ଅଧା ବାଟରେ ଅଟକିଗଲା ଭିମ୍‌ସାର ଅସ୍ଥିଶଲ୍ୟ ବିଭାଗର ଲିଫ୍ଟ, ବହୁ କଷ୍ଟରେ କର୍ମଚାରୀଙ୍କୁ ଉଦ୍ଧାର କରାଗଲା

ବୁର୍ଲା : ଭିମ୍‌ସାର ଅସ୍ଥିଶଲ୍ୟ ବିଭାଗରେ ପୁଣି ଲିଫ୍ଟରେ ସମସ୍ୟା ଦେଖିବାକୁ ମିଳିଛି। ଲିଫ୍ଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଧାବାଟରେ ଅଟକିଗଲା ଲିଫ୍ଟ। ଲିଫ୍ଟ ଅପରେଟର ଡ୍ୟୁଟିରେ ନଥିବା ‌ବେଳେ ଲିଫ୍ଟରେ ସେତିକି ବେଳେ ଏକାକୀ ଆସୁଥିବା ସଂଜୀବ ଗୌଡ଼ ନାମକ ଜଣେ ଡାକ୍ତରଖାନା କର୍ମଚାରୀ ଅଧାଘଣ୍ଟା ପର୍ଯ୍ୟନ୍ତ ଫସି ରହିଥିଲେ। ଏପରିକି ଡାକ୍ତରଖାନା ଏଷ୍ଟାବ୍ଲିସମେଣ୍ଟ ବିଭାଗର ଏହି କର୍ମଚାରୀ ଜଣକ ଲିଫ୍ଟରେ ଫସି ରହିବା ଫଳରେ ଅଣନିଶ୍ୱାସୀ ହୋଇ ପଡ଼ିଥିଲେ। ବହୁ କଷ୍ଟରେ ସେ ଫୋନ୍ କରି ଷ୍ଟିଓ୍ୱାର୍ଡ ଅଫିସକୁ ସୂଚନା ଦେବା ପରେ ତୁରନ୍ତ କିଛି କର୍ମଚାରୀ ସେଠାରେ ପହଂଚି ଫସିଯାଇଥିବା କର୍ମଚାରୀ ଶ୍ରୀ ଗୌଡ଼ଙ୍କୁ ଉଦ୍ଧାର କରିଥିଲେ। ଆଉ କିଛି ସମୟ ପର୍ଯ୍ୟନ୍ତ କର୍ମଚାରୀ ଜଣକ ଫସିରହିଥିଲେ, ଅଣନିଶ୍ୱସୀ ‌ହେବା ଯୋଗୁ ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥାନ୍ତା ବୋଲି କହାଯାଇଛି।

ବୁର୍ଲା ଭିମସାରର ଅନ୍ୟ ବିଭାଗ ଅପେକ୍ଷା ଅସ୍ଥିଶଲ୍ୟ ବିଭାଗରେ ଲିଫ୍ଟର ଆବଶ୍ୟକତା ବେଶୀ ରହିଛି। କିନ୍ତୁ, ଅଧିକାଂଶ ସମୟରେ ଏହି ବିଭାଗର ଲିଫ୍ଟ ଅଚଳ ରହୁଥିବା ରୋଗୀ ତଥା ରୋଗୀ ପରିଜନ ଅଭିଯୋଗ କରୁଥିଲେ ମଧ୍ୟ ଭିମସାର କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉନଥିବା ଚର୍ଚ୍ଚା ହେଉଛି। ଏଥିପ୍ରତି ଧ୍ୟାନ ଦେବା ପାଇଁ ରୋଗୀ ପରିଜନ ତଥା ସଚେତନ ନାଗରିକ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର