ତଳମୁଣ୍ଡ ବର୍ଷାକୁ ଦେଖି ପାଣି ଛାଡ଼ିବ ହୀରାକୁଦ, ଜଳସ୍ତର ୬୧୬ ଛୁଇଁଲା

ସମ୍ବଲପୁର : ବର୍ତ୍ତମାନ ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମଧ୍ୟମରୁ ଅତି ପ୍ରବଳ ବର୍ଷା ହେଉଛି। ହୀରାକୁଦ ବନ୍ଧ ତଳ ମୁଣ୍ଡରେ ମହାନଦୀ କ୍ୟାଚ୍‌ମେଣ୍ଟରେ ଥିବା ବିଭିନ୍ନ ଜିଲ୍ଲା ଯଥା ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ ଆଦି ଜିଲ୍ଲାରେ ବର୍ଷା ଲାଗି ରହିଥିବାରୁ ମହାନଦୀରେ ଜଳପ୍ରବାହ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ଦେଇ ପ୍ରବାହିତ ମହାନଦୀର ଉପନଦୀ ଗୁଡ଼ିକ ମଧ୍ୟ ଫୁଲିବାରେ ଲାଗିଛି। ଆଗାମୀ ଦିନେ ଦୁଇଦିନ ମଧ୍ୟରେ ଏହା ଆହୁରି ବଢ଼ିପାରେ ବୋଲି ଅନୁମାନ କରା ଯାଉଛି। ହୀରାକୁଦର ଜଳସ୍ତର ଏବେ ୬୧୫ ଫୁଟ୍‌ ଅତିକ୍ରମ କରି ସାରିଥିବାରୁ ପୂର୍ବ ଘୋଷଣା ଅନୁଯାୟୀ ୧୪ ତାରିଖ ଦିନ ଗେଟ୍ ଖୋଲିବାର ଔପଚାରିକତା ନିଶ୍ଚୟ ପୂରଣ କରାଯିବ ବୋଲି ହୀରାକୁଦ ବନ୍ଧ ମୁଖ୍ୟ ଯନ୍ତ୍ରୀ ସୁନୀଲ ନାୟକ କହିଛନ୍ତି। ତେବେ ସେହି ସମୟରେ ତଳମୁଣ୍ଡରେ ବର୍ଷା ଓ ଜଳ ପ୍ରବାହର ସ୍ଥିତି ଦେଖି ହିଁ କେତେ ପାଣି ଛଡ଼ାଯିବ ସେ ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଇଂ ନାୟକ ସୂଚନା ଦେଇଛନ୍ତି। ଏଥି ପାଇଁ ତଳ ମୁଣ୍ଡରେ ବିଭିନ୍ନ ମାଧ୍ୟମରେ ଆଗୁଆ ସତର୍କ ସୂଚନା ଜାରି କରାଯାଇ ସାରିଛି। ସୋମବାର ସକାଳ ୬ଟା ବେଳକୁ ହୀରାକୁଦ ଜଳଭଣ୍ଡାରକୁ ୯୫, ୦୩୨ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିଲାବେଳେ ଦିନ ୩ଟା ବେଳେ ତାହା ୭୫, ୯୭୧ କ୍ୟୁସେକ୍‌କୁ ହ୍ରାସ ପାଇଥିଲା। ସଂଧ୍ୟା ୬ଟାରେ ପୁଣି ଜଳପ୍ରବେଶ ବୃଦ୍ଧି ପାଇ ୮୪, ୮୪୫ କ୍ୟୁସେକ୍‌ରେ ପହଞ୍ଚିଥିଲା। ରାତି ୯ଟା ବେଳକୁ ହୀରାକୁଦ ଜଳସ୍ତର ୬୧୬.୦୬ ଫୁଟ ଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୧୭, ୭୩୬ କ୍ୟୁସେକ୍‌ ପାଣି ନିଷ୍କାସିତ ହେଉଥିଲା।

ସମ୍ବନ୍ଧିତ ଖବର