ଚନ୍ଦାହାଣ୍ତି ବ୍ଲକର ବିଭିନ୍ନ ଅଞ୍ଚଳରେ ଧାନ ଫସଲରେ ଚକଡ଼ା ପୋକ, ଚିନ୍ତାରେ ଚାଷୀ

ଚନ୍ଦାହାଣ୍ତି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ତି ବ୍ଲକର ବିଭିନ୍ନ ଅଞ୍ଚଳର ଧାନ ଫସଲରେ ଚକଡ଼ା ପୋକ ଲାଗିବା ଯୋଗୁଁ ଚାଷୀ ଚିନ୍ତାରେ ପଡିଛନ୍ତି। ଚନ୍ଦାହାଣ୍ତି ବ୍ଲକର ପ୍ରାୟ ଅର୍ଧାଧିକ ପଞ୍ଚାୟତର ଧାନ ଫସଲରେ ଚକଡ଼ା ପୋକ ଲାଗିଛି। ପୋକ ଗୁଡିକ ସଂପୂର୍ଣ୍ଣ ଧାନ ଖାଇ ଦେଉଥିବା ଦେଖିବାକୁ ମିଳିଛି। ଚନ୍ଦାହାଣ୍ତି ଗ୍ରାମର ସୁମନ୍ତ କୁମାର କୁଣ୍ତୁଙ୍କ ୫ ଏକରରୁ ଊର୍ଧ୍ବ ଜମିରେ ହୋଇଥିବା ଧାନ ଫସଲ ଚକଡ଼ା ପୋକ ଲାଗି ସଂପୂର୍ଣ୍ଣ ନଷ୍ଟ ହେବାକୁ ବସିଛି। ଚାଷୀ ମାନେ ଏନେଇ କୃଷି ବିଭାଗ ଅଧିକାରୀଙ୍କୁ ଅବଗତ କରାଇଛନ୍ତି। କିନ୍ତୁ କୃଷି ଅଧିକାରୀ ମାନେ କ୍ଷେତ୍ର ପରିଦର୍ଶନ କରି ଯାହା ଔଷଧ ଦେଉଛନ୍ତି ସେଥିରେ ପୋକ ମରୁନଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି।

ଗତବର୍ଷ ଧାନ ଫସଲରେ ଏହି ପୋକ ଲାଗିଥିବାରୁ ବରଗଡ ଜିଲ୍ଲାର ବହୁ ଚାଷୀ ଧାନ ଫସଲରେ ନିଆଁ ଲଗାଇ ଦେଇଥିଲେ। କେବଳ ଚନ୍ଦାହାଣ୍ତି ମୈାଜା ନୁହଁ ବ୍ଲକର ଚକାମାଲ, ଶରଧାପୁର, ଗମ୍ଭାରୀଗୁଡା,ପାଟଖଲିଆ, ଜୁନାପାଣି, ଖଇରଭାଡି, ହଳଦୀ, ବେହେରାମୁଣ୍ତା, କୋଇଲିମୁଣ୍ତା, ଫଟିକି, ମୋହରା, ଲାଙ୍ଗପଡା, ସିନାପାଲି, ମୋତିଗାଁ, ଜମାଦାରପଡା ସମେତ ବହୁ ମୈାଜାର ଧାନ ଫସଲରେ ଚକଡ଼ା ପୋକ ଲାଗି ଫସଲ ନଷ୍ଟ ହୋଇଥିବା ଚାଷୀ ଶାନ୍ତି ବାଘ, ଗୈାରହରି ନାୟକ, ମହମ୍ମଦ ଇକବାଲ, ବବି ବିଶୋଇ, ବଂଶୀଧର ନାୟକ, ଅବଦୁଲ ରଜାକ, ସୁଜିତ ଦଣ୍ତସେନା, ଅମିତ ଖମାରୀ, ଦୁର୍ଯ୍ୟୋଧନ ପୂଜାରୀ, ଏସ.ଏମ ଅସଗର ପ୍ରମୁଖ ଅଭିଯୋଗ କରିଛନ୍ତି। ସେହିପରି ବ୍ଲକର ବିଭିନ୍ନ ମୈାଜାରେ ହୋଇଥିବା ବିରି ଫସଲ ମଧ୍ୟ ନଷ୍ଟ ହୋଇଛି। ଗଛରେ ବିରି ହେଉନଥିବା ଚାଷୀ ପ୍ରଦୀପ ଦାଶ ପ୍ରକାଶ କରିଛନ୍ତି। ଚନ୍ଦାହାଣ୍ତି ବ୍ଲକରେ ଚଳିତ ବର୍ଷ ଭଲ ଫସଲ ହେବ ବୋଲି ଚାଷୀ ଆଶା ବାନ୍ଧିଥିଲେ। କିନ୍ତୁ ଧାନ ଫସଲରେ ଚକଡ଼ା ପୋକ ଲାଗିବା ପରେ ଧାରକରଜ କରି ଚାଷ କରିଥିବା ଚାଷୀ ଋଣ ପରିଶୋଧ ନେଇ ଚିନ୍ତାରେ ପଡିଛନ୍ତି। ଅନ୍ୟପଟେ ରୋଗ ପୋକ ଦମନ ନିମନ୍ତେ ଔଷଧ ସିଞ୍ଚନ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି।

ଚକଡ଼ା ପୋକ ଯୋଗୁଁ ଅଞ୍ଚଳରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିଲେ ହେଁ କୃଷି ବିଭାଗ ଅଧିକାରୀ ମାନେ ଚୁପ୍ ହୋଇ ବସି ରହିତିବା ଚାଷୀ ମାନେ ଅଭିଯୋଗ କରିଛନ୍ତି। ଯଦି ଏହି ରୋଗ ପୋକ ଦମନ ନିମନ୍ତେ ବିହିତ ପଦକ୍ଷେପ ନିଆନଯାଏ ତେବେ ଚାଷୀଙ୍କ ମେରୁଦଣ୍ତ ଭାଙ୍ଗିଯିବ ବୋଲି ସାଧାରଣରେ ଆଲୋଚନା ହେଉଛି। ଶୀଘ୍ର ପ୍ରଶାସନ ଓ ସରକାର ଚାଷୀଙ୍କ କ୍ଷୟକ୍ଷତିର ଆକଳନ କରି ତୁରନ୍ତ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି। ଏସଂପର୍କରେ ବ୍ଲକ କୃଷି ଅଧିକାରୀଙ୍କୁ ପଚାରିବାରୁ ବ୍ଲକର ବିଭିନ୍ନ ମୈାଜାରେ ୭୦ ହେକ୍ଟର ଜମିରେ ଚକଡ଼ା ପୋକ ଲାଗିଥିବା କହିବା ସହ ବର୍ତମାନ କ୍ଷୟକ୍ଷତି ଆକଳନ ଚାଲିଛି କହିଛନ୍ତି। ଏହାର ପରିମାଣ ଅଧିକ ମଧ୍ୟ ହୋଇପାରେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର