ଶବଠାରୁ ଲୁଟ୍‌: ହସ୍ପିଟାଲ କର୍ମଚାରୀଙ୍କ ସମେତ ୩ ଗିରଫ

କେନ୍ଦୁଝର : କେନ୍ଦୁଝର କୋଭିଡ ହସ୍ପିଟାଲରେ ପ୍ରାଣ ହରାଉଥିବା ରୋଗୀଙ୍କ ଜିନିଷପତ୍ର ଲୁଟ୍‌ ନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲା। ହସ୍ପିଟାଲର ପରିଚାଳନା ଦାୟିତ୍ବରେ ଥିବା ଉତ୍କଳ ହସ୍ପିଟାଲ କର୍ତ୍ତୃପକ୍ଷ ଏଭଳି ଅଭିଯୋଗକୁ ଖଣ୍ଡନ କରୁଥିଲେ। ହେଲେ ସମାନ ଅଭିଯୋଗରେ କେନ୍ଦୁଝର ଟାଉନ ଥାନା ପୁଲିସ ଜଣେ ହସ୍ପିଟାଲ କର୍ମଚାରୀଙ୍କ ସମେତ ୩ଜଣଙ୍କୁ ଗିରଫ କରିବା ପରେ ଉତ୍କଳ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମୁଖା ଖୋଲିଯାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, କେନ୍ଦୁଝର ସଦର ବ୍ଲକ୍‌ ପର୍ଜନପୁର ପଞ୍ଚାୟତର ପଦ୍ମାବତୀ ମାଝୀଙ୍କ ସ୍ବାମୀ କୃଷ୍ଣଚନ୍ଦ୍ର ମାଝୀ (୩୮)ଙ୍କ ଗତ ୧୮ ତାରିଖରେ ରାଙ୍କିସ୍ଥିତ କୋଭିଡ ହସ୍ପିଟାଲରେ ମୃତ୍ୟୁ ଘଟିଥିଲା। କୃଷ୍ଣଚନ୍ଦ୍ର ହସ୍ପିଟାଲରେ ଭର୍ତ୍ତି ହେବା ସମୟରେ ପାଖରେ ଏକ ମୋବାଇଲ ରଖିବା ସହ ସୁନାଚେନ୍‌ ପିନ୍ଧିଥିଲେ। ସାଙ୍ଗରେ ୧୦ ହଜାର ଟଙ୍କା ମଧ୍ୟ ନେଇଥିଲେ। ମୃତ୍ୟୁ ପରେ ପ୍ରଶାସନ ପକ୍ଷରୁ ତାଙ୍କ ଶବକୁ ଧାଙ୍ଗରପଡ଼ା ଶ୍ମଶାନରେ ଦାହ କରାଯାଇଥିଲା। ହେଲେ ତାଙ୍କ ଜିନିଷପତ୍ର ପରିବାର ଲୋକଙ୍କୁ ଦିଆଯାଇ ନଥିଲା। କ୍ରିୟାକର୍ମ ପରେ ପରିବାର ଲୋକେ ବାରମ୍ବାର କୋଭିଡ ହସ୍ପିଟାଲକୁ ଯାଇ ଜିନିଷପତ୍ର ମାଗିଥିଲେ ମଧ୍ୟ କେହି ଶୁଣି ନଥିଲେ। ଶେଷରେ ଗତ ୧ ତାରିଖରେ ସ୍ବର୍ଗତ ମାଝୀଙ୍କ ପୁତୁରା ଲକ୍ଷ୍ମୀଧର ମାଝୀ କେନ୍ଦୁଝର ଟାଉନ ଥାନାରେ ଏନେଇ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା।

ଲୁଟେରାଙ୍କୁ ଧରିବା ପାଇଁ ଟାଉନ ଥାନା ଅଧିକାରୀ ପ୍ରମୋଦିନୀ ସାହୁ ଏକ ଟିମ୍ ଗଠନ କରିଥିଲେ। ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଥିଲା ଯେ, କୋଭିଡ ହସ୍ପିଟାଲର ହାଉସ୍‌କିପିଂ ବଏ ରାହୁଲ ପ୍ରଧାନ (୨୧) ଅନ୍ୟଜଣେ କର୍ମଚାରୀଙ୍କ ସହ ମିଶି ମୃତକଙ୍କ ବେକରୁ ସୁନାଚେନ୍ ଓ ମୋବାଇଲ ଫୋନ୍ ଲୁଟ୍‌ କରିଥିଲେ। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭୁବନେଶ୍ୱରର ରାହୁଲଙ୍କ ସମେତ ତାଙ୍କଠାରୁ ସାମଗ୍ରୀ କିଣିଥିବା ଜଗନ୍ନାଥ ବାରିକ (୨୯) ଏବଂ ଜିମିନ୍ଦ୍ର ଦିଗଲ (୨୮)କୁ ପୁଲିସ ଗିରଫ କରିଛି। ସେମାନଙ୍କଠାରୁ ଚୋରି ମୋବାଇଲ ଫୋନ୍ ଜବତ ହୋଇଛି। ଅନ୍ୟ ମୃତକଙ୍କଠାରୁ ଚୋରି ହୋଇଥିବା ବିଭିନ୍ନ ସାମଗ୍ରୀ ଉଦ୍ଧାର ପାଇଁ ପୁଲିସ ତନାଘନା ଚଳାଇଛି। ଏନେଇ ଟାଉନ ଥାନାରେ କେସ୍‌ ନମ୍ବର ୨୦୯/୨୦୨୧ ଦଫା ୩୮୦, ୪୧୧,୩୪ ଆଇପିସିରେ ମାମଲା ରୁଜୁ ହୋଇଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ବିଚାର ବିିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର