ଇଡି ଖୁଆଡ଼ରେ ଖଗେଶ୍ବର, ୧୦ ଦିନିଆ ରିମାଣ୍ଡରେ

୫ ବର୍ଷରେ ୨ କୋଟିର କାରବାର, ଖୋଲିବ ବଡ଼ବଡ଼ିଆଙ୍କ ଗୁମର, ଏସ୍ଆଇଟି କରିବ ତଦନ୍ତ

ଭୁବନେଶ୍ବର : ମହିଳା ବ୍ଲାକମେଲର୍‌ ଅର୍ଚ୍ଚନା ନାଗ ମାମଲାରେ ଫେରାର୍‌ ଥିବା ଅନ୍ୟତମ ଅଭିଯୁକ୍ତ ତଥା ଅର୍ଚ୍ଚନାଙ୍କ ବିଜିନେସ୍ ପାର୍ଟନର୍‌ ଖଗେଶ୍ବର ପାତ୍ରଙ୍କୁ ଶୁକ୍ରବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଛି। ଗିରଫ ପରେ ଖଗେଶ୍ବରଙ୍କୁ ଜିଲ୍ଲା କୋର୍ଟରେ ହାଜର କରାଯାଇଥିଲା। ତାଙ୍କୁ ରିମାଣ୍ଡରେ ନେବାକୁ ଇଡି ପକ୍ଷରୁ ଜିଲ୍ଲା କୋର୍ଟରେ ୧୫ ଦିନ ପାଇଁ ଆବେଦନ କରାଯାଇଥିଲା। କିନ୍ତୁ, କୋର୍ଟ ୧୦ ଦିନ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଛନ୍ତି।

ରିମାଣ୍ଡରେ ଆସିବା ପରେ ଇଡିର ତଦନ୍ତକାରୀ ଅଧିକାରୀମା‌ନେ ଖଗେଶ୍ବରଙ୍କୁ ମାରାଥନ ଜେରା ଆରମ୍ଭ କରିଛନ୍ତି। ଆଜି ପ୍ରଥମଦିନର ଜେରାରେ ଇଡିକୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି। ଗତ ୫ବର୍ଷରେ ଅର୍ଚ୍ଚନା ଓ ଖଗେଶ୍ବରଙ୍କ ମଧ୍ୟରେ ୨ କୋଟି ଟଙ୍କାର ବ୍ୟାଙ୍କ ଟ୍ରାଞ୍ଜାକ୍ସନ ହୋଇଛି। ଏହାର ଖୋଳତାଡ଼ ଆରମ୍ଭ କରିଛି ଇଡି। ବଡ଼ କଥା ହେଉଛି, କୋଟି କୋଟି ଟଙ୍କାର କାରବାର ହେଉଥିଲେ ମଧ୍ୟ ଦୁହେଁ ଜିଏସ୍‌ଟି ଓ ଆୟକର ଆଦି ଭରୁ ନଥିବା ଜଣାଯାଇଛି।
ଅନ୍ୟପକ୍ଷରେ, ଏସ୍‌ଆଇଟି ମଧ୍ୟ ଏହି ମାମଲାର ତଦନ୍ତ କରିବ ବୋଲି ସୂଚନା ମିଳିଛି। ଏସ୍‌ଆଇଟିକୁ ଅର୍ଚ୍ଚନା ନାଗ ମାମଲାର ସମସ୍ତ କାଗଜପତ୍ର ଦେବାକୁ ଇଡିକୁ ନିର୍ଦ୍ଦେଶ ହୋଇଛି। ଆସନ୍ତା ୧୩ ତାରିଖରେ ଏ ନେଇ ଦିଲ୍ଲୀରେ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧୀନରେ ଏକ ସ୍ବତନ୍ତ୍ର ବୈଠକ ହେବ। ଏଥିରେ ଅର୍ଚ୍ଚନା ନାଗ ମାମଲାର ସ୍ବତନ୍ତ୍ର ଶୁଣାଣି ହେବ।

ଉଲ୍ଲେଖଯୋଗ୍ୟ ଯେ ଇଡି ପକ୍ଷରୁ ୩ଜଣଙ୍କୁ ନୋଟିସ୍ ପରେ ଗତକାଲି ଏକାବେଳକେ ୬ଟି ସ୍ଥାନରେ ଚଢ଼ଉ କରାଯାଇଥିଲା। କଟକ ନିଆଳି ଗୋବିନ୍ଦପୁରରେ ଥିବା ଖଗେଶ୍ବରଙ୍କ ଘରେ ଚଢ଼ଉ ବେଳେ ଖଗେଶ୍ବର ଉପସ୍ଥିତ ଥିଲା। ତାଙ୍କୁ ଯେ‌ତେ ପଚରାଉଚରା କରାଯାଇଥିଲେ ମଧ୍ୟ ସେ କିଛି ସୂଚନା ଦେଇନଥିଲେ। ତେଣୁ ବାଧ୍ୟହୋଇ ଇଡି ତାଙ୍କୁ ଉଠାଇ ଆଣିଥିଲା। ଏପଟେ କମିସନରେଟ ପୁଲିସ ଖଗେଶ୍ବରଙ୍କ ନାଁରେ ମାମଲା ରୁଜୁ କରିଥିଲେ ମଧ୍ୟ ତାଙ୍କୁ କେବଳ ନୋଟିସ୍ ଦେଇ ଛାଡ଼ି ଦେଇଥିଲା। କିନ୍ତୁ ଅର୍ଚ୍ଚନାଙ୍କ ସହ ହୋଇଥିବା ବ୍ୟାଙ୍କ ଟ୍ରାଞ୍ଜାକ୍ସନ୍‌ ଯାଞ୍ଚ ବେଳେ ପୁଳା‌ପୁଳା ଟଙ୍କାର କାରବାର ହୋଇଥିବା ଇଡିର ଅଧିକାରୀମାନେ ଜାଣିବାକୁ ପାଇଥିଲେ। ଏ ବାବଦରେ ପଚରାଉଚରା ବେ‌ଳେ ଖଗେଶ୍ବର କୌଣସି ଠିକ୍‌ ତଥ୍ୟ ଦେଇ ପାରି ନଥିଲେ। ଖଗେଶ୍ବରଙ୍କୁ ଅଧିକ ପଚରାଉଚରା କଲେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିବା ଆଶାରେ ତାଙ୍କୁ ରିମାଣ୍ଡରେ ନିଆଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର