ସ୍ତ୍ରୀକୁ ହତ୍ୟା କରି ପୋଖରୀରେ ଫିଙ୍ଗିଦେଲା, ସ୍ବାମୀ ଗିରଫ

ପାଟଣା : ସ୍ତ୍ରୀକୁ ତଣ୍ଟିଚିପି ହତ୍ୟା କରିବା ପରେ ପୋଖରୀରେ ଫିଙ୍ଗି ଦେଇଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୁଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି।

ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଖିରେଇଟାଙ୍ଗିରି ଗ୍ରାମର ଲକ୍ଷ୍ମୀପ୍ରିୟା ମହାନ୍ତ (୪୦)ଙ୍କ ସହିତ ସ୍ବାମୀ ଗିରିଧାରୀ ମହାନ୍ତଙ୍କର ଝଗଡ଼ା ହୋଇଥିଲା। ପରେ ପରେ ଲକ୍ଷ୍ମୀପ୍ରିୟା ନିଖୋଜ ହୋଇଯାଇଥିଲେ। ଦୁଇ ଦିନ ହେଲା ତାଙ୍କର କୌଣସି ଖୋଜ ଖବର ମିଳି ନଥିଲା। ଗତକାଲି ରାତିରେ ଏକ ମୃତଦେହ ଗ୍ରାମର ପୋଖରୀରେ ଭାସୁଥିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ତୁରୁମୁଙ୍ଗା ପୁଲିସ ଗତକାଲି ରାତିରେ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ମୃତ ଦେହ ଉଦ୍ଧାର କରିଥିଲେ। ଏହା ଲକ୍ଷ୍ମୀପ୍ରିୟାଙ୍କର ବୋଲି ଚିହ୍ନଟ ହେବା ପରେ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଥିଲେ।

ଖବର ପାଇ ଲକ୍ଷ୍ମୀପ୍ରିୟାଙ୍କ ବାପା ବୈଷ୍ଣବଚରଣ ମହାନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଜୋଇଁ ଗିରିଧାରୀ  ଝିଅ ଲକ୍ଷ୍ମୀପ୍ରିୟାଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ  ପୋଖରୀରେ ଫିଙ୍ଗି ଦେଇଥିବା ସେ ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ତୁରୁମୁଙ୍ଗା ପୁଲିସ କେସ ନମ୍ବର ୮୩/୨୩ ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ସ୍ବାମୀ ଗିରିଧାରୀ ମହାନ୍ତକୁ ପୁଲିସ ଆଜି  ଗିରଫ କରି କୋର୍ଟ ଚାଲାଣ କରିଥିବା  ଥାନା ଅଧିକାରୀ ମଦନ ମୋହନ ନାଏକ ପ୍ରକାଶ କରିଛନ୍ତି। ଲକ୍ଷ୍ମୀପ୍ରିୟା ଖିରେଇଟାଙ୍ଗିରି ଗ୍ରାମ ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ଥିଲେ।

ସମ୍ବନ୍ଧିତ ଖବର