ପ୍ରେମଜନିତ ହତ୍ୟାକାଣ୍ଡ: ଗିରଫ ଭୟରେ ଆତ୍ମହତ୍ୟା କଲା ପ୍ରେମିକ ଶିକ୍ଷକ

ବରପାଲି: ପ୍ରେମଜନିତ ହତ୍ୟାକାଣ୍ଡର ଗିରଫ ଭୟରେ ଜଣେ ପ୍ରେମିକ ଶିକ୍ଷକ ଆଜି ଆତ୍ମହତ୍ୟା କରିବା ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ମୃତକ ଜଣକ ହେଲେ ବରଗଡ଼ ଜିଲ୍ଲା ଅତାବିରା ଥାନା ଗୌରଟିକ୍ରା ଗ୍ରାମର ରୁଗଡ଼ିଟିକ୍ରା ବାସିନ୍ଦା ଗଣନାଥ ମିର୍ଦ୍ଧା।

ବରପାଲି ଥାନା ଅନ୍ତର୍ଗତ ମହଦା କେନାଲ ରାନୀଯୋର ପୋଲ ତଳୁ ଗତ ରବିବାର ଜଣେ ଯୁବତୀଙ୍କ ମୃତଦେହ ମିଳିଥିଲା। ଯୁବତୀ ଜଣକ ବରପାଲି ବ୍ଲକ୍‌ ରକ୍ସା ପଞ୍ଚାୟତର ତେଜଙ୍ଗ ଗ୍ରାମର ଅନ୍ଧାରୀ ଦୀପ (୨୯)। ପ୍ରାଥମିକ ତଦନ୍ତରୁ ଏହା ଏକ ପ୍ରେମଜନିତ ହତ୍ୟାକାଣ୍ଡ ବୋଲି ପୁଲିସ୍‌ କହୁଛି। ତେଜଙ୍ଗ ଗ୍ରାମ ସ୍କୁଲରେ ଶିକ୍ଷକ ଭାବରେ କାର୍ଯ୍ୟରତ ଥିବା ଅତାବିରା ଅଞ୍ଚଳର ଗଣନାଥଙ୍କ ସହିତ ଅନ୍ଧାରୀଙ୍କ ଗତ ୨/୩ ବର୍ଷ ହେଲା ପ୍ରେମ ସମ୍ପର୍କ ଥିଲା। ହେଲେ ଉଭୟଙ୍କ ଜାତି ଭିନ୍ନ ହୋଇଥିବାରୁ ବିବାହ କରିପାରୁ ନ ଥିଲେ। ଆସନ୍ତା ୧୨ ତାରିଖ ଗଣନାଥ ଅନ୍ୟତ୍ର ବିବାହ କରୁଥିବା ଶୁଣି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଗଣନାଥ ଏଥିରେ ଉତ୍‌କ୍ଷିପ୍ତ ହୋଇ ଅନ୍ଧାରୀଙ୍କୁ ହତ୍ୟା କରିଥିବା ଅନୁମାନ କରାଯାଉଛି।

ଏନେଇ ପୁଲିସ୍‌ର ତନାଘନା ହେବା, ସାଇଣ୍ଟିଫିକ ଟିମ୍‌ର ତଦନ୍ତ ହେବା ଦ୍ବାରା ଶିକ୍ଷକ ଗଣନାଥ ଗିରଫ ହେବା ଭୟରେ ମଙ୍ଗଳବାର ସୋନପୁର ଜିଲ୍ଲା ଡୁଙ୍ଗୁରିପାଲିରେ ଭଡ଼ା ସୂତ୍ରରେ ରହୁଥିବା ଘରେ ନିଜ ବାମ ହାତ କାଟି ହୋଇ ଦ୍ବାରବନ୍ଦ ଉପରେ ଥିବା ଗ୍ରିଲରେ ବେକରେ ପ୍ଲାଷ୍ଟିକ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ବରପାଲି ପୁଲିସ୍‌ ଉପସ୍ଥିତିରେ ଡୁଙ୍ଗୁରିପାଲି ପୁଲିସ ଶବକୁ ଉଦ୍ଧାର କରିଛି। ଏକ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ପୁଲିସ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର