ମାଲକାନଗିରି : ଭାସିଗଲା ଯବାନଙ୍କ ଗାଡ଼ି, ନକ୍ସଲ ଅପରେସନ୍‌ରୁ ଫେରୁଥିଲେ, ଅଳ୍ପକେ ବର୍ତ୍ତିଲେ ୩୦ ଯବାନ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଆଜି ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ଯବାନ। ଡିଆରଜି ଯବାନ କମ୍ବିଂ ସାରି କ୍ୟାମ୍ପକୁ ଫେରୁଥିବାବେଳେ ଏକ ପୋଲ ଉପରୁ ସେମାନଙ୍କ ଗାଡ଼ି ତଳକୁ ଖସିପଡ଼ିଥିଲା। ତେବେ, ଦୁର୍ଘଟଣାରେ ଯବାନଙ୍କର କିଛି କ୍ଷତି ହୋଇନଥିବା ଜଣାପଡ଼ିଛି।

ଆଜି ଦି’ପହର ସମୟରେ ଡିଆରଜି ଯବାନ କମ୍ବିଂ ସାରି କ୍ୟାମ୍ପକୁ ଫେରୁଥିଲେ। ଜଙ୍ଗଲ ମଧ୍ୟରେ ଥିବା ଏକ ପୋଲ ଉପରେ ବଢ଼ି ପାଣି ପ୍ରବାହିତ ହେଉଥିବା ଦେଖି ଗାଡ଼ି ଅଟକି ଯାଇଥିଲା। ହେଲେ ଡ୍ରାଇଭର ପୋଲ ପାର କରିବାକୁ ଦୁଃସାହସ କରିଥିଲେ। ଏହି ସମୟରେ ଗାଡ଼ିରେ ବସିଥିବା ପ୍ରାୟ ୩୦ ଜଣ ଯବାନଙ୍କ ମଧ୍ୟରୁ କିଛି ଯବାନ ଓହ୍ଲାଇ ପଡ଼ିଥିଲେ। ପରେ ଗାଡ଼ିଟି ପୋଲ ପାର କରିବା ବେଳେ ପାଣି ସୁଅରେ ଭାସି ତଳକୁ ଖସି ପଡ଼ିଥିଲା। ଅନ୍ୟ ଯବାନମାନେ ଗାଡ଼ିରେ ଥିବା ସାଥୀ ଯବାନଙ୍କୁ ଉଦ୍ଧାର କରିଥିଲେ।

ବେପରୁଆ ଗାଡ଼ି ଚାଳନା ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଇଛି। ନକ୍ସଲପ୍ରବଣ ଅଞ୍ଚଳ ହୋଇଥିବାରୁ ଯବାନଙ୍କ ସାମାନ୍ୟ ଅସାବଧାନତା ନକ୍ସଲଙ୍କ ପାଇଁ ବଡ଼ ସୁଯୋଗ ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର