କିରିବୁରୁ ସନସେଟ୍ ପଏଣ୍ଟରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼, ଏଠାରେ ମିିଳିଥାଏ ପ୍ରାକୃତିକ ସୌନ୍ଦର୍ଯ୍ୟର ଅପୂର୍ବ ଅନୁଭୂତି

ଓଡ଼ିଶା ସୀମାରୁ ମାତ୍ର ୧ କିଲୋମିଟର ରାସ୍ତା, ବଡ଼ବିଲ ସହରରୁ ୨୫ କିଲୋମିଟର ଦୂର

ବଡ଼ବିଲ: କରୋନା କଟକଣା ସତ୍ତ୍ବେ ନୂଆବର୍ଷରେ କିରିବୁରୁଠାରେ ଥିବା ସନସେଟ୍ ପଏଣ୍ଟରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ବଡ଼ବିଲ ଠାରୁ ମାତ୍ର ୨୫ କିଲୋମିଟର ଦୂର, ଓଡ଼ିଶା ସୀମାକୁ ଲାଗିରହିଛି ଝାରଖଣ୍ଡ ରାଜ୍ୟର ମେଘାତୁବୁରୁ ସହର। କେନ୍ଦୁଝର ଜିଲ୍ଲା, ବଡ଼ବିଲ ସହରରୁ ଉକ୍ତ ସନସେଟ୍ ପଏଣ୍ଟଟି ୨୫ କିଲୋମିଟର ହୋଇଥିଲେ ହେଁ ଓଡ଼ିଶା ସୀମାରୁ ମାତ୍ର ୧ କିଲୋମିଟର ରାସ୍ତା, ଝାଡ଼ଖଣ୍ଡ ରାଜ୍ୟ ମେଘାତୁବୁରୁ ପାହାଡ଼ିଆ ଅଂଚଳରେ।

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ସମ୍ପୂର୍ଣ୍ଣ ୨୫ କିଲୋମିଟର ରାସ୍ତା। ରାସ୍ତାର ଉଭୟ ପାର୍ଶ୍ବରେ ଘଂଚ ଜଙ୍ଗଲ ସହ ୧୦ କିଲୋମିଟର ରାସ୍ତା ସମ୍ପୂର୍ଣ୍ଣ ଭାବେ ଘାଟି ରାସ୍ତା। ଏହି ଘାଟି ରାସ୍ତାରେ ଯିବା ସମୟରେ ବିଭିନ୍ନ ସ୍ଥାନରେ ସେଲଫି ନେବାପାଇଁ ଖୁବ ସୁନ୍ଦର ସେଲଫିଜୋନ୍ ରହିଛି। ପର୍ଯ୍ୟଟକମାନେ ଏହି ଘାଟି ରାସ୍ତାଦେଇ ଯାଉଥିବା ସମୟରେ ସେ ବାଇକ ଆରୋହୀ ହୁଅନ୍ତୁ କିମ୍ବା ୪ ଚକିଆ ଯାନ ଅଥବା ବସ, ଉକ୍ତ ସ୍ଥାନରେ ଗାଡି ଛିଡାକରି ଫଟୋ ଉଠାଇଥାଆନ୍ତି। ଏହି ସ୍ଥାନକୁ ସବୁ ସମୟରେ ବିଭିନ୍ନ ରାଜ୍ୟ ଏପରିକି ଓଡ଼ିଶା, ଝାରଖଣ୍ଡ, ବିହାର, ପଶ୍ଚିମବଙ୍ଗ ରାଜ୍ୟର ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥାଏ।

ଚନ୍ଦ୍ରଭାଗାରେ ସୂର୍ଯ୍ୟୋଦୟ ଯେଭଳି ମନରୋମ, ଏଠାରେ ସୂର୍ଯ୍ୟାସ୍ତ ତା ଠାରୁ ଢେର ଅଧିକ ମନରୋମ। ଚନ୍ଦ୍ରଭାଗାରେ ସୂର୍ଯ୍ୟ ସମୁଦ୍ର ଭିତରୁ ବାହାରିଲାପରି ମନେ ହେଉଥିବାବେଳେ, ଏଠାରେ କିନ୍ତୁ ଆହୁରି ନିଆରା ଢଙ୍ଗରେ ସୂର୍ଯ୍ୟ ଅସ୍ତ ହେଉଥିବା ସମୟ ଅତ୍ୟନ୍ତ ମନରୋମ। ଏଠାରେ ସମୁଦ୍ର ନାହିଁ କିନ୍ତୁ ଅଛି ପାହାଡ଼ର ସମୁଦ୍ର, ପାହାଡ଼ ପରେ ପାହାଡ଼, ଆଖି ଯେତେ ଦୂରକୁ ତାର ଦୃଷ୍ଟି ଶକ୍ତି ପହଂଚାଇ ପାରିଥାଏ ସମଦ୍ର ଢେଉ ଭଳି ଶହ ଶହ ଛୋଟ ବଡ଼ ପାହଡ଼ର ସମୁଦ୍ର ଦେଖିବାକୁ ମିଳିଥାଏ। ଆଉ ଏହି ପାହାଡ଼ର ସମୁଦ୍ର ଭିତରେ ସୂର୍ଯ୍ୟ ଯେତେବେଳେ ଅସ୍ତ ହୁଅନ୍ତି ଅତି ମନଲୋଭା ଲାଗେ ସୂର୍ଯ୍ୟାସ୍ତ। ସୂର୍ଯ୍ୟାସ୍ତ ଦେଖିବାକୁ ଗତ ୧ ତାରିଖ ନୂଆବର୍ଷରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।

ବିଭିନ୍ନ ରାଜ୍ୟରୁ ଆସିଥିବା ପର୍ଯ୍ୟଟକ ଏଠାରେ ବଣଭୋଜି କରିଥାଆନ୍ତି। ଦେଶ ବାହାରରୁ ମଧ୍ୟ ବିଦେଶୀ ପର୍ଯ୍ୟଟକ ଏଠାକୁ ଆସି ଏଠାରେ ଥିବା ଅତିଥି ଭବନରେ କିଛି ଦିନ ରହି ପ୍ରାକୃତିକ ସୌନ୍ଦର୍ଯ୍ୟର ଭରପୁର ମଜା ନେଇଥାଆନ୍ତି। ମାତ୍ର ଚଳିତ ବର୍ଷ କୋଭିଡ଼ କଟକଣା ପାଇଁ ବାହାର ପର୍ଯ୍ୟଟକ ଆସିବା ବନ୍ଦ ରହିଛି।

ସମ୍ବନ୍ଧିତ ଖବର