୧୯୩୫ ମସିହାରେ ସମ୍ବଲପୁର ଜିଲ୍ଲାର ପିତାପାଲି ଗାଁରେ ପ୍ରଖ୍ୟାତ ସାହିତ୍ୟ ସାଧକ ମଙ୍ଗଳୁ ଚରଣ ବିଶ୍ବାଳଙ୍କ ଜନ୍ମ। ହୀରାକୁଦ ନଦୀବନ୍ଧରେ ଲୀନ ହୋଇଯାଇଥିଲା ତାଙ୍କ ଜନ୍ମମାଟି, ଯାହାର ପ୍ରଭାବ ତାଙ୍କ ସାହିତ୍ୟରେ ଅନେକତ୍ର ପ୍ରତିଫଳିତ। ମାଟି ଓ ମଣିଷ ପ୍ରତି ପ୍ରଚୁର ମମତ୍ବବୋଧ ତାଙ୍କ ଲେଖାର ମୁଖ୍ୟ ସ୍ବର। ନିରବରେ ସାହିତ୍ୟ ସାଧନାରେ ନିମଗ୍ନ ରହିବାକୁ ସେ ଖୁବ୍ ଭଲ ପାଉଥିଲେ। ଶିଶୁ ସାହିତ୍ୟ, କବିତା, ପ୍ରବନ୍ଧ, ଗଳ୍ପ, ଉପନ୍ୟାସ, ନାଟକ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ସେ ପଚାଶରୁ ଊର୍ଦ୍ଧ୍ବ ପୁସ୍ତକ ରଚନା କରିଛନ୍ତି। ତାଙ୍କ ରଚିତ ନାଟକ ‘ଭୁଖା’ ଚଳଚ୍ଚିତ୍ରର ରୂପ ନେଇ ଆନ୍ତର୍ଜାତିକ ସ୍ବୀକୃତି ପାଇଛି। ଶ୍ରେଷ୍ଠ ଶିକ୍ଷକ ଭାବରେ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କୃତ ହୋଇଥିବାବେଳେ ଅନେକ ସାହିତ୍ୟ ଅନୁଷ୍ଠାନରୁ ସେ ସମ୍ମାନ ଲାଭ କରିଥିଲେ। ଗତକାଲି ତାଙ୍କର ପରଲୋକ ହୋଇଯାଇଛି। ତାଙ୍କ ସ୍ମୃତିରେ ସମ୍ବାଦର ସ୍ବତନ୍ତ୍ର ପ୍ରତିବେଦନ
‘ଗାଁ ଛାଡ଼ହୋ’ ଡେଙ୍ଗୁରା ବାଜିଲା। ୧୯୫୬ରେ ଆମେ ଗାଁ ଛାଡ଼ିଲୁ। ଜନମ ମାଟି ସଦା ସର୍ବଦା ପାଇଁ ଛାଡ଼ିବା କଠିନ। ଶୁଣିବାକୁ ସହଜ ହେଲେବି, କରିବା ମୁସ୍କିଲ। ଲୋକେ ଆପଣାର ଆଲୁକୁଚି ମାଲୁକୁଚି ଧରି ଯିଏ ଯଉଠିକି ପାରିଲା, ଗଲା। ଯଉମାନେ କଉଠିକି ଗଲେ ନାଇଁ, ଗାଁ ପାଖ ଢିପ ଜାଗା ମାନଙ୍କୁ ଉଠି ଆସିଲେ। ଗାଁ ଛାଡ଼ିବାର ବିକଳ ଦୃଶ୍ୟ ମୁଁ ଆଖିରେ ଦେଖିନାହିଁ, ଶୁଣିଛି ମାତ୍ର। ସେକାଳେ ମୁଁ କଲେଜରେ ଥିଲି। ଖରା ଛୁଟିରେ ଯେବେ ଗଲି, ସିଧା ବାରଡୁମୁରିକୁ। ଆମ ଜନମ ମାଟି ପିତାପାଲିଠୁଁ ପ୍ରାୟ ଦଶ ମାଇଲ ଦୂର ନାକ ସଳଖେ। ମୋ’ ମାମୁଘର ଗାଁର କର୍ଣ୍ଣା ପଧାନ ଆଗରୁ ଆସି ବାରଡୁମୁରିରେ ରହୁଥିଲେ। ତାଙ୍କ ଘର ବଖରାକେ ଆମେ ରହିଲୁ। ମୁଁ ନୂଆଁ ବାହା ହୋଇଥାଏ।
ଚିରା ପଣତର ସଂସାର
ମଙ୍ଗଳୁ ଚରଣ ବିଶ୍ବାଳ
ବାରଡୁମୁରି ଆସିବାର ଏକମାତ୍ର କାରଣ ଥିଲା, ଜମି ମିଳିବ। ନୁନିଆଁ। ରାଁଚି ଅଞ୍ଚଳର ଲୋକଟିଏ। ତାଠୁଁ ଏକଚକୀ ଅଶୀ ଏକର ଜମି ଆମ ବଂଶର ଭାଇମାନେ ମିଶି କିଣିଲେ। ମୋ ବାପାଙ୍କ ପାଖରେ ପଇସା କାହିଁ ଯେ ସେମାନଙ୍କ ଗହଣରେ ମିଶିବେ। ମୋ’ ମାମୁଘର ସହ ବାପା ମିଶିଲେ। ପରମାଣପୁରର ହରି ବାରିକର ଜମିଥିଲା ବାରଡୁମୁରିରେ। ସେଇ ଜମିତକ ମୋ’ ମାମୁ, ମୋ ଶାଶୂ ମିଶି କିଣିଲେ। ବାପା ଶଶୁରଘର ଗୋଠରେ ପଶିଲେ। ନୁନିଆଁ ଜମିରୁ ସଂସାର ତ୍ରିପାଠୀର ଭାଗଟି ମୁଁ ଚାକିରି କଲା ପରେ କିଣିଲୁଁ। ଆମ ବଉଁଶ ଲୋକେ ଆମକୁ ତାଙ୍କ ଗୋଠରେ ମିଶେଇଲେ ନାହିଁ। ଯା’ର ପଇସା ନାଇଁ, ତାର ଭରସା କାହିଁ?
ମୋ ମାମୁଁଘର, ଶାଶୂଘର ଓ ଆମର ଏମିତି ତିନୋଟି ପରିବାର ଗୋଟିଏ ପରିବାର ହୋଇଗଲୁ। ମୋ’ ମାମୁଁ ଓ ବାପା ଆଗରୁ ଆସି ଘର ତିଆରିରେ ଲାଗିଲେ। ଗଉରା ପଧାନର ବାପା ଲଇଖନ ପଧାନକୁ କିଣା ଜମିରୁ କିଛି ଦେଇ ତାଙ୍କଠୁ ଘରଡ଼ିହ ବଦଳ କଲୁଁ। ସେଇ ଖେତଟାକୁ ପାଟି ପାଟି ଘର ତିଆରି ହେଲା। ଏଯାଏଁ ସେ ତିଆରି ସରିନାଇଁ, ଚାଲିଛି। ଧନ୍ୟ କହିବି କରୁଣାକର, ଲଇଖନ ପଧାନ ଦି’ ଭାଇଙ୍କୁ। ବିପଦବେଳେ ଆମର ସାହା ହୋଇଛନ୍ତି। ଫଗୁ ଓରାମ। ଆଦିବାସୀ ମହାତ୍ମାଟିଏ। ଆମ ଘର ପାଇଁ ଇଟା ଗଢ଼ିଲେ। ଇଟା ପୋଡ଼ି ଘର ତୋଳିବାକୁ ବେଳ କାହିଁ? ମଜଭୁତ ପାଗରେ ଇଟା ଗଢ଼ିଥିଲେ ଫଗୁ ଓରାମ। ଚାଳିଶ ବର୍ଷପରେ ସେ ଘର ଭଙ୍ଗାହେଲା। ଇଟା ଗୁଡ଼ିକ ଏପରି ଅତୁଟ ଥିଲା ଯେ ସେଇ କଞ୍ଚା ଇଟାକୁ ପୋଡ଼ିବାରେ ସମର୍ଥ ହେଲୁ ଆମେ। ଧନ୍ୟ କହିବ ସେ ଗଢ଼ାଳିକୁ। ଫଗୁ ଓରାମକୁ। ଆଜିସେ ନାଇଁ। ନାଁ ଅଛି।
ଆମ ପରିବାରରେ ମୋର ବାପମାଆ, ମୋ’ ସାନଭାଇ ଓ ଆମେ ଦି’ ପ୍ରାଣୀ। ଏମିତି ପାଞ୍ଚଜଣ। ମୋ ଶାଶୂ ଓ ତାଙ୍କ ସାନଝିଅ। ମୋ’ ମାମୁ ମାଈଁ ଓ ମୋ ବୁଢ଼ୀ ଆଈ, ମା’ର ମା’। ଏପରି ଗାଏ ମୋଟ୍ ଦଶ ପ୍ରାଣୀର କୁଟୁମ୍ବ। ଏ ସଭିଙ୍କୁ ସମ୍ଭାଳିବାର ବୋଝ ମୋ’ ଉପରେ ପଡ଼ିବା ବେଳକୁ ମୁଁ ଆଇ.ଏ ପାସ୍କରି ସାରିଥାଏ। ଜମି କିଣିଲୁ ସିନା। ତାକୁ ଚାଷ କଲେତ! ହରେଇଥିବା ଜମି ପାଇଁ ଯେତେ କ୍ଷତିପୂରଣ ପାଇଲୁ, କିଣିଲା ବେଳକୁ ତାଠୁ ଜହ ଦାମରେ କିଣିଲୁ। ଏଣୁ ହାତରେ ଆଉ ପଇସା ନାଇଁ। ଭାଇ ପଢୁଥାଏ ଲରମ୍ଭାରେ। ତା’ ଉପରେ ମୋର ପାଠପଢ଼ା। ବାପାଙ୍କ ପେଟ ବେମାରି। ହାତରେ କଣା ପଇସାଟିଏ ନାଇଁ। ହାତରୁ ପଣତରୁ ସବୁ ସରିଥିଲା। ଜମିରୁ ଆୟ ପାଇବାକୁ ଛଅମାସ ଟାକିବାକୁ ହେବ। ଚାଷ ଉଠେଇବା ପାଇଁ କିଛି ଦରକାର। ପିଲା ଦୁଇଟାର ପଢ଼ା। ଦଶ ପ୍ରାଣୀର ରୋଜରୋଜର ଖରଚ। ବାପେପୁଏ ବସିଲୁ। ଚରଚା କଲୁଁ। ବାପା କହିଲେ, ମୁଁ ଜାଣେ, ତୋ’ ପଢ଼ିବାଟା ତୁ ସମ୍ଭାଳି ନବୁ। ଆଇ.ଏ ରେ ଭଲ କରିଥିବାରୁ ବୃତ୍ତି ପାଇବୁ। ସେଇ ବରଷର ଡିସେମ୍ବର ଶେଷ ଯାଏ ନାମ ଲେଖାଇନେବାକୁ ଶିକ୍ଷା ନିର୍ଦ୍ଦେଶକଙ୍କ ପାଖରୁ ଚିଠି ଆସିଥାଏ।
‘‘ଅନ୍ୟର ସାହାଯ୍ୟରେ ପାଠ ପଢ଼ିବୁ ଯାହା ପରଜାମା ପିନ୍ଧି ହାଟକୁ ଯିବୁ ତାହା। ଜୀବନସାରା ଅଙ୍ଗୁଳି ଉଠାଇ ଦାତାପଣ ଜାହିର କରିବେ। ଏଣୁ ନିଜ ଶକ୍ତିରେ ବଡ଼ ହବାକୁ ଶିଖ। ତୋ’ ବାଟ ତୁ ବାଛି ନେ। ଆଜିଠୁ ତୁ ମୋ’ ବାପା, ମୁଁ ତୋ’ ପୁଅ। ମୋତେ ତୁ ପୋଷିବୁ।” ବାପା ଶୁଣାଇ ଦେଲେ। ମା’ କହିଲେ, “ମୋ’ ପାଖରେ ଆଉ କିଛି ବୋଇଲେ କିଛି ନାହିଁ। ସାଜୋବାଜୋ ଆୟ ଅଳଙ୍କାର ଯାହାଥିଲା ସବୁ ଆଗରୁ ଦେଇ ସାରିଛି। ଗୋଡ଼ର ଝୁଣ୍ଟିଆ କେଇପଟ କଉଠି ପଡ଼ିଥିବ।” ଆଗପଛ ସବୁ ବିଚାରି ମୁଁ ଚୁଟୁକି ଫୁଟାଇ ଦେଲି। “ଯାଃ, ଆଉ ପଢ଼ିବି ନାଇଁ!’’
ତେବେ କଣ କରିବି? ସବୁଠୁ ତେଜୀୟାନ ଦିନ ଖରାଦିନ ଥିଲେବି ଦଶ ଦିଗ ଅନ୍ଧାର ଦିଶିଲା। ସଂସାର ଚଳେଇବାକୁ ହେବ। କେମିତି ଏ ସଂସାର? ଅନେକ ଘାରିହେଲି। ଦିନକର ଦିନେ ଖାଉଥାଏଁ। ସବୁଦିନ ଭଳି ମାଁ ସାମନାରେ ବସିଥାନ୍ତି। ପିଲା ଦିନରୁ ବଳେଇ ବଳେଇ ଖୁଆନ୍ତି। ହଠାତ୍ ପଚାରିଦେଲି, ‘‘ଏ ସଂସାରଟା କେମିତି ଗୋ’ ମା? କଣ ଭାବିଲେ କେଜାଣି, ମା’ ଖୁବ୍ ସହଜ ଭାବେ ତାଙ୍କ ଲୁଗା କାନିକୁ ଦେଖାଇ ଦେଲେ। କିଛି ବୁଝି ପାରିଲି ନାହିଁ। ଆବାକାବା ହେଲି। କହିଲି, ଜମା ବୁଝି ହେଲାନି। ତୁ କୁଆଡ଼େ ଢେର ପଢ଼ିଲୁଣି, ମୁଁ ଜନମ ମୁରୁଖ, ତୁ ଯଦି ବୁଝିଲୁନି, ମୋ ପରି ମୁରୁଖ ମା’ଟିଏ କଣବା ବୁଝାଇବ? ସବୁ କାଳରେ ମା’ ମାନେ ହିଁ ବେଶୀ ବୁଝିଥାନ୍ତି। ବୁଝାନ୍ତି ଓ ବୁଝେଇ ପାରନ୍ତି। ମା’ଙ୍କ ମୁରୁଖ ଆଖି ତେଜୀୟାନ ହୋଇଗଲା। ଆକାଶ ପରି ବିସ୍ତାରିତ ହୋଇଗଲା। ସେ ଛଳଛଳ ଆଖି ସାଗରଠୁ ବି ବେଶୀ ଗଭୀର ଜଣାଗଲା। ଖୁବ୍ ସହଜରେ ସକାଳ ହେବା ପରି, ଫୁଲ ଫୁଟିବା ପରି କହିଲେ, “ଧନ, ଏ ସଂସାରଟା ବେଶୀ କିଛି ନୁହେଁରେ। ଚିରା ପଣତ କାନିଟାଏ! ପାଖେ ସୀଇଁଲେ ଆରପାଖ ଦରକି ଯାଏ!’’
ତାଙ୍କ କଥାରେ କଣଥିଲା କେଜାଣି। ମୋ’ ମନଗହୀରକୁ ତୀର ଭେଦିଲା ପରି ଏମିତି ଭେଦିଗଲାଯେ ମୋ’ ମାଆଙ୍କ ଶୁଖିଲା ଗୋରୀ ମୁହଁଟାକୁ ଦଣ୍ଡେ ଅନେଇଲି। ସେ ଶୁଖିଲା ହସଟିଏ ହସି କହିଲେ, ପ୍ରଥମ ଥର ଦେଖିଲା ପରି ଏମିତି କଣ ଚାହିଁଛୁରେ ମୋ ମୁହଁକୁ? ଛଳ ଛଳ ଆଖିରେ ମୋର ଉଛୁଳି ପଡୁଥିଲା ଅନେକ ଉତ୍ତର। ହେଲେ ମୁଁ ନିରୁତ୍ତର ରହିଲି। ମୋର ନିରବତା ହିଁ ବେଶୀ ମୁଖର ହୋଇ ଉଠୁଥିଲା। ଧନ୍ୟ କହିବି ତୋ’ ଚିରା ପଣତର ସଂସାରଟାକୁ ମୋ’ ପିଠିରେ ବୁଚୁକେଇ ଦେଲୁ। ମୁଁ ତାକୁ ସାରା ଜୀବନ ଲାଉ କରି ବୋହି ଚାଲିଛି ଯେ ଚାଲିଛି। ତୋର ଉତ୍ତର ଏତେ ସହଜ ଥିଲା ଯେ ଆଜିଯାଏଁ ମୋ ଜୀବନରେ ମୁଁ କୌଣସି ବୁଦ୍ଧିମାନକୁ ପାଇନାଇଁ ଯିଏ ମୋତେ ତୋ’ଭଳି ବୁଝେଇ ଦେବ। ଧନ୍ୟ ତୋ’ ବୁଦ୍ଧି! ଧନ୍ୟ ତୋ’ ମାଆପଣ! ଧନ୍ୟ ତୋ’ ଘରକରା! କଣ ବୁଝିଲେ କେ’ ଜାଣେ ଆମ ସିଏ ହସିଦେଲେ। ଜବା କୁସୁମ ସକାଳ ପରି ମୋ’ ମାଆଙ୍କ ମୁହଁ ନିଶାନ୍ତ ପାଲଟିଗଲା।
- ଆତ୍ମଲିପି ‘ହଜିଲା ଦିନ’ରୁ
ମଙ୍ଗଳୁ ଚରଣଙ୍କ ସୃଜନ ସମ୍ଭାର
କବିତା ସଂକଳନ : ଅଇଲା ବସନ୍ତ ଫେରି, ଦରିଆପାରିର କବିତା, ଅନନ୍ୟା, ବରଫ ଦେଶର କନ୍ୟା, ପାଉଁଶ ତଳର ନିଆଁ, ମନଲୀନା, ସୀମା, ଋତୁ ଇଚ୍ଛାମତୀ, ଋତୁପର୍ଣ୍ଣା, ଭିତର ବାହାର, ମଗ୍ନମାଟିର ମେଖଳା
ଗୀତି କବିତା ପୁସ୍ତକ: ମାଳଞ୍ଚ
ଗଳ୍ପ ସଂକଳନ: ଅସ୍ତରାଗର କବି, ଅନ୍ୟ ଦିଗନ୍ତ, ଅଗ୍ନିସମ୍ଭବା, କଟକ ଚିନ୍ତା ବାଇମୁଣ୍ଡିକି, କଷ୍ଟ କଲେ କୃଷ୍ଣ ମିଳେ, ଆପଣା କିଆକୁ ଇଲାଜ କିଆଁ, ଚଏତୁର ଚେତା, ବିବିଧ ବୋଧ
ଉପନ୍ୟାସ: ଦି’ ଧାର ଲୁହ, ସ୍ମୃତିମଗ୍ନା, ଦୂର ବସନ୍ତ
ଅନୁବାଦ : ରୋମର ରୂପସୀ (ଉପନ୍ୟାସ: ଅଲବେଟ୍ରୋ ମୋରାଭିଆ), ମାଧବୀ (ନାଟକ: ଭୀଷ୍ମ ସାହାଣୀ)
ଶିଶୁ ସାହିତ୍ୟ: ଦେଖ କଇଁଚ କାଢ଼ିଛି ବେକ, ଆଲୋ ନିଦ ମାଉସୀ ଆ’, ଦେ କଉଡ଼ି ଖା’ ପିଠା, ତୁମର ପରି ପିଲାଟିଏ, ମୋ ପରି ହୁଅ,
ପ୍ରବନ୍ଧ ସଂକଳନ: ଚିନ୍ତା ଓ ଚୈତନ୍ୟ, ଚୟନିକା, ଗଦ୍ୟ ଗୌରବ, ପୃଥକ୍ ପରିଚୟ, ଭିନ୍ନ ବର୍ଣ୍ଣମାଳା, ବିପୁଳ ପୁଲକ
ସମ୍ବଲପୁରୀ ନାଟକ: ଭୁଖା, ଉଡ୍ଲା ପତର ବୁଡ୍ଲା ଡଙ୍ଗା, ଲୁରା, ଭୁତିଆର୍ ହତିଆର୍, ସୁନ୍ଦର ସାଏ, ମାଁ ସମଲେଇ, ଦଦ୍ରା ଦର୍ପନ୍, ବୀର୍ସା ଭଗବାନ, ଉଲ୍ଗୁଲାନ୍, ଛଏଲି, ଗୁରିଗାଆଁ, ହରନ୍ ପାପ୍, ବରୁଆ
ବେତାର ନାଟକ: ଉପନାୟିକା, ପାହାଡ଼ର ସ୍ବରଲିପି, ଗଛକୁ ହେଲା ଫଳ ଭାରି, ବୀର କାହାଲି
ଜୀବନୀ: ବିରଳ ବିଷ୍ଣୁଶର୍ମା
ଆତ୍ମଜୀବନୀ: ହଜିଲା ଦିନ
ଗ୍ରନ୍ଥାବଳୀ: ମଙ୍ଗଳୁ ଚରଣ ରଚନାବଳୀ (୧ମ,୨ୟ, ୩ୟ, ୪ର୍ଥ ଓ ୫ମ ଖଣ୍ଡ, ସଙ୍କଳକ- ଶିବ ପ୍ରସାଦ ତ୍ରିପାଠୀ)