ରାତି ଅଧରେ ହାଇଦରକୁ କୋର୍ଟରେ ହାଜର କରାଗଲା

ଟ୍ରାନଜିଟ୍ ରିମାଣ୍ଡରେ ଆଣିଲା ଓଡ଼ିଶା ପୁଲିସ, ଦୁଇଟି ଟିମ୍‌ରେ ସାମିଲ ହୋଇଥିଲେ ୧୦ ଅଫିସର

ଭୁବନେଶ୍ବର : ତେଲେଙ୍ଗାନାର ସଙ୍ଗାରେଡ୍ଡୀ ଜିଲ୍ଲାରୁ ହାଇଦର ଧରାପଡ଼ିବା ପରେ ରାତି ଅଧରେ ତାକୁ ସ୍ଥାନୀୟ କୋର୍ଟରେ ହାଜର କରାଇଛି ପୁଲିସ। ଏହା ପରେ ଟ୍ରାନଜିଟ୍ ରିମାଣ୍ଡରେ ଅଣାଯାଇଛି। ଆସନ୍ତାକାଲି(ଶୁକ୍ରବାର) ବିମାନ ଯୋଗେ ହାଇଦରକୁ ଓଡ଼ିଶା ଅଣାଯିବ। ଭୁବନେଶ୍ବରରେ ପହଞ୍ଚିବା ପରେ ସ୍ବତନ୍ତ୍ର ସୁରକ୍ଷା ବଳୟରେ କଟକ ନିଆଯିବ। ମଙ୍ଗଳାବାଗ ଥାନାରେ ମାମଲା ହୋଇଥିବାରୁ ପ୍ରଥମେ ସେଠାକୁ ନିଆଯିବ। ସେଠାରେ କାଗଜପତ୍ର କାମ ଶେଷ ହେବା ପରେ କୋର୍ଟରେ ହାଜର କରାଯିବ। କଟକ ବଡ଼ମେଡିକାଲରୁ ଫେରାର ହେବା ସହ ତେଲଙ୍ଗାନା ଯିବା, ଏହାର ପୂର୍ବ ଯୋଜନା, ଫେରାର ହେବା ପଛରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି ସେ ସମ୍ପର୍କରେ ଖୋଳତାଡ଼ ହେବ ବୋଲି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଖସିବା ଲାଗି ସବୁ ଯୋଜନା ପ୍ରସ୍ତୁତ କରିଥିଲା। ନିଜେ ହିଁ ରଚିଥିଲା ବ୍ଲୁ ପ୍ରିଣ୍ଟ। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କଟକରେ ରହୁଥିବା ହାଇଦର ଗ୍ୟାଙ୍ଗ୍‌ର ପ୍ରାୟ ୧୦ ଜଣ ସହଯୋଗୀ ଏଥିପାଇଁ ସହଯୋଗ କରିଥିଲେ। ସମସ୍ତ ସହଯୋଗୀମାନଙ୍କୁ ଖୋଜା ଚାଲିଛି। ହାଇଦର ତେଲେଙ୍ଗାନାରେ ଥିବା ଖବର ମିଳିବା ପରେ କଟକ ପୁଲିସର ଦୁଇଟି ଟିମ୍ ଗତ ୧୧ ତାରିଖଠାରୁ ସେଠାରେ ଡେରା ପକାଇଥିଲେ। ଏହି ଦୁଇଟି ଟିମ୍‌ରେ ଥିଲେ ୧୦ ଅଫିସର। ପ୍ରଥମେ ତା’ର କାର୍‌କୁ ଟ୍ରାକିଂ କରା ଯାଇଥିଲା। କାର୍‌ ଠାବ ହେବା ପରେ ହାଇଦରକୁ ଗିରଫ କରିବା ସହଜ ହୋଇଥିଲା।

ସମ୍ବନ୍ଧିତ ଖବର