ଭୁବନେଶ୍ବର : ମର୍ଦଳ ମନୀଷୀ ବନମାଳୀ ମହାରଣା ଆଉ ନାହାନ୍ତି। ପବିତ୍ର ଅଁଳା ନବମୀରେ ରାଧା ପାଦ ଦର୍ଶନ ପାଇଁ ଭିଡ଼ ଜମିଥିବା ବେଳେ ବନମାଳୀ ଦୁନିଆରୁ ବାହୁଡ଼ି ଯାଇଛନ୍ତି। ବିଶ୍ବକର୍ମା ସାଜି ଓଡ଼ିଶାରେ ଶହଶହ ମର୍ଦଳ ବାଦକଙ୍କୁ ଗଢ଼ି ୭୭ବର୍ଷ ବୟସରେ ବିଦାୟ ନେଇଛନ୍ତି। ଫୁସ୍ଫୁସ୍ ଜନିତ ରୋଗରେ ପୀଡ଼ିତ ହୋଇ ୨୩ ଦିନ ହେଲା ଘରୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିଲେ। ମର୍ଦଳରେ ଓଡ଼ିଶୀ ବ୍ୟାକରଣର ସେ ଥିଲେ ଆଦ୍ୟ ପ୍ରବର୍ତକ। ସଂଯୁକ୍ତା ମହାପାତ୍ରଙ୍କ ନୃତ୍ୟରେ ବାଦ୍ୟ ସଂରଚନା ପୂର୍ବକ ବିଦେଶରେ ଓଡ଼ିଶୀ ମର୍ଦଳର ଧୁନ୍କୁ ପହଞ୍ଚାଇବାରେ ସେ ଥିଲେ ପ୍ରଥମ ବ୍ୟକ୍ତି। ମୃତ୍ୟୁ ଖବର ପ୍ରଘଟ ହେବା ପରେ ସଂଗୀତ ଶିଳ୍ପୀ ଓ ସଂଗୀତ ପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି। ବହୁ ବିଶିଷ୍ଟ ବ୍ୟକ୍ତି ଓ ମର୍ଦଳ ବାଦକ ପୁରୁଣା ଭୁବନେଶ୍ବର କେଉଟ ସାହିସ୍ଥିତ ତାଙ୍କ ‘ସୁନ୍ଦରବନ’ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ।
ପଦ୍ମବିଭୂଷଣ ଗୁରୁ କେଳୁଚରଣ ମହାପାତ୍ରଙ୍କଠୁ ନେଇ ସଂଯୁକ୍ତା ମହାପାତ୍ର, ପ୍ରିୟମ୍ବଦା ମହାନ୍ତି ହେଜମାଦି, ମିନତି ମିଶ୍ର, ସୋନାଲ ମାନସିଂହ, ଇଲିଆନା ସିତାରିଷ୍ଟ୍, ଅରୁଣା ମହାନ୍ତି, କିରଣ ସେହଗଲ୍ଙ୍କ ଭଳି ଅନେକ ପ୍ରଥିତଯଶା ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କୁ ନିଜ ବାଦ୍ୟରେ ନଚାଇ ଢେର୍ ପ୍ରଶଂସା ସାଉଁଟିଛନ୍ତି। ଏପରିକି ଜାକିର୍ ହୁସେନ୍ଙ୍କ ତବଲା ବାଦନ ସହ ବନମାଳୀ ମର୍ଦଳର ଯୁଗଳବନ୍ଦୀ କରି ଉଦାହରଣ ସୃଷ୍ଟି କରିଥିଲେ। ୧୯୪୧ ମସିହା ମେ’ ୧୬ ତାରିଖରେ ପୁରୀ ଜିଲ୍ଲା ରଘୁରାଜପୁରରେ ଜନ୍ମିତ ବନମାଳୀ ମୋହନ ସୁନ୍ଦର ଦେବଗୋସ୍ବାମୀଙ୍କ ‘ରାସଲୀଳା’ ନାଟ୍ୟ ଦଳରେ ଢୋଲ ଓ ଖୋଳ ବାଦନ ଦେଖି ପ୍ରେରଣା ପାଇଥିଲେ। ପରେ ସେ ଅନ୍ନପୂର୍ଣ୍ଣା ଏ ଗ୍ରୁପ୍ରେ ସାମିଲ୍ ହୋଇ ଛୋଟ ପିଲାର ଅଭିନୟ କରିଥିଲେ। ମାତ୍ର ଖୋଳ ବାଦନ ତାଙ୍କୁ ବେଶି ପ୍ରଭାବିତ କରିଥିଲା। ତେଣୁ ପରବର୍ତୀ ସମୟରେ ସେ ଗୁରୁ କ୍ଷେତ୍ରମୋହନ କର ଏବଂ ସିଂହାରୀ ଶ୍ୟାମସୁନ୍ଦର କରଙ୍କଠୁ ତବଲା ଓ ଓଡ଼ିଶୀ ମର୍ଦଳରେ ତାଲିମ୍ ନେଲେ। ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ପଦ୍ମବିଭୂଷଣ କେଳୁଚରଣ ମହାପାତ୍ରଙ୍କ ସଂସ୍ପର୍ଶରେ ଆସିବା ପରେ ତାଙ୍କ ଜୀବନର ମୋଡ଼ ବଦଳିଥିଲା। ନିଜର ନିଆରା ଓ ସୃଜନଶୈଳୀରେ ମର୍ଦଳରେ ଓଡ଼ିଶୀର ବ୍ୟାକରଣକୁ ବ୍ୟବହାର କରି ପ୍ରସିଦ୍ଧିର ଶିଡ଼ି ଚଢ଼ିଥିଲେ। କଳା ବିକାଶ କେନ୍ଦ୍ରରେ ଓଡ଼ିଶୀ ମର୍ଦଳ ଶିକ୍ଷାଦାନ ସହ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଶହଶହ ମର୍ଦଳ ପ୍ରତିଭା ସୃଷ୍ଟି କରି ୧୯୯୯ ମସିହାରେ ଅବସର ନେଇଥିଲେ। ସେତିକିରେ ଅଟକି ନଯାଇ ସେ ମର୍ଦଳ ଏକାଡେମି ସ୍ଥାପନ କରି ପିଲାଙ୍କୁ ତିଆରିରେ ଲାଗି ପଡ଼ିଥିଲେ। ଜୀବନବ୍ୟାପୀ ଅବଦାନ ପାଇଁ ଓଡ଼ିଶା ସଂଗୀତ ନାଟକ ଏକାଡେମିର ସର୍ବୋଚ୍ଚ ସମ୍ମାନ କବି ସମ୍ରାଟ ଉପେନ୍ଦ୍ର ଭଂଜ ସମ୍ମାନ ସହ କେନ୍ଦ୍ର ସଂଗୀତ ନାଟକ ଏକାଡେମି ପୁରସ୍କାର, ବାଦ୍ୟ ସରସ୍ବତୀ, କଳିଙ୍ଗ କଳା, ଶ୍ରୀଜଗନ୍ନାଥ ପୁରସ୍କାର ଭଳି ଅଜସ୍ର ସମ୍ମାନ ଲାଭ କରିଥିଲେ।
ତାଙ୍କ ପରଲୋକ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ।