‘ଶ୍ରୀଜଗନ୍ନାଥଙ୍କୁ‌ ନିଜର ପ୍ରେମିକ କରିଦିଅ’

ଅନ୍ତର୍ଜାତୀୟ ଚାରଣ ଗୋଷ୍ଠୀ ସୁବର୍ଣ୍ଣ ଜୟନ୍ତୀ

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଆମେ ପୃଥିବୀପୃଷ୍ଠକୁ ଆସିଛେ। ତୁମେ ତାଙ୍କର ହୋଇଯାଅ, ତାଙ୍କୁ ଆପଣାର କରିଦିଅ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିଜର ପ୍ରେମିକ କରିଦିଅ। ଜୀବନ ରସସିକ୍ତ ହୋଇଯିବ। ଅନ୍ତର୍ଜାତୀୟ ଚାରଣଗୋଷ୍ଠୀର ସୁବର୍ଣ୍ଣ ଜୟନ୍ତୀକୁ ଉଦ୍‌ଘାଟନ କରି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଏହା କହିଛନ୍ତି। ଡୁଡୱାଲା ଧର୍ମଶାଳାରେ ଆଜି ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ କହିଲେ, ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରକୃତ ଆଧାର ହେଉଛି, ସମସ୍ତଙ୍କୁ ପ୍ରେମ କର, ସ୍ବୀକାର କର ଓ ସମ୍ମାନ କର। ଉତ୍କଳମଣି ଗୋପବନ୍ଧୁଙ୍କ ଭାଷାରେ ତାଙ୍କର ଜାତି ହେଉଛି ମନୁଷ୍ୟ, ଧର୍ମ ହେଉଛି ମାନବିକତା, ଦେଶ ହେଉଛି ଅଖିଳ ବିଶ୍ବ ଏବଂ ଶାସକ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ଯଦି ଅନ୍ତତଃ ଋଷ ଓ ୟୁକ୍ରେନ ଓ ଅନ୍ୟ ଯୁଦ୍ଧଖୋର ଦେଶ ଏହି ଉକ୍ତିକୁ ଆପଣାଇ ନିଅନ୍ତେ ତେବେ ଯୁଦ୍ଧର ଆବଶ୍ୟକତା ପଡ଼ନ୍ତା ନାହିଁ। ଅନ୍ତଃକରଣ ପ୍ରେମ ପ୍ରବାହରେ ହିଁ ବିଶ୍ବ ଏକ ହୋଇପାରିବ ବୋଲି ସେ କହିଥିଲେ।

ସେ ଏକଥା ବି କହିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସବ୍‌କା ସାଥ୍‌ ସବ୍‌କା ବିକାଶ ନାରା କେବଳ ଭାରତ ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ସମଗ୍ର ବିଶ୍ବ ପାଇଁ ବୋଲି ସେ କହିଥିଲେ। ଏହି ଅବସରରେ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ତର୍ଜାତୀୟ ଚାରଣ ଗୋଷ୍ଠୀର ଦଳପତି ପ୍ରଫେସର ଡ.ଗୋପାଳ ଚନ୍ଦ୍ର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନୀଳାଦ୍ରି ଆଧ୍ୟାତ୍ମିକ ଟ୍ରଷ୍ଟର ସଭାପତି ରାମଚନ୍ଦ୍ର ଦାସ ମହାପାତ୍ର, ଉପଦଳପତି ଡ.ଶରତ ଚନ୍ଦ୍ର ପାତ୍ର, ସାଧାରଣ ସମ୍ପାଦକ ହରିଶ ଚନ୍ଦ୍ର ସାହୁ, ପରିଚାଳନା ସମ୍ପାଦକ ବଂଶୀଧର ପରିଡ଼ା, ଯୁଗ୍ମ ସମ୍ପାଦକ ଡ.ସୁରେଶ ଚନ୍ଦ୍ର ବରାଳ ପ୍ରମୁଖ ଚାରଣ ଗୋଷ୍ଠୀ ଓ ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଶ୍ରୀଜଗନ୍ନାଥ ଧର୍ମ, ସଂସ୍କୃତି ସୁରକ୍ଷା ସଂଗଠନର ରାଜ୍ୟ ସଭାପତି ବଦ୍ରି ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଚାରଣ ଗୋଷ୍ଠୀର ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ବେହେରା ସ୍ବାଗତ ଭାଷଣ ରଖିଥିଲେ। ଗଣେଶ୍ବର ପରିଡ଼ାଙ୍କ ସମ୍ପାଦନାରେ ମୁଖପାତ୍ର ‘ଉନ୍ମନା’, କବି ଗୋପାଳ ଚନ୍ଦ୍ର ରଥଙ୍କ ‘ନିଳାଦ୍ରୀ ନିବାସ’, କବି ତିଳକ ସୁରେଶ ବରାଳଙ୍କ ‘ହନୁମାନ ଚରିତ୍ରାମୃତ’ ଓ ଗୀତିକାର ବଦ୍ରି ମିଶ୍ରଙ୍କ ନୂତନ ଗୀତିକବିତା ସଂକଳନକୁ ରାଜ୍ୟପାଳ ଉନ୍ମୋଚନ କରିଥିଲେ।

ଏହି ଅବସରରେ ଚାରଣ ଗୋଷ୍ଠୀର ପ୍ରତିଷ୍ଠାତା ପଦ୍ମଶ୍ରୀ ପଣ୍ଡିତ ସଦାଶିବ ରଥଶର୍ମାଙ୍କୁ ମରଣୋତ୍ତର ‘ଚାରଣ ଭାସ୍କର’ ସମ୍ମାନ ପ୍ରଦାନ କରାଯାଇଥିଲା। ତାଙ୍କ ପରିବାର ଏହି ସମ୍ମାନ ଗ୍ରହଣ କରିଥିଲେ। ଜଗନ୍ନାଥ ସଂସ୍କୃତି ଜ୍ଞାନ ପରୀକ୍ଷାରେ ୩ ବର୍ଷରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଆଦିତ୍ୟ କୁମାର ସାହୁ, ବିଶ୍ଵଜିତ ସାମଲ ଓ ସୌରଭ ମଲ୍ଲିକଙ୍କୁ ପୁରସ୍କୃତ କରାଯାଇଥିଲା। ଗୋବିନ୍ଦ ଚନ୍ଦ୍ର ବେହେରା ଓ ତପନ କୁମାର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ତିନିଦିନ ଧରି କାଯ୍ୟକ୍ରମ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର