ଶିକ୍ଷାର ହବ୍‌ ହୋଇଛି କଳାହାଣ୍ଡି: ମୁଖ୍ୟମନ୍ତ୍ରୀ

୮୫୯ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ
କୃଷି, ଶିକ୍ଷା ଓ ଭିତ୍ତିଭୂମି କ୍ଷେତ୍ରରେ କଳାହାଣ୍ଡି ଆଗୁଆ
ମୁଖ୍ୟମନ୍ତ୍ରୀଙ୍କ ମଞ୍ଚରେ ବସିଲେ ମନ୍ତ୍ରୀ ଦିବ୍ୟଶଙ୍କର

ଭବାନୀପାଟଣା : ଗତ ଜୁନ ମାସରେ କଳାହାଣ୍ଡି ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ କେନାଲ୍‌ ପ୍ରକଳ୍ପ ଆରମ୍ଭ ହୋଇଛି। ଜିଲ୍ଲାର ୬୮ ପ୍ରତିଶତ ଜମି ଜଳସେଚନର ସୁବିଧା ହୋଇପାରିଛି। ଜିଲ୍ଲାର ଧାନ ଉତ୍ପାଦନ ୭୪ ଲକ୍ଷ ଟନ୍‌ରେ ପହଞ୍ଚିଥିବା ବେଳେ ମାଛ ଉତ୍ପାଦନରେ ଜିଲ୍ଲାକୁ ଜାତୀୟ ପୁରସ୍କାର ମିଳିଛି। କପା ଉତ୍ପାଦନରେ କଳାହାଣ୍ଡି ସାରା ରାଜ୍ୟରେ ପ୍ରଥମ। ଚଳିତ ବର୍ଷ କପା ପାଇଁ ବଜାରରେ ଭଲ ଦାମ ମିଳୁଥିବାରୁ ଚାଷୀଙ୍କ ରୋଜଗାର ବୃଦ୍ଧି ପାଇଛି। ସୋମବାର କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ ଅବସରରେ ଭବାନୀପାଟଣା ଓୟୁଏଟି ପରିସରରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ କଳାହାଣ୍ଡିରେ ପ୍ରାୟ ୮୫୯ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟର ୯୬ ଲକ୍ଷ ପରିବାର ଓ ସାଢ଼େ ୩କୋଟି ଲୋକ ସ୍ମାର୍ଟ କାର୍ଡରୁ ଉପକୃତ ହେବେ। ଜିଲ୍ଲାର ପ୍ରାୟ ୧୪ ଲକ୍ଷ ଲୋକ ସ୍ମାର୍ଟ କାର୍ଡ ସୁବିଧା ପାଇବେ। ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ଦ୍ବାରା ଗରିବ ଲୋକମାନେ ସ୍ବାସ୍ଥ୍ୟ ସେବା ପାଇଁ ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ। କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ଟି ବଡ଼ ବଡ଼ ହସ୍ପିଟାଲରେ ଚିକିତ୍ସା ସୁବିଧା ପାଇପାରିବେ। ଏଥିପାଇଁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ; ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଚିକିତ୍ସା ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି। କଳାହାଣ୍ଡି ଜିଲ୍ଲାରେ ଭିତ୍ତିଭୂମି କାମ ଖୁବ ଦ୍ରୁତ ଗତିରେ ଚାଲିଛି। ଜିଲ୍ଲାର ପ୍ରତି ଗାଁକୁ ପାଇପ୍‌ ପାଣି ଯୋଗାଇ ଦେବାପାଇଁ ୨୫୦୦ କୋଟି ଟଙ୍କାର ପ୍ରକଳ୍ପ କାମ ଜାରି ରହିଛି। ବିଜୁ ଏକ୍ସପ୍ରେସ ୱେ, ଭବାନୀପାଟଣା ବାଇପାସ୍‌, ଭବାନୀପାଟଣା-ରାୟଗଡ଼ା ରାସ୍ତା କାମ, ବିଭିନ୍ନ ଗ୍ରିଡ୍‌ ସବଷ୍ଟେସନ କାମ, କେସିଙ୍ଗାରେ ବସ୍ତି ଲୋକଙ୍କ ଥଇଥାନ କାମ ଭଳି ସବୁ କ୍ଷେତ୍ରରେ କଳାହାଣ୍ଡି ବେଶ୍‌ ସଫଳତାର ସହ ଆଗେଇ ଚାଲିଛି। କଳାହାଣ୍ଡିରେ ମିସନ ଶକ୍ତିର ମାଆମାନେ ମଧ୍ୟ ଧାନ ସଂଗ୍ରହ କ୍ଷେତ୍ରରେ ବହୁତ ଭଲ କାମ କରୁଛନ୍ତି। ସ୍ବାସ୍ଥ୍ୟ ଓ କୃଷି କ୍ଷେତ୍ରରେ ଭଲ କାମ ପାଇଁ କଳାହାଣ୍ଡି ନୀତି ଆୟୋଗର ମାନ୍ୟତା ମଧ୍ୟ ପାଇଛି। କଳହାଣ୍ଡି ବର୍ତ୍ତମାନ ଶିକ୍ଷାର ‌ହବ୍ ହୋଇଛି। କଳାହାଣ୍ଡି ବିଶ୍ବବିଦ୍ୟାଳୟ, କଳାହାଣ୍ଡି ସରକାରୀ ଇଞ୍ଜିନିୟରିଂ କଲେଜ୍‌, ସରକାରୀ କୃଷି ମହାବିଦ୍ୟାଳୟ କଳାହାଣ୍ଡିର ଛାତ୍ରଛାତ୍ରୀମାନଙ୍କ ପାଇଁ ଶିକ୍ଷାର ସୁଯୋଗ ସୃଷ୍ଟି କରିଛି। ଜିଲ୍ଲାରେ ୧୦୦ ଆସନ ବିଶିଷ୍ଟ ସରକାରୀ ମେଡିକାଲ୍‌ କଲେଜ୍‌ର ନିର୍ମାଣ କାମ ଖୁବ୍‌ ଶୀଘ୍ର ଶେଷ ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ସହିତ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଟୁକୁନୀ ସାହୁ ଯୋଗ ଦେଇ ପଶ୍ଚିମ ଓଡ଼ିଶାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେବା ସହିତ ମହିଳାମାନଙ୍କ ପାଇଁ ବିଭିନ୍ନ ଯୋଜନା କରିଛନ୍ତି ବୋଲି କହିଥିଲେ। ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଥିଲେ; ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁଁ ବର୍ତ୍ତମାନ ବଲାଙ୍ଗୀର, କଳାହାଣ୍ଡି ଓ ଫୁଲବାଣୀ ଜିଲ୍ଲାରେ ମଧ୍ୟ ମେଡିକାଲ୍‌ କଲେଜ୍‌ର ସୁବିଧା ଲୋକେ ପାଇ ପାରିବେ। ଶକ୍ତି ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଥିଲେ ଯେ କଳାହାଣ୍ଡି ଗତ ୨୧ ବର୍ଷରେ ବହୁ ପ୍ରଗତିର ମୁଖସାକ୍ଷୀ ପାଲଟିଛି। ଫଳରେ ଭୋକର ଭୂଗୋଳ ବଦଳରେ ସବୁଜ ସଫଳରେ ପରିଣତ ହୋଇପାରିଛି। ଜୁନାଗଡ଼ ଠାରୁ ବାଙ୍ଗଲାଦେଶକୁ କପା ରପ୍ତାନୀ ହୋଇପାରିଛି। ୪ଟି ୨୨୦ କେଭି ବିଦ୍ୟୁତ ସଂଯୋଗ ପାଇଁ କାର୍ଯ୍ୟ ଚାଲିଛି। ବିଜୁ ଏକ୍ସପ୍ରେସ ଅଞ୍ଚଳରେ ଇଡକୋ ପକ୍ଷରୁ ଶିଳ୍ପାଞ୍ଚଳ ପ୍ରତିଷ୍ଠା ଦ୍ବାରା ଅର୍ଥନୈତିକ କରିଡର ପ୍ରତିଷ୍ଠା ହେବାକୁ ଯାଉଛି ବୋଲି କହିଥିଲେ। ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଧନ୍ୟବାଦ ଦେବା ସହିତ ରାଜ୍ୟ ସରକାରଙ୍କ ସଫଳତା ନେଇ ବିରୋଧୀଙ୍କ ଛାତି ଜଳୁଛି। ଆଗକୁ ଯେତେ ଷଡ଼ଯନ୍ତ୍ର କଲେ ମଧ୍ୟ ବଦନାମ କରିବା ପାଇଁ ସକ୍ଷମ ହେବେ ନାହିଁ ବୋଲି କହିଥିଲେ।

କାର୍ଯ୍ୟକ୍ରମକୁ ଆକାଶ ଦାସ ନାୟକ ଓ ସୁଲତା ଦେଓ ସଞ୍ଚାଳନ କରିଥିଲେ। ଏହି ଅବସରରେ ଲାଞ୍ଜିଗଡ଼ ବ୍ଲକ୍‌ର କମଲି ମାଝୀ, ଧୂବଲୀ ମାଝୀ, ଭବାନୀପାଟଣା ସଦର ବ୍ଲକ୍‌ ରିଷିଗାଁର କାଞ୍ଚନ ମାଝୀ, କେତକୀ ଶବର, ଦୁଆରସୁନୀର ବନିତା ଛତ୍ରୀଆ, ଗୁଆବତୀ ମେହେର, ମେଦିନୀପୁରର ବିଭୂଷିନୀ ଦଣ୍ଡସେନା, ତନ୍ମୟୀ ପାଢ଼ୀ, ବାଦଲିର ରେଶମା ପରବିନ, କେସିଙ୍ଗା ବ୍ଲକ୍‌ ଠେମରା ଗ୍ରାମର ଝିଲି ସୁନା ସମେତ ୧୦ ଜଣଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲଥ୍‌ କାର୍ଡ ବାଣ୍ଟିଥିଲେ। ପରେ ବିଜୁ ହେଲଥ୍‌ କାର୍ଡ ସଚେତନ ରଥକୁ ପତାକା ଦେଖାଇ ଆରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଭବାନୀପାଟଣା ସହରରେ ବହୁ କଂଗ୍ରେସ ଓ ବିଜେପି ନେତା ଓ କର୍ମୀମାନଙ୍କୁ ଅଟକ ରଖାଯାଇଥିଲା। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭବାନୀପାଟଣା ସହରରେ ପ୍ରାୟ ୨୫ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। କଡ଼ା ସୁରକ୍ଷା ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମର ସିଧାସଳଖ କଭରେଜ୍‌ ପାଇଁ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବାରଣ କରାଯାଇଥିଲା।

ସମ୍ବନ୍ଧିତ ଖବର