ଶ୍ରୀମନ୍ଦିର ଐତିହ୍ୟ କରିଡର ବିବାଦ: କୋର୍ଟ ବର୍ଜନ କଲେ ଆଇନଜୀବୀ

କଳାବ୍ୟାଜ୍‌ ପରିଧାନ କରି ବିରୋଧ ପ୍ରଦର୍ଶନ

ପୁରୀ : ଶ୍ରୀମନ୍ଦିର ଐତିହ୍ୟ କରିଡର୍‌ ଆଳରେ ମନ୍ଦିର ଚତୁଃପାର୍ଶ୍ବ ବେଆଇନ୍‌ ଖନନ ଓ ନିର୍ମାଣ ବିବାଦ ଉଗ୍ରରୂପ ନେବାରେ ଲାଗିଛି। ଗତକାଲି ଏହା ବିରୋଧରେ ପୁରୀ ଓକିଲ ସଂଘ ଜିଲ୍ଲାପାଳଙ୍କ ସହ ଓବିସିସି ଓ ଟାଟା କମ୍ପାନି ଅଧିକାରୀଙ୍କ ବିରୋଧରେ ସିଂହଦ୍ବାର ଥାନାରେ ଏତଲା ଦେଇଥିଲା। ‌ଗୁରୁବାର ଦିନ ଏହି ଖନନ ଓ ନିର୍ମାଣ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛି ଓକିଲ ସଂଘ। ପୂର୍ବ ନିଷ୍ପତ୍ତିକ୍ରମେ ଆଇନଜୀବୀମାନେ ଆଜି ଦିନିକିଆ କୋର୍ଟ ବର୍ଜନ କରିବା ସହ କଳାବ୍ୟାଜ୍‌ ପିନ୍ଧି ଜିଲ୍ଲା କୋର୍ଟ ଆଗରେ ପ୍ରତିବାଦ ଜଣାଇଛନ୍ତି।

ଆଇନଜୀବୀମାନେ ଅଭିଯୋଗ କରିଛନ୍ତି, ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୧୦୦ ମିଟର ପରିଧି ନିଷିଦ୍ଧାଞ୍ଚଳ ହୋଇଥିବାବେଳେ ଏନ୍‌ଏମଏର ବିନା ଅନୁମୋଦନରେ ରାଜ୍ୟ ସରକାର ଖନନ ଓ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି। ପୁରୀ ଓକିଲ ସଂଘ ପକ୍ଷରୁ ଏକ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ସ୍ଥିତି ଅନୁଧ୍ୟାନ ପରେ ଉଦ୍‌ବେଗ ପ୍ରକାଶ କରିବା ସହ ଏ ସଂପର୍କରେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ ଜଣାଇଥିଲା। ତଥାପି ଏହାକୁ କର୍ଣ୍ଣପାତ କରାଯାଇନି। ଏଣୁ ଓକିଲ ସଂଘ ନିଷ୍ପତ୍ତି ଅନୁଯାୟୀ ଆଜି ଆଇନଜୀବୀମାନେ କୋର୍ଟ କାର୍ଯ୍ୟ ବର୍ଜନ କରିବା ସହ ଜିଲ୍ଲା କୋର୍ଟ ସମ୍ମୁଖ ମଧୂସୂଦନ ଦାସଙ୍କ ପ୍ରତିମୂର୍ତ୍ତି ଆଗରେ କଳାବ୍ୟାଜ୍‌ ପିନ୍ଧି ପ୍ରତିଦାବ ଜଣାଇଛନ୍ତି। ତୁରନ୍ତ ଏଭଳି ବେଆଇନ୍‌ ନିର୍ମାଣ ଓ ଖନନ କାର୍ଯ୍ୟ ବନ୍ଦ ‌ନ କଲେ ଆନ୍ଦୋଳନ ବ୍ୟାପକ ହେବ। ଅନ୍ୟପଟେ ହୋଲି ପରେ ଓକିଲ ସଂଘ କୋର୍ଟଙ୍କ ଦ୍ବାରସ୍ଥ ହେବ ବୋଲି କହିଛି। ଆଜିର ଏହି ଆନ୍ଦୋଳନରେ ଓକିଲ ସଂଘ ସଭାପତି ଭଗବାନ ମିଶ୍ର, ସଂପାଦକ ସାରଦା ସାମଲ, ଶରତ କୁମାର ରାୟଗୁରୁ, ପ୍ରିୟଦର୍ଶନ ପଟ୍ଟନାୟକ, ପ୍ରଶାନ୍ତ ମିଶ୍ର, ଶୁଭେନ୍ଦୁ ଦାସ, ଶରତ ରଥ, ବିଭୂତି ଶଙ୍କର ତ୍ରିପାଠୀ ପ୍ରମୁଖ ସାମିଲ୍‌ ଥିଲେ।

ସମ୍ବନ୍ଧିତ ଖବର