ଭୁବନେଶ୍ୱର : ଦରମା ବୃଦ୍ଧି ଦାବିରେ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧୀନରେ ସମସ୍ତ ବ୍ଲକ୍ରେ କାର୍ଯ୍ୟରତ ରାତ୍ର ଜଗୁଆଳ-ପିଅନ ସଂଘ ପକ୍ଷରୁ ଲୋୟର୍ ପିଏମ୍ଜିରେ ଧାରଣା ଦିଆଯାଇଛି। ସଂଘର ଅଭିଯୋଗ ଯେ, ସେମାନଙ୍କୁ ଦିନ ମଜୁରିଆ ହିସାବରେ ଦିନକୁ ୭୨ ଟଙ୍କା ୫୦ ପଇସା ଦରମା ମିଳୁଛି। ତାହା ପୁଣି ନିୟମିତ ନୁହେଁ, ୨ବର୍ଷକୁ ଥରେ ଦରମା ମିଳିବା ନଜିର ରହିଛି। ଏ ନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ନିକଟରେ ବାରମ୍ବାର ଗୁହାରି କରିଥିଲେ ମଧ୍ୟ କୌଣସି ଫଳ ନ ମିଳିବାରୁ ନିଖିଳ ଓଡ଼ିଶା ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ରାତ୍ର ଜଗୁଆଳ-ପିଅନ ମହାସଂଘ ପକ୍ଷରୁ ଏହି ଧାରଣା ଦିଆଯାଇଛି। ଦୈନିକ ସର୍ବନିମ୍ନ ୩୦୦ ଟଙ୍କା ମଜୁରି, ବାକି ପଡ଼ିଥିବା ୪୪ ପଦବି ପୂରଣ ଓ ୬ ବର୍ଷରୁ ଅଧିକ କାମ କରିଥିବା କର୍ମଚାରୀଙ୍କୁ ନିୟମିତ କରିବା ଦାବିରେ ସଂଘର ଶତାଧିକ କର୍ମଚାରୀ ଶୋଭାଯାତ୍ରାରେ ଆସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ମହାସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ ଦାସ ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ ମିଶ୍ର, ବଳରାମ ଭୋଳ, ଦିବ୍ୟରଞ୍ଜନ ଭୋଇ, ପ୍ରହଲ୍ଲାଦ ମାଝୀ, ମହେନ୍ଦ୍ର ବାଗ୍, ପ୍ରଶାନ୍ତ ମୁଦୁଲି ଓ ଭୀମ କରତିଆ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।