ଅନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ପ୍ରକଳ୍ପରେ ଜମି ଜାଲିଆତି : ନିଜ ଜମିକୁ ମୁକୁଳାଇ ପାରୁନାହାନ୍ତି ସରକାର!

ଜାଣିଶୁଣି ଗୋଟିଏ ପ୍ଲଟ ନେଲେ, ବାକି ଜବରଦଖଲକାରୀଙ୍କ ପାଇଁ ଛାଡ଼ିଦେଲେ

କଟକ : ନିଜ ଜମିକୁ ନିଜେ ଜବରଦଖଲକାରୀଙ୍କ କବ୍‌ଜାରୁ ମୁକୁଳାଇ ପାରୁନାହାନ୍ତି ସରକାର। ବାବୁମାନଙ୍କ ମନଇଚ୍ଛା ରିପୋର୍ଟରେ ଚାଲିଛି ସବୁକିଛି। ଗୋଟିଏପଟେ ଯେ ସରକାରୀ ରେକର୍ଡ ଭୁଲ୍‌ ବୋଲି ୭ବର୍ଷ ପରେ ଜାଣିଲେ। ହେଲେ ଯେଉଁ ୨୪ଏକର କଥା କହୁଛନ୍ତି, ତା’ ବି ବର୍ତ୍ତମାନ ସରକାରଙ୍କ ହାତରେ ନାହିଁ। ୨୪ଏକର ୬୩ ଡିସିମିଲ ଜମି ପରିବହନ ବିଭାଗ ହାତରେ ରହିଛି, କିନ୍ତୁ ପାଚେରି ଘେରାଯାଇଛି ୧୮ଏକର ଜମିରେ। ବାକି ୬ଏକର ଜମିରେ ପାଚେରି ଘେରା ହେବା ତ ପଛ କଥା, ତାହା ସରକାରଙ୍କ ଦଖଲକୁ ବି ଆସି ପାରି ନଥିବା ଜଣାପଡ଼ିଛି। ଏବେ ପୁଣି ଗୋପାଳପୁର ଅତ୍ୟାଧୁନିକ ଅନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ପ୍ରକଳ୍ପର ଭାଗ୍ୟ ସହ ଯୋଡ଼ି ହୋଇଛି ଆଉ ଏକ ନୂଆ ଷଡ଼୍‌ଯନ୍ତ୍ର।

ଗୋପାଳପୁରରେ ପ୍ରସ୍ତାବିତ ଅତ୍ୟାଧୁନିକ ଅନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ପାଇଁ ୨୦୧୮ ଜୁନ ୧୧ରେ ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ମନ୍ତ୍ରୀ ଡା. ନୃସିଂହ ଚରଣ ସାହୁଙ୍କ ଦ୍ବାରା ଭୂମିପୂଜନ କରାଯାଇଥିଲା। ୨୦୧୨ରୁ ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ୨୦୧୩ରେ ଆରମ୍ଭ ହୋଇଥିଲା ଜମି ହସ୍ତାନ୍ତର ପ୍ରକ୍ରିୟା‌। ପ୍ରଥମେ ଏହି ଜମି ଜଗତସିଂହପୁର ପୂର୍ତ୍ତ ବିଭାଗ ଅଧୀନରେ ଥିବାବେଳେ ଜମି ହସ୍ତାନ୍ତର ପୂର୍ବରୁ ଓ ହସ୍ତାନ୍ତର ପରେ ଦୁଇ ଦୁଇ ଥର ମାପଚୁପ କରାଯାଇଥିଲା।  କେବଳ ଗୋଟିଏ  ଖାତା ନମ୍ବର ୧୦୫୪, ପ୍ଲଟ ନମ୍ବର ୮୭୩ ଥିବା ୪୨.୬୩ଡ଼ିସିମିଲ ପରିବହନ ବିଭାଗ ନିଜ ହାତକୁ ନେଇଥିଲା। ୭ ବର୍ଷ ତଳେ ଜମି ହସ୍ତାନ୍ତର ପ୍ରକ୍ରିୟା ସରିଥିବାବେଳେ ଏବେ ତିନିମାସ ତଳେ ଜଣାପଡ଼ିଲା, ସରକାରୀ ରେକର୍ଡ ଭୁଲ୍‌। ୪୨ବଦଳରେ ୨୪ ଡିସିମିଲ ଜମି ଅଛି। ତେବେ ଯଦି ସରକାରୀ ରେକର୍ଡ ଭୁଲ ଓ ପ୍ରକୃତରେ ୨୪ ଡିସିମିଲ ଜମି ରହିଛି, ତା’ହେଲେ କାହିଁକି ମାତ୍ର ୧୮ଏକର ସ୍ଥାନରେ ପାଚେରି ଘେରାଇଲେ? ବାକି ୬ ଏକର ସ୍ଥାନରେ କଣ ପାଇଁ ଆଜି ପର୍ଯ୍ୟନ୍ତ ପାଚେରି ଘେରା ହୋଇ ପାରିଲାନି? ତାହା ଏକ ବଡ଼ ବିତର୍କର ପ୍ରସଙ୍ଗ। ହେଲେ ତା’ଠାରୁ ଅଧିକ ସନ୍ଦେହ ସୃଷ୍ଟି କରିଛି ଏହା ସଂଲଗ୍ନ ଥିବା ଖାତା ନମ୍ବର ୧୦୪୬ରେ ଥିବା ୪ଏକର ୩୧୦ ଡିସିମିଲ ଜମିକୁ ପରିବହନ ବିଭାଗ ନିଜ ହାତକୁ ନ ନେବା। ତା’ସହିତ ପୂର୍ତ୍ତ ବିଭାଗ ଅଧୀନରେ ଥିବା ଦେଢ଼ ଏକରରୁ ଅଧିକ ଜମିକୁ ପରିବହନ ବିଭାଗକୁ ହସ୍ତାନ୍ତର କରା ନଯିବା ଫଳରେ ସେଥିରୁ ଅଧାରୁ ଅଧିକ ଏବେ ଜବର ଦଖଲକାରୀଙ୍କ ହାତକୁ ଚାଲିଯାଇଛି।

ସମ୍ବନ୍ଧିତ ଖବର