସୀ ଶ୍ରମିକଙ୍କ ଲକ୍ଷ୍ମଣନାଥ ଗେଟ୍ ନିକଟରେ ଦୁଃଖଦ ମୃତ୍ୟୁ ଖବର ମଧ୍ୟ ପ୍ରକାଶ ପାଇଥିଲା। ଏଥି ସହିତ ୧୭ ଜଣ ଓଡ଼ିଆ ପ୍ରବାସୀ ଶ୍ରମିକଙ୍କ ଦୁର୍ଘଟଣାରେ ମୃତ୍ୟୁକୁ ନେଇ ମଧ୍ୟ ରିପୋର୍ଟ ବାହାରିଥିଲା। ଏଭଳି ପରିସ୍ଥିତିରେ ପ୍ରବାସୀ ଶ୍ରମିକଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଏସ୍‌ଓପି ଜାରି କରାଯାଉ। ଏହି ପ୍ରସଂଗରେ ସରକାର କ’ଣ ପଦକ୍ଷେପ ଗ୍ରହଣ କରିଛନ୍ତି ସେ ନେଇ ଜବାବତଲବ କରାଯାଉ। ପ୍ରବାସୀ ଶ୍ରମିକଙ୍କ ସୁରକ୍ଷିତ ଯାତ୍ରା ଓ କଲ୍ୟାଣ ପାଇଁ ଏକ ସ୍ବାଧୀନ ସଂଗଠନ ଗଠନ କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଈଶ୍ବର ମହାନ୍ତି ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର